ଓଡ଼ିଶାଲାଇଭ୍ ବ୍ୟୁରୋ

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ଗୁରୁବାର ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା। ଶୁକ୍ରବାର ତାଙ୍କୁ ଦିଲ୍ଲୀର ପିଏମଏଲଏ କୋର୍ଟରେ ହାଜର କରାଯିବ। ତାଙ୍କୁ ଜେରା କରିବା ଲାଗି ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିବ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ସୁରକ୍ଷା ଦେବାଲାଗି ଦିଲ୍ଲୀ ହାଇକୋର୍ଟ ଗୁରୁବାର ମନା କରି ଦେଇଥିଲେ। ଏହାପରେ ସନ୍ଧ୍ୟାରେ ଇଡିର ଏକ ଟିମ୍ ସର୍ଚ୍ଚ ୱାରେଣ୍ଟ ନେଇ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲେ। ଘର ଭିତରେ ଇଡି ଅଧିକାରୀମାନେ ତାଙ୍କୁ ଜେରା କରୁଥିବା ବେଳେ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏହାସହିତ ତାଙ୍କ ଘରେ ଛାନଭିନ୍ ମଧ୍ୟ କରାଯାଇଥିଲା। ପରେ ତାଙ୍କୁ ଗିରଫ କରାଯାଇ ଇଡି ମୁଖ୍ୟାଳୟକୁ ଅଣାଯାଇଥିଲା।

ଅନ୍ୟପଟେ ଏହି ମାମଲାରେ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ତୁରନ୍ତ ଶୁଣାଣି ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ଗୁରୁବାର ରାତିରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଶୁକ୍ରବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।

ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେନାହିଁ ବୋଲି ଆମ ଆଦମୀ ପାର୍ଟି ତରଫରୁ କୁହାଯାଇଛି। କେଜ୍ରିୱାଲଙ୍କ ଗିରଫଦାରୀ ପରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ତାଙ୍କ ବାସଭବନ ଅଞ୍ଚଳ‌ରେ ଦିଲ୍ଲୀ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ସାମିଲ ରହିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇଡି ତାଙ୍କୁ ପଚରାଉଚରା ପାଇଁ ୯ ଥର ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଯାଞ୍ଚରେ ସେ ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା।

ଇଡି ପକ୍ଷରୁ ନବମ ସମନ ଜାରି ହେବାପରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହେଲେ ତାଙ୍କୁ କୌଣସି ମଧ୍ୟବର୍ତ୍ତିକାଳୀନ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିଦେଇଥିଲେ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ଆମ ଆଦମୀ ପାର୍ଟିର ଦୁଇ ଜଣ ନେତା ମନୀଷ ସିଶୋଦିଆ ଏବଂ ସଂଜୟ ସିଂହ ଗିରଫ ହୋଇ ଜେଲରେ ଅଛନ୍ତି। ସେହିଭଳି ଏହି ମାମଲାରେ ଇଡି ପକ୍ଷରୁ ବିଆରଏସ୍ ନେତ୍ରୀ କେ. କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା।

ଦିଲ୍ଲୀ ଅବକାରୀ ଦୁର୍ନୀତି କ’ଣ ?

୨୦୨୧ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ କେଜ୍ରିୱାଲ ସରକାର। ଏହି ନୂଆ ନୀତି ଅନୁସାରେ ମଦ ବିକ୍ରି ସହ ସରକାରଙ୍କ କୌଣସି ସମ୍ପର୍କ ରହିବ ନାହିଁ। ଏହାର ସମସ୍ତ ନିୟନ୍ତ୍ରଣ ମଦ ବ୍ୟବସାୟୀଙ୍କ ହାତକୁ ଚାଲିଯାଇଥିଲା।

ଏହି ନୀତି ଅନୁସାରେ ଦିଲ୍ଲୀରେ ଭୋର ୩ଟା ଯାଏଁ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଥିଲା। ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀ ନିଜ ଇଚ୍ଛା ଅନୁସାରେ ରିହାତି ଦେଇପାରୁଥିଲେ।

ଏହି ଅବକାରୀ ନୀତି ଯୋଗୁଁ ମଦ ଲାଇସେନ୍ସ ପାଇଁ ଅନୈତିକ ଭାବେ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ରାଜକୋଷଙ୍କୁ ବିପୁଳ ଆର୍ଥିକ କ୍ଷତି ହେବାସହ ବିଭିନ୍ନ ଆଇନ ଉଲ୍ଲଂଘନ ହୋଇଥିବା ନେଇ ରିପୋର୍ଟ ଦେଇଥିଲେ ଦିଲ୍ଲୀ ମୁଖ୍ୟ ସଚିବ।

ଏହାପରେ ଦିଲ୍ଲୀ ଉପରାଜ୍ୟପାଳ ଭି କେ ସକ୍ସେନା ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଥିଲେ। ପ୍ରଥମେ ସିବିଆଇ ପରେ ଇଡି ପକ୍ଷରୁ ଏହି ମାମଲାରେ ତଦନ୍ତ ଆରମ୍ଭ କରାଯାଇଥିଲା।

Tags: #ArvindKejriwal #CMofDelhi #LiquorScam #ED #NewDelhi

LEAVE A REPLY

Please enter your comment!
Please enter your name here