ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଦାଲତରୁ ଝଟକା ଲାଗିଛି। ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ଏପ୍ରିଲ ୧ ତାରିଖ ଯାଏଁ ବଢ଼ାଇଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ। ରିମାଣ୍ଡ ଅବଧି ବୃଦ୍ଧି ପାଇଁ ଗୁରୁବାର ଇଡିର ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି।

ଗୁରୁବାର ଅପରାହ୍ନରେ ଇଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଉଭୟ ଇଡି ଏବଂ କେଜ୍ରିୱାଲଙ୍କ ଓକିଲଙ୍କ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ କେଜ୍ରିୱାଲଙ୍କ ରିମାଣ୍ଡ ଅବଧିକୁ ଆହୁରି ୫ ଦିନ ବଢ଼ାଇ ଦେଇଛନ୍ତି।

ଗୁରୁବାର ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି ଶେଷ ହେଉଥିଲା। ତାଙ୍କୁ ଆଉ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖ ରାତିରେ ଇଡି ପକ୍ଷରୁ ଗିରଫ କରାଯାଇଥିଲା। ଏହାପରେ ଇଡି ତାଙ୍କୁ କୋର୍ଟରେ ହଜାର କରି ରିମାଣ୍ଡରେ ନେଇ ପଚରାଉଚରା କରୁଛି।  

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ସାମିଲ ରହିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇଡି ତାଙ୍କୁ ପଚରାଉଚରା ପାଇଁ ୯ ଥର ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଯାଞ୍ଚରେ ସେ ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା।  

Tags: #ArvindKejriwal #CMofDelhi #LiquorScam #ED #NewDelhi

LEAVE A REPLY

Please enter your comment!
Please enter your name here