ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବାୟୁସେନାର ନୂଆ ଲଢ଼ୁଆ ବିମାନ ତେଜସ୍ ମାର୍କ-୧ଏ ସଫଳତାର ପ୍ରଥମ ଉଡ଼ାଣ ଭରିଛି। ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ (ଏଚଏଏଲ) ପକ୍ଷରୁ ଗୁରୁବାର ବେଙ୍ଗାଳୁରୁରେ ଏହାର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ପରେ ଏହି ବିମାନକୁ ଅଧିକ ସଂଖ୍ୟାରେ ଭାରତୀୟ ବାୟୁସେନାରେ ସାମିଲ କରିବାକୁ ଯୋଜନା କରାଯାଇଛି।
ତେଜସ୍ ମାର୍କ-୧ଏର ପ୍ରଥମ ଉଡ଼ାଣ ୧୮ ମିନିଟ୍ ଧରି ଚାଲିଥିଲା। ଏଥିରେ ବିମାନର ବିଭିନ୍ନ ପାରାମିଟରକୁ ପରୀକ୍ଷା କରାଯାଇଥିଲା। ଗତ କିଛି ଦିନ ହେବ ବେଙ୍ଗାଳୁରୁ ସ୍ଥିତ ଏଚଏଏଲର କାରଖାନାରେ ଏହାର ଟ୍ୟାକ୍ସି ଟ୍ରାଏଲ ଚାଲିଥିଲା।
ତେଜସ୍ ମାର୍କ-୧ଏ ଏକ ହାଲୁକା ଲଢ଼ୁଆ ବିମାନ। ପ୍ରାରମ୍ଭିକ ତେଜସ ବିମାନର ଏହା ଏକ ଅପଡେଟେଡ ଭର୍ସନ। ଏହାକୁ ଏଚଏଏଲ ଏବଂ ଡିଆରଡିଓର ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ଦ୍ଵାରା ମିଳିତ ଭାବେ ବିକଶିତ କରାଯାଇଛି।
ତେଜସ ମାର୍କ-୧ଏରେ ଡିଜିଟାଲ ରାଡାର ଆଲର୍ଟ ରିସିଭର, ଆଡଭାନ୍ସଡ ଇଲେକ୍ଟ୍ରୋନିକ ସ୍କାନ୍ ଆରେ (ଏଇଏସଏ) ରାଡାର, ଆଡଭାନ୍ସ ଭିଜୁଆଲ ରେଞ୍ଜ (ବିଭିଆର) ଏୟାର ଟୁ ଏୟାର ମିସାଇଲ ଏବଂ ସେଲ୍ଫ ପ୍ରୋଟେକ୍ସନ ଜାମର ପୋଡ ଭଳି ଅତ୍ୟାଧୁନିକ ଫିଚର ରହିଛି।
ତେଜସର ଏହି ନୂଆ ଭର୍ସନର ଆକାର ଅନ୍ୟ ଲଢ଼ୁଆ ବିମାନ ତୁଳନାରେ ବହୁତ ଛୋଟ ଅଟେ। ଯାହାଫଳରେ ଏହା ଶତ୍ରୁ ପକ୍ଷର ରାଡାରରେ ସହଜରେ ନଜର ଆସେ ନାହିଁ।
ଭାରତୀୟ ବାୟୁସେନା ପାଇଁ ୧୭୦ଟି ତେଜସ ମାର୍କ-୧ଏ ବିମାନର ଅର୍ଡର ଏଚଏଏଲକୁ ଦିଆଯାଇଛି। ଏହା ବାୟୁସେନାରେ ଥିବା ୬୦ ଦଶକର ବିମାନ ମିଗ୍-୨୧ର ସ୍ଥାନ ନେବ।
Tags: #TejasMk1A #LightCombatAircraft #HAL #DRDO #IAF #India