ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ଏବେ ସାରା ଉତ୍ତରପ୍ରଦେଶରେ ଚହଳ ସୃଷ୍ଟି କରିଛି। ଜେଲରେ ଥିବା ମୁଖତାରଙ୍କ ଗୁରୁବାର ରାତିରେ ହୃଦଘାତରେ ମୃତ୍ୟୁ ହେବା ପରେ ସାରା ରାଜ୍ୟରେ ୧୪୪ ଧାରା ଲାଗୁ କରାଯାଇଛି। ଅନ୍ୟପଟେ ମୁଖତାରଙ୍କୁ ଜେଲରେ ବିଷ ଦେଇ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୁଖତାର ଅନସାରୀ ଏକାଧିକ ଅପରାଧିକ ମାମଲାରେ ବାନ୍ଦା ଜିଲ୍ଲା ଜେଲରେ ବନ୍ଦୀ ଥିଲେ। ଗୁରୁବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବାନ୍ଦାର ରାଣୀ ଦୁର୍ଗାବତୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା।

ଶୁକ୍ରବାର ମୁଖତାରଙ୍କ ମର ଶରୀରକୁ ବ୍ୟବଚ୍ଛେଦ କରାଯିବା ପରେ ଏହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏହାପରେ ଗାଜୀପୁରର ମହମ୍ମଦାବାଦ ସ୍ଥିତ କାଲିବାଦ୍ କବରସ୍ଥାନରେ ତାଙ୍କୁ କବର ଦିଆଯିବ।

ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶର ସବୁ ଜିଲ୍ଲା ହାଇଆଲର୍ଟରେ ରହିଛି। ସାରା ରାଜ୍ୟରେ ଏବେ ୧୪୪ ଧାରା ଲାଗୁ ହେବା ସହ କୌଣସି ଆଇନଶୃଙ୍ଖଳା ପରିସ୍ଥିତର ମୁକାବିଲା ପାଇଁ ପୋଲିସ ଓ ପରାମିଲିଟାରୀ ଫୋର୍ସକୁ ପ୍ରସ୍ତୁତ ରଖାଯାଇଛି।  

ବାନ୍ଦା ଜେଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ ରମଜାନ ଉପବାସ ଭାଙ୍ଗିବା ପରେ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କ ଚିକିତ୍ସା ପାଇଁ ପ୍ରଥମେ ଡାକ୍ତର ଜେଲକୁ ଆସିଥିଲେ। ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ଅନ୍ୟପଟେ ମୁଖତାର ଅନସାରୀଙ୍କୁ ବିଷ ଦିଆଯାଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି। ମୁଖତାର ଅନସାରୀଙ୍କ ବଡ଼ ଭାଇ ସିବଗୁତୁଲ୍ଲାହ ଅନସାରୀଙ୍କ କହିବା ଅନୁସାରେ ମାର୍ଚ୍ଚ ୧୮ ତାରିଖରୁ ମୁଖତାର ବହୁତ ଅସୁସ୍ଥ ଥିଲେ କିନ୍ତୁ ଜେଲ କର୍ତ୍ତୃପକ୍ଷ ତାଙ୍କର ଚିକିତ୍ସା କରୁନଥିଲେ। ମୁଖତାରଙ୍କୁ ବିଷ ଦିଆଯାଉଛି ବୋଲି ସେ ନିଜେ ତାଙ୍କ ଓକିଲଙ୍କୁ ଅଭିଯୋଗ କରିଥିଲେ। ତାଙ୍କ ଜୀବନପ୍ରତି ବିପଦ ଅଛି ବୋଲି ସେ ପୂର୍ବରୁ କୋର୍ଟରେ କହିଥିଲେ।

ସେହିପରି ମାର୍ଚ୍ଚ ୨୬ ତାରିଖ ରାତିରେ ମୁଖତାରଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ହୋଇଥିଲା। ତେଣୁ ତାଙ୍କୁ କିଛି ଘଣ୍ଟା ପାଇଁ ମେଡିକାଲ କଲେଜକୁ ଅଣାଯାଇଥିଲା। ସେଠାରେ ଭଲ ଭାବରେ ଚିକିତ୍ସା ନକରି ମୁଖତାରଙ୍କୁ ପୁଣି ଜେଲ ପଠାଇ ଦିଆଯାଇଥିଲା। ତେଣୁ ଏହି ମାମଲାର ସଠିକ୍ ଯାଞ୍ଚ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।

ମୁଖତାର ଅନସାରୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଛାତ୍ର ରାଜନୀତି କରିବା ପରେ ୧୯୯୬ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। ପ୍ରଥମ ଥର ପାଇଁ ସେ ୧୯୯୬ ମସିହାରେ ଉତ୍ତରପ୍ରଦେଶର ମଉ ଆସନରୁ ବିଧାୟକ ହୋଇଥିଲେ। ସେ ମଉ ଆସନରୁ ୧୯୯୬, ୨୦୦୨, ୨୦୦୭, ୨୦୧୨ ଏବଂ ୨୦୧୭ ମସିହାରେ ଲଗାତର ଭାବରେ ବିଧାୟକ ନିର୍ବାଚିତ ହୋଇଥିଲେ।

ରାଜନୀତିରେ ଆସିବା ସହ ମୁଖତାରଙ୍କ ଅପରାଧିକ ଗତିବିଧି ମଧ୍ୟ ବଢ଼ିବାରେ ଲାଗିଲା। ୨୦୦୫ ମସିହାରେ ମଉରେ ହୋଇଥିବା ସମ୍ପ୍ରଦାୟିକ ଦଙ୍ଗା, ଗାଜିପୁରରେ ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ହତ୍ୟା ଏବଂ ବଟି ଅଦାୟ କରିବା ଭଳି ଏକାଧିକ ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ତାଙ୍କ ବିରୋଧରେ ମୋଟ ୬୫ଟି ଅପରାଧିକ ମାମଲା ଚାଲୁଥିଲା। ଏ ଯାଏଁ ସେଥିରୁ ସେ ୮ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

Tags: #MukhtarAnsari #Death #LawAndOrder #UttarPradesh

LEAVE A REPLY

Please enter your comment!
Please enter your name here