ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଟ ଦେବା ଲାଗି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ପାଇଁ ଏଡିଆର ଏବଂ ଓଡ଼ିଶା ଇଲେକସନ ୱାଚ୍‍ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର।

ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୁବନେଶ୍ଵରରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। “ନାଗରିକ ଶିକ୍ଷା ମାଧ୍ୟମରେ ଯୁବ ସଶକ୍ତିକରଣ: ମତଦାନ ସଂକ୍ରାନ୍ତୀୟ ସୂଚନା ଜ୍ଞାନକୌଶଳ’’ ଶୀର୍ଷକ ଏହି ଆଲୋଚନା ଚକ୍ରକୁ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଉଦଘାଟନ କରିଥିଲେ। ଶୁକ୍ରବାର ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ଓଡ଼ିଶା ଇଲେକସନ ୱାଚ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ନିର୍ବାଚନ ସମ୍ବନ୍ଧୀୟ କିଛି ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କରଯାଇଥିଲା। ଏହାସହ ଅଧିକ ସଂଖ୍ୟାରେ ଭୋଟ ଦେବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ନୂଆ ଭୋଟରଙ୍କୁ ଭୋଟଦାନ ପାଇଁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।

“ଗୋଟିଏ ଭୋଟ ଅତ୍ୟନ୍ତ ମୂଲ୍ୟବାନ୍‍। ଗୋଟିଏ ଭୋଟ ପାଇଁ ସରକାର ଭାଙ୍ଗିଯିବାର ନଜିର ରହିଛି। ତେଣୁ ପ୍ରତ୍ୟେକ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ। ମତଦାନ କେବଳ ଅଧିକାର ସାବ୍ୟସ୍ତ କରିନଥାଏ ଏହା ସମାଜରେ ସମାନତା ଆଣିଥାଏ”, କହିଥିଲେ ଶତୃଘ୍ନ କର।

ସେ ଆହୁରି ମଧ୍ୟ କହିଥିଲେ ,”ଗଣତନ୍ତ୍ରକୁ ସୁରକ୍ଷିତ ରଖିବାପାଇଁ ଆମ ସମସ୍ତଙ୍କୁ ଭୋଟ ଦେବାକୁ ପଡ଼ିବ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନମଙ୍ଗଳ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଏହା ନିର୍ବାଚିତ ସରକାରଙ୍କୁ ଆହୁରି ପ୍ରୋତ୍ସାହିତ କରିବ। ତେଣୁ ଯୁବ ଭୋଟରମାନେ ନିଜେ ଭୋଟ ଦେବା ସହିତ ଅନ୍ୟମାନଙ୍କୁ ଭୋଟ ଦେବା ପାଇଁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି।”

ଏହି ଆଲୋଚନା ଚକ୍ରରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଯୋଗ ଦେଇଥିବା ଶତାଧିକ ଛାତ୍ରଛାତ୍ରୀ ନିଜର ଭୋଟର ତାଲିକାରେ ନାମ ଦରଜ, ଭୋଟରକାର୍ଡ, ନୋଟା ଆଦି ସଂକ୍ରାନ୍ତରେ ଏକାଧିକ ପ୍ରଶ୍ନମାନ ପଚାରି ଥିଲେ। ଉପସ୍ଥିତ ଅତିଥିମାନେ ଗୋଟି ଗୋଟି କରି ସବୁ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କ ସଂଶୟ ଦୂର କରିଥିଲେ।

ଏଇ କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ, ଉତ୍କଳ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ ଡକ୍ଟର ସୂର୍ଯ୍ୟ ନାରାୟଣ ମିଶ୍ର, ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସେବା ମହାପାତ୍ର, ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ଯତୀନ୍ଦ୍ର ଦାଶ ଓ ଡକ୍ଟର ସୌମ୍ୟା ପରିଡ଼ା ଏବଂ ଓଡ଼ିଶା ଇଲେକସନ ୱାଚର ସଂଯୋଜକ ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

Tags: #IndianGeneralElections #Voters #OdishaElectionWatch #AssociationofDemocraticReformers #Odisha

Comment