ଓଡ଼ିଶାଲାଇଭ୍ ବ୍ୟୁରୋ

ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଦାଲତରୁ ଲାଗିଛି ଝଟକା। ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କେଜ୍ରିୱାଲଙ୍କ ଗିରଫଦାରୀ ବୈଧ ବୋଲି ହାଇକୋର୍ଟ ନିଜ ରାୟ ଶୁଣାଇଛନ୍ତି।

ଶୁଣାଣିବେଳେ ଉଭୟ ଇଡି ଏବଂ କେଜ୍ରିୱାଲଙ୍କ ଓକିଲ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନ ଖାରଜ କରିଥିଲେ। ଅବକାରୀ ଦୁର୍ନୀତି ମାମଲାରେ ଇଡି ପାଖରେ କେଜ୍ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ହାଇକୋର୍ଟ କହିଥିଲେ।

ଏବେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ବୁଧବାର ଏନେଇ ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଓକିଲ ପିଟିସନ୍ ଦାଖଲ କରିବାର ସମ୍ଭାବନା ରହିଛି।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖ ରାତିରେ ଇଡି ପକ୍ଷରୁ ଗିରଫ କରାଯାଇଥିଲା। ଏହାପରେ ଇଡି ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା।

ଏପ୍ରିଲ ୧ ତାରିଖରେ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହେଫାଜତକୁ ପଠାଇଥିଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ। ଏପ୍ରିଲ ୧୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।    

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ସାମିଲ ରହିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇଡି ତାଙ୍କୁ ପଚରାଉଚରା ପାଇଁ ୯ ଥର ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଯାଞ୍ଚରେ ସେ ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା।  

Tags: #ArvindKejriwal #CMofDelhi #LiquorScam #ED #NewDelhi

Comment