ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଅପରେସନ ହୋଇଛି। ଏଥିରେ ୧୮ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ କିଛି ମହିଳା ଓ ଟପ୍ କ୍ୟାଡର ମାଓବାଦୀ ସାମିଲ ଅଛନ୍ତି। ଏହି ଗୁଳି ବିନମୟରେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବାବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

କାଙ୍କେର ଜିଲ୍ଲା ଛୋଟେବେଥିଆ ଥାନା ଅନ୍ତର୍ଗତ ଜଙ୍ଗଲରେ ୫୦ରୁ ଅଧିକ ମାଓବାଦୀ କ୍ୟାମ୍ପ କରିଥିବା ନେଇ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଛତିଶଗଡ଼ ପୋଲିସର ଡିଆରଜି ବାହିନୀ ଓ ବିଏସଫ ପକ୍ଷରୁ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।

କୁମ୍ବିଂ ଅପରେସନବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ‌ହୋଇଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପରେ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ୧୮ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଅନ୍ୟ କିଛି ଆହତ ହୋଇ ସେଠାରୁ ଖସି ପଳାଇଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ନିହତ ହୋଇଥିବା ମାଓବାଦୀଙ୍କ ମୃତଦେହ ଠାବ କରାଯାଇଥିଲା। ଏହାସହ ମାଓ କ୍ୟାମ୍ପରୁ ବିପୁଳ ପରିମାଣରେ ବନ୍ଧୁକ, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା। ଏବେ ସମଗ୍ର ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଥିବା କାଙ୍କେର ଜିଲ୍ଲା ଏସପି କଲ୍ୟାଣ ଏଲସେଲା ସୂଚନା ଦେଇଛନ୍ତି।

ଛତିଶଗଡ଼ରେ ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବ। ଏହାପୂର୍ବରୁ ରାଜ୍ୟରେ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷାବାହିନୀଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ମାଓ ଦମନ ଅଭିଯାନକୁ ବଢ଼ାଇ ଦିଆଯାଇଛି।  

Tags: #Encounter #Maoists #SecurityForces #Kanker #Chhattisgarh

Comment