ଓଡ଼ିଶାଲାଇଭ୍ ବ୍ୟୁରୋ

ମଝି ଆକାଶରେ କୂଆ ପଥର ମାଡ଼ ଯୋଗୁଁ ‘ଭିସ୍ତାରା’ ଏୟାରଲାଇନ୍ସର ଏକ ବିମାନର ଭୁବନେଶ୍ୱର ବିମାନବନ୍ଦରେ ଜରୁରୀକାଳୀନ ଅବତରଣ ହୋଇଛି। ବୁଧବାର ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ସମୟରେ କାଳବୈଶାଖୀ ପ୍ରଭାବରେ ବିମାନ ଉପରେ କୂଆ ପଥର ମାଡ଼ ହୋଇଥିଲା। ଫଳରେ ବିମାନଟି ଭୁବନେଶ୍ୱର ଫେରି ଆସିଥିଲା। ବିମାନରେ ଯାଉଥିବା ସମସ୍ତ ୧୭୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ବୁଧବାର ଦିନ ୧ଟା ୪୫ ସମୟରେ ‘ଭିସ୍ତାରା’ ଏୟାରଲାଇନ୍ସର ବିମାନ ‘ୟୁକେ ୭୮୮’ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣର ୧୦ ମିନିଟ ପରେ ମଝି ଆକାଶରେ ପ୍ରାୟ ୨୦ ହଜାର ଫୁଟ ଉଚ୍ଚତାରେ ଥିବାବେଳେ ବିମାନ ଉପରେ କୂଆ ପଥର ବର୍ଷା ହୋଇଥିଲା। ଏହାଦ୍ଵାରା ବିମାନର ୱିଣ୍ଡ ସିଲ୍ଡ ଭାଙ୍ଗି ଯିବାସହ ଅନ୍ୟ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲା।

ଏହାପରେ ବିମାନର ପାଇଲଟ ବିମାନଟିକୁ ଫେରାଇ ଆଣିବାକୁ ଭୁବନେଶ୍ଵର ବିମାନବନ୍ଦର ଏଟିସି ସହ ଯୋଗାଯୋଗ କରିଥିଲେ। ଏଟିସିର ଅନୁମତି ପରେ ବିମାନଟି ଭୁବନେଶ୍ଵରରେ ଜରୁରୀ ଅବତରଣ କରିଥିଲା।

ବର୍ତ୍ତମାନ ବିମାନଟି ଭୁବନେଶ୍ଵର ବିମାନବନ୍ଦରରେ ରହିଛି। ଏହାର ଯାତ୍ରୀମାନଙ୍କୁ ‘ଭିସ୍ତାରା’ ଏୟାରଲାଇନ୍ସର ଅନ୍ୟ ଏକ ବିମାନ ଯୋଗେ ଗନ୍ତବ୍ୟସ୍ଥଳକୁ ପଠାଯିବାର ବ୍ୟବସ୍ଥା କରାଯାଉଛି। ଏନେଇ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Tags: #VistaraAirlines #EmergencyLanding #BhubaneswarAirport #AviationSafety #India

LEAVE A REPLY

Please enter your comment!
Please enter your name here