ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀର ଜସପ୍ରୀତ ନାମକ ଜଣେ ୧୦ ବର୍ଷର ବାଳକର ହୃଦୟସ୍ପର୍ଶୀ କାହାଣୀ ଏବେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି। ବାପାଙ୍କ ଦେହାନ୍ତ ପରେ ଜସପ୍ରୀତ ସାହସିକତାର ସହ ଫାଷ୍ଟଫୁଡ ଦୋକାନ ଚଳାଇ ପରିବାର ପୋଷଣ କରିବାର ଭିଡିଓ ଭାଇରାଲ ହେବା ପରେ ସମସ୍ତେ ତାଙ୍କୁ ବେଶ୍ ପ୍ରଶଂସା କରିଛନ୍ତି। ତାଙ୍କ କାହାଣୀ ଭାରତର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କୁ ବହୁତ ପ୍ରଭାବିତ କରିଛି। ସେ ଜସପ୍ରୀତଙ୍କ ପାଠପଢ଼ା ପାଇଁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଜସପ୍ରୀତଙ୍କ ସାହସ ଏବଂ ଦୃଢ଼ ସଂକଳ୍ପରେ ଉତ୍ସାହିତ ହୋଇ ଆନନ୍ଦ ମହିନ୍ଦ୍ରା ନିଜ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ତାଙ୍କୁ ସାହସର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି। ତେବେ ପରିବାର ପୋଷଣ ପାଇଁ ଜସପ୍ରୀତଙ୍କ ପ୍ରଶଂସନୀୟ ପ୍ରୟାସ ସତ୍ତ୍ଵେ ତାଙ୍କ ଶିକ୍ଷାକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ତେବେ ଏହି ୧୦ ବର୍ଷୀୟ ବାଳକର ଯୋଗାଯୋଗ ନମ୍ବର ସେୟାର କରିବାକୁ ଆନନ୍ଦ ମହିନ୍ଦ୍ରା ଲୋକଙ୍କୁ ଅନୁରୋଧ କରିଛନ୍ତି। ମହିନ୍ଦ୍ରା ଫାଉଣ୍ଡେସନ୍ ପକ୍ଷରୁ ଜସପ୍ରୀତଙ୍କ ଶିକ୍ଷାର ସବୁ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଜସପ୍ରୀତ ଦିଲ୍ଲୀର ତିଲକ ନଗରରେ ଫାଷ୍ଟଫୁଡ ଦୋକାନ ଚଳାଉଥିବା ଭିଡିଓକୁ ସରବଜିତ ସିଂହ ନାମକ ଜଣେ ଫୁଡ ଭ୍ଲଗର ନିଜ ଇନଷ୍ଟାଗ୍ରାମରେ ପ୍ରଥମେ ସେୟାର କରିଥିଲେ। ଏଥିରେ ଜସପ୍ରୀତ ମୁହଁରେ ହସ ଫୁଟାଇ ତାଙ୍କ ବାପାଙ୍କ ମୃତ୍ୟୁପରେ ସେ ଏବଂ ତାଙ୍କ ବଡ଼ ଭଉଣୀ ସମ୍ମୁଖୀନ ହୋଇଥିବା ଅସୁବିଧା ବିଷୟରେ ପ୍ରକାଶ କରିଥିଲେ।

ଏପ୍ରିଲ ୧୪ ତାରିଖରେ ଜସପ୍ରୀତଙ୍କ ବାପାଙ୍କ ବ୍ରେନ ଟିବିରେ ମୃତ୍ୟୁ ହୋଇଥିଲା। ଏହାପରେ ପରିବାରର ସବୁ ଦାୟିତ୍ଵ ତାଙ୍କ କାନ୍ଧକୁ ଆସିଥିଲା। ବାପାଙ୍କଠାରୁ ରୋଲ୍ ତିଆରି କରିବା ଶିଖିଥିବାବେଳେ ଏବେ ଏହାକୁ ପାଥେୟ କରି ସେ ପରିବାର ଚଳାଇବାର ଦାୟିତ୍ୱ ନେଇଛନ୍ତି।

ଜସପ୍ରୀତଙ୍କ ମା’ ପଞ୍ଜାବରେ ରହୁଥିବାବେଳେ ଦିଲ୍ଲୀରେ କାକାଙ୍କ ସହ ସେ ଓ ତାଙ୍କ ଭଉଣୀ ରହୁଛନ୍ତି। ଗୁରୁ ଗୋବିନ୍ଦ ସିଂହଙ୍କ ଆଶୀର୍ବାଦରୁ ପାଠପଢ଼ା ସହ ଜୀବିକା ଅର୍ଜନ କରି ପରିବାର ପୋଷଣ କରୁଥିବା କହିଛନ୍ତି ଜସପ୍ରୀତ।          

Tags: #Jaspreet #ViralBoy #AnandMahindra #Delhi

Comment