ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୋତା ମରାମତି କରୁଥିବା ବ୍ୟକ୍ତିଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇ ଉପହାର ଦେଲେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା।

ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କୁ ପ୍ରଭାବିତ କରିଛନ୍ତି ଜଣେ ଜୋତା ମରାମତି କରୁଥିବା ବ୍ୟକ୍ତି। ଆନନ୍ଦ ମହିନ୍ଦ୍ରାଙ୍କୁ ଏହି ବ୍ୟକ୍ତିଙ୍କ ଚିନ୍ତାଧାରା ଏତେ ପ୍ରଭାବିତ କରିଛି ଯେ ସେ ତାଙ୍କୁ ଏକ ଉପହାର ଦେବାକୁ ପଛାଇ ନାହାନ୍ତି।

ଗତ କିଛି ଦିନ ପୂର୍ବେ ଆନନ୍ଦ ମହିନ୍ଦ୍ରା ଜଣେ ଜୋତା ମରାମତି କରୁଥିବା ଜଣେ ବ୍ୟକ୍ତିଙ୍କର ଫଟୋ ସେୟାର କରିଥିଲେ। ସୋସିଆଲ ମିଡିଆରେ ସେହି ଫଟୋଟି ବେଶ୍‌ ଭାଇରାଲ ହୋଇଥିଲା।

ଜୋତା ମରାମତି କରୁଥିବା ଏହି ବ୍ୟକ୍ତିଙ୍କୁ ଆଇଆଇଏମରେ ପଢାଇବାକୁ ସୁଯୋଗ ଦିଆଯାଉ ବୋଲି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଟୁଇଟରରେ ଲେଖିଥିଲେ। ଏକଥା କହିବା ପଛରେ ମଧ୍ୟ ଏକ ବଡ କାରଣ ଲୁଚି ରହିଥିଲା।

ଭାଇରାଲ ହୋଇଥିବା ଫଟୋରେ ନରସିରାମ ନାମକ ଜଣେ ବ୍ୟକ୍ତି ଜୋତା ମରାମତି କରୁଥିବାର ନଜର ଆସିଥିଲେ। ଏବଂ ସବୁଠୁ ମଜାଦାର କଥା ହେଲା ଜୋତା ମରାମତି କରୁଥିବା ବ୍ୟକ୍ତିଙ୍କ ପଛରେ ଏକ ପୋଷ୍ଟର ଲାଗିଛି। ଜୋତା ମରାମତି କରିବାକୁ ଆସୁଥିବା ଗ୍ରାହକଙ୍କୁ ଆକୃଷ୍ଟ କରୁଛି।

ପୋଷ୍ଟରରେ ନିଜକୁ ଜୋତା ମରାମତି କରୁଥିବା ଡାକ୍ତର ଭାବେ ଚିତ୍ରଣ କରିବା ସହ ଦୋକାନକୁ ଖରାପ ଜୋତାର ଡାକ୍ତରଖାନା ବୋଲି ଦର୍ଶାଇଛନ୍ତି। ପୂରା ମେଡିକାଲ ଷ୍ଟାଇଲରେ କେଉଁ ସମୟରୁ କେଉଁ ସମୟ ପର୍ଯ୍ୟନ୍ତ ଏହା ଖୋଲା ରହିବ ତାହା ମଧ୍ୟ ଲେଖାଯାଇଛି।

ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନରସିରାମଙ୍କ ଏହି ଦୋକାନ ଖୋଲା ରହୁଥିବା ବେଳେ ମଝିରେ ୧ ଘଣ୍ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିଥାଏ। ଏଠାରେ ଜର୍ମାନୀ ଜ୍ଞାନକୌଶଳରେ ଜୋତା ମରାମତି କରାଯାଇଥାଏ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

ବ୍ୟବସାୟ ପାଇଁ ନରସିରାମଙ୍କ ଏହି ଚିନ୍ତାଧାରା ଆନନ୍ଦ ମହିନ୍ଦ୍ରାଙ୍କୁ ବେଶ୍ ପ୍ରଭାବିତ କରିଥିଲା। ତେଣୁ ସେ ଟୁଇଟର ପେଜରେ ଉକ୍ତ ବ୍ୟକ୍ତିଙ୍କ ଫଟୋ ଦେଇ ତାଙ୍କୁ ଆଇଆଇଏମରେ ମାର୍କେଟିଂ ବିଷୟରେ ପଢାଇବାକୁ ସୁଯୋଗ ଦେବାକୁ କହିଥିଲେ।

କାରଣ ନରସିରାମ ଯେଉଁଭଳି ଭାବେ କେଉଁଆଡକୁ ନ ଯାଇ ମଧ୍ୟ ନିଜ ବ୍ୟବସାୟର ମାର୍କେଟିଂ କରୁଛନ୍ତି ତାହା ଅନ୍ୟ ମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏପରିକି ତାଙ୍କ ଦୋକାନରେ ଆନନ୍ଦ ମହିନ୍ଦ୍ରା ଟଙ୍କା ନିବେଶ କରିବା କଥା କହିଛନ୍ତି। ଏହାସହ ନରସିରାମଙ୍କୁ ମହିନ୍ଦ୍ରା ଟ୍ରାକ୍ଟରରେ ବୁଲାଇବା ସହ ଫୁଲତୋଡା ଦେଇ ସମ୍ମାନିତ କରାଯାଇଛି।ଆନନ୍ଦ ମହିନ୍ଦ୍ରା ଏହି ଟୁଇଟ ଏପ୍ରିଲ ମାସରେ କରିଥିଲେ। ଏହାର ୪ ମାସ ପରେ ଆନନ୍ଦ ମହିନ୍ଦ୍ରା ନରସିରାମଙ୍କୁ ଏକ ଦୋକାନ ଉପହାର ଦେଇଛନ୍ତି। ଆନନ୍ଦ ମନ୍ଦିଦ୍ରା ନିଜ କମ୍ପାନିର କିଛି ଲୋକଙ୍କୁ ପଠାଇ ନରସିରାମଙ୍କ ଜୀବନଶୈଳୀ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ। ଏହି ଅବସରରେ ତାଙ୍କୁ ଏକ ଦୋକାନ ପାଇଁ ଆର୍ଥିକ ସହଯୋଗ ଲୋଡ଼ା ବୋଲି କହିଥିଲେ ନରସିରାମ। ଆନନ୍ଦ ମହିନ୍ଦ୍ରା ତୁରନ୍ତ ତାଙ୍କୁ ସହଯୋଗ ଯୋଗାଇ ଦେଇଛନ୍ତି।

Comment