ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ କିଛି ଆରମ୍ଭ କରିବା କିମ୍ବା ନୂଆ କିଛି କରି ଦେଖାଇବା ପାଇଁ କେବେ ବି ବୟସ ବାଧକ ସାଜିନଥାଏ। ଜଣେ ଲୋକ କାମ କରିବାକୁ ଇଚ୍ଛା କଲେ ତାଙ୍କ ଆଗରେ ବୟସର ବାର୍ଦ୍ଧକ୍ୟ ମଧ୍ୟ ହାର ମାନିଥାଏ। ଏହାର ଏକ ବଡ଼ ଉଦାହରଣ ସାଜିଛନ୍ତି ଚଣ୍ଡୀଗଡ଼ର ଜଣେ ୯୪ ବର୍ଷୀୟ ମହିଳା।

ଏହି ବୃଦ୍ଧା ମହିଳାଙ୍କ ନାଁ ହେଉଛି ହରଭଜନ କୌର। ବର୍ତ୍ତମାନ ତାଙ୍କର ବୟସ ପାଖାପାଖି ୯୪ ବର୍ଷ। ବ୍ୟବସାୟ କରିବାର ସଠିକ ବୟସ ସେ ଅତିକ୍ରାନ୍ତ କରିଯାଇଥିଲେ ମଧ୍ୟ ତାଙ୍କ ଆତ୍ମବିଶ୍ୱାସ ତାଙ୍କୁ ଆଜି ଏକ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ପ୍ରେରଣା ଯୋଗାଇଛି।୪ ବର୍ଷ ପୂର୍ବେ ହରଭଜନ ତାଙ୍କ ଘରୁ ବେସନରେ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ଏହାକୁ ବିକ୍ରି କରିବା ସହ ନିଜର ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରୁଥିଲେ ହରଭଜନ। ଏହାପରେ ପରେ ତାଙ୍କର ଏହି ମିଠା ପ୍ରସ୍ତୁତ କରିବା ଏକ ଛୋଟ ବ୍ୟବସାୟରେ ପରିଣତ ହୋଇଛି। ବର୍ତ୍ତମାନ ଆଖ ପାଖର ଅନେକ ମିଠା ଦୋକାନ ହରଭଜନଙ୍କ ହାତ ତିଆରି ମିଠାକୁ ନେଇ ତାଙ୍କ ଦୋକାନରେ ରଖିବା ସହ ବ୍ୟବସାୟ କରିବା ଆରମ୍ଭ କରିଦେଇଛନ୍ତି।ତାଙ୍କର ଏହି କାମକୁ କିଛି ଦିନ ତଳେ ଜଣେ ଲୋକ ଟୁଇଟରରେ ଭିଡିଓ କରି ସେଆର କରିଥିଲେ। ଏହାକୁ ସେଆର କରିବା ସମୟରେ ସେ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କୁ ଟ୍ୟାଗ୍ କରିଥିଲେ। ଏହାପରେ ଆନନ୍ଦ ମହିନ୍ଦ୍ରା ମଧ୍ୟ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହାକୁ ସେଆର କରି ସେହି ୯୪ ବର୍ଷୀୟା ମହିଳାଙ୍କୁ ବେଶ୍ ପ୍ରଶଂସା କରିଛନ୍ତି।

Comment