ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧିକାଂଶ ପିଲାଙ୍କ ପାଠପଢ଼ାରେ ବାଧକ ସାଜେ ଅର୍ଥ ଅଭାବ। ଏହି କାରଣରୁ ଅନେକଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଯାଏ। ତେବେ ଏମିତି କିଛି ଗରିବ ପିଲାଙ୍କୁ ପାଠ ପଢ଼ାରେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ହରିୟାଣାର ସନ୍ଦୀପ କୁମାର। ସେ ଏକ ଗାଡ଼ିରେ ଲାଇବ୍ରେରୀ କରି ପିଲାଙ୍କ ପାଖରେ ବହି ପହଞ୍ଚାଉଛନ୍ତି। ତାଙ୍କର ଏହି ମହତ କାମ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ତାଙ୍କର ପ୍ରଶଂସା କରିଛନ୍ତି।

ପ୍ରାୟ ତିନିବର୍ଷ ଧରି ସନ୍ଦୀପ କୁମାର ୨୦ ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଛନ୍ତି। ତାଙ୍କ କାମରେ ପ୍ରଭାବିତ ହୋଇ ୨୦୦ ସ୍ୱେଚ୍ଛାସେବୀ ତାଙ୍କ ସହ ଯୋଡ଼ି ହୋଇଛନ୍ତି, ଯେଉଁମାନେ ତାଙ୍କୁ ସାହାଯ୍ୟ କରୁଛନ୍ତି।

ସନ୍ଦୀପ କୁମାରଙ୍କ ଘର ହରିୟାଣାରେ। ରିପୋର୍ଟ ଅନୁସାରେ ସନ୍ଦୀପ ଯେତେବେଳେ ଜିବିଟି (ଜୁନିଅର ବେସିକ୍‌ ଟ୍ରେନିଂ) ତାଲିମ ନେଉଥିଲେ ସେ ସମୟରେ ସେ ହରିୟାଣାର ଅନେକ ସରକାରୀ ବିଦ୍ୟାଳୟ ଯାଉଥିଲେ। ସେହି ସ୍କୁଲମାନଙ୍କରେ ସରକାରୀ ଯୋଜନା ପହଞ୍ଚି ପାରୁନଥିବା ଦେଖିଥିଲେ। ପିଲାମାନେ ପାଠପଢ଼ାରେ ଅନେକ ସମସ୍ୟା ଭୋଗୁଥିବାରୁ ସେ ପିଲାଙ୍କ ସାହାଯ୍ୟ କରିବାକୁ ମନ ବଳାଇଥିଲେ।  ଏହାପରେ ସେ ଏକ ଭ୍ୟାନରେ ଲାଇବ୍ରେରି କରିଥିଲେ। ବିଭିନ୍ନ ସ୍କୁଲରେ କ୍ୟାମ୍ପ ଲଗାଉଥିଲେ। ଧୀରେ ଧୀରେ ଲୋକ ତାଙ୍କ ସହିତ ଜଡ଼ିତ ହେଲେ।

ଏହାସହିତ ସନ୍ଦୀପ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନମ୍ବରକୁ ସାର୍ବଜନୀନ କରିଥିଲେ। ଯାହାର ବହି ଆବଶ୍ୟକ ସେ ଫୋନ କରି କହିପାରିବେ ବୋଲି ସେ ଘୋଷଣା କରିଥିଲେ। କେବଳ ଏତିକି ନୁହେଁ ଦିବ୍ୟାଙ୍ଗ ଛାତ୍ରମାନଙ୍କ ଅସୁବିଧା ଜାଣି ସେ ବହି ରେକର୍ଡିଂ କରିବା ଆରମ୍ଭ କରିଥିଲେ ସନ୍ଦୀପ।

Comment