ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ମାରାଥନ୍ ପ୍ରଚାର କରିଛନ୍ତି। ଗୁରୁବାର ସେ କରଞ୍ଜିଆ, ଧାମନଗର ଓ ବଡ଼ଚଣାରେ ବିଜେପିର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଥିଲେ। ଏଠାରେ ସେ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରିବା ସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

“ଗତ ୧୦ ବର୍ଷରେ କେନ୍ଦ୍ରରେ ବିଜେପି ସରକାର ସମୟରେ ରାଜନୀତିର ପରିଭାଷା ବଦଳିଛି। ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ଉପରେ ବିଶ୍ଵାସ ରଖିଛନ୍ତି। ହେଲେ ଓଡ଼ିଶାର ପ୍ରଶାସନ ଏବେ କିଏ ଚଳାଉଛି ତାହା କେହି ଜାଣିପାରୁନାହାନ୍ତି। ରାଜ୍ୟର ବିଧାୟକ ଓ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାକୁ ଦିଆଯାଉନି। ରାଜ୍ୟରୁ ଏବେ ଅଧିକ ସଂଖ୍ୟାରେ ଲୋକେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ରାଜ୍ୟର ବିଭିନ୍ନ ସମସ୍ୟା ପାଇଁ ବିଜେଡି ସରକାର ଦାୟୀ। ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଏଠାକାର ସରକାରକୁ ବିଦାୟ ଦେବାକୁ ମନସ୍ଥ କରିଛନ୍ତି”, କହିଛନ୍ତି ଜେପି ନଡ୍ଡା।

ସେ ଆହୁରି ମଧ୍ୟ କହିଛନ୍ତି, “କେନ୍ଦ୍ରରେ ବିଜେପି ସରକାର ସମୟରେ ଭାରତ ବିଶ୍ଵର ପଞ୍ଚମ ବୃହତ ଅର୍ଥନୀତିରେ ପରିଣତ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି। ଓଡ଼ିଶାର କୋଟି କୋଟି ଲୋକ ଏଥିରେ ଉପକୃତ ହେଉଛନ୍ତି। ହେଲେ ଓଡ଼ିଶାରେ ନେତା ଅଫିସରଙ୍କ ଦୁର୍ନୀତି ସବୁ ସୀମା ପାର କରିଛି। ସବୁ ଥାଇ ମଧ୍ୟ ଏଠାରେ ବିକାଶ ହୋଇପାରୁନାହିଁ।”

ଗୁରୁବାର ନିର୍ବାଚନୀ ସମାବେଶରେ ଜେ ପି ନଡ୍ଡା ବିଜେଡିକୁ ଟାର୍ଗେଟ କରିଥିଲେ। ରାଜ୍ୟ ରାଜନୀତିରେ କାହିଁକି ବାହାରର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ଓଡ଼ିଶାରେ ବିଜେପି ସରକାର ଗଠନ ହେଲେ ରାଜ୍ୟକୁ ସବୁ କ୍ଷେତ୍ରରେ ବିକଶିତ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।      

ଜେ ପି ନଡ୍ଡାଙ୍କ ଗସ୍ତକୁ ନେଇ ବିଜେପିର ସ୍ଥାନୀୟ ନେତା ଓ କର୍ମୀ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। କରଞ୍ଜିଆ, ଧାମନଗର ଓ ବଡ଼ଚଣାରେ ହୋଇଥିବା ଏହିସବୁ ସଭାରେ ବିଜେପିର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନେ ଯୋଗ ଦେଇଥିଲେ। ଏହାସହ ଏଠାରେ ଦଳର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।   

Tags: #OdishaAssemblyElections2024 #JPNadda #ElectionCampaign #BJP #Odisha 

LEAVE A REPLY

Please enter your comment!
Please enter your name here