ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଥିବା ବରିଷ୍ଠ ବିଜେପି ନେତ୍ରୀ ସ୍ମୃତି ଇରାନୀ ଶନିବାର ମାରାଥନ୍ ପ୍ରଚାର କରିଛନ୍ତି। ସେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ କେନ୍ଦ୍ରାପଡ଼ାର ଆଳିରେ ବିଜେପିର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଥିଲେ। ଏଠାରେ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

“ଓଡ଼ିଶାରେ ରିମୋଟ୍ କଣ୍ଟ୍ରୋଲରେ ସରକାର ଚାଲିଛି। ଜଣେ ଅଣଓଡ଼ିଆ ରାଜ୍ୟର ଶାସନ ଭାରକୁ ନିଜ କବ୍ଜାରେ ରଖିଛନ୍ତି। ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର କାହା ସହିତ ବି ଭେଟିବାର ସ୍ଵାଧିନତା ନାହିଁ। ବିଜେଡି ଓଡ଼ିଶାକୁ ଜମି, କୋଇଲା, ବାଲି ଓ ଖଣି ମାଫିଆଙ୍କ ହାତରେ ଛାଡ଼ିଦେଇଛି। ଏହାସହ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି ହଜିବା ଘଟଣାକୁ ବିଜେଡି ଜାଣିଶୁଣି ଦବାଇବାକୁ ଚେଷ୍ଟା କରୁଛି। ଓଡ଼ିଶାରେ ବିଜେପି ସରକାର ଆସିଲେ, ଏସବୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”, କହିଛନ୍ତି ସ୍ମୃତି ଇରାନୀ।

ସେ ଆହୁରି ମଧ୍ୟ କହିଛନ୍ତି, “କେନ୍ଦ୍ରରେ ବିଜେପି ସରକାର ଦେଶର ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଓଡ଼ିଶା ସରକାର ସେଗୁଡ଼ିକୁ ରାଜ୍ୟରେ ଲାଗୁ କରିବାକୁ ଦେଉନାହାନ୍ତି। ବିଜେପି ସରକାର ଆସି‌ଲେ, ସୁଭଦ୍ରା ଯୋଜନାରେ ଓଡ଼ିଶାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ଏହାସହ ରାଜ୍ୟର ବିକାଶକୁ ଆମେ ଆହୁରି ତ୍ୱରାନ୍ୱିତ କରିବୁ।”     

ଶନିବାର ନିର୍ବାଚନୀ ସମାବେଶରେ ସ୍ମୃତି ଇରାନୀ ବିଜେଡିକୁ ଟାର୍ଗେଟ କରିଥିଲେ। ରାଜ୍ୟରେ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ କାହିଁକି ଲାଗୁ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଓଡ଼ିଶାରେ ବିଜେପି ସରକାର ଗଠନ ହେଲେ ରାଜ୍ୟକୁ ସବୁ କ୍ଷେତ୍ରରେ ବିକଶିତ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।

ଚଳିତ ନିର୍ବାଚନ ସମୟରେ ଏହା ସ୍ମୃତି ଇରାନୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ, ଏନେଇ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। କୁଜଙ୍ଗ ଓ ଆଳିରେ ହୋଇଥିବା ଏହିସବୁ ସଭାରେ ବିଜେପିର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନେ ଯୋଗ ଦେଇଥିଲେ। ଏହାସହ ଏଠାରେ ଦଳର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।   

Tags: #OdishaAssemblyElections2024 #SmritiIrani #ElectionCampaign #BJP #Odisha 

LEAVE A REPLY

Please enter your comment!
Please enter your name here