ଓଡ଼ିଶାଲାଇଭ୍ ବ୍ୟୁରୋ

ନରେନ୍ଦ୍ର ମୋଦୀଙ୍କ ତୃତୀୟ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଶାର ୩ ଜଣ ନେତା ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଓ ଜୁଏଲ ଓରାମ। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ତେବେ ଧର୍ମେନ୍ଦ୍ର ପ୍ରଧାନ କ୍ରମାଗତ ତୃତୀୟଥର ପାଇଁ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ହୋଇଛନ୍ତି। ୨୦୧୪ ମସିହାରେ ସେ ନରେନ୍ଦ୍ର ମୋଦୀଙ୍କ ସରକାରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ତଥା ଦକ୍ଷତା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୧୯ ମସିହାରେ ତାଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଦାୟିତ୍ଵ ମିଳିଥିଲା।  

ପୂର୍ବରୁ ସେ ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇ ମନ୍ତ୍ରୀ ପଦ ପାଇ ଆସୁଥିଲେ। ହେଲେ ଏଥର ସେ ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହୋଇ ମନ୍ତ୍ରୀ ହୋଇଛନ୍ତି।  

ସେହିପରି ଅଶ୍ଵିନୀ ବୈଷ୍ଣବ ୨୦୧୯ ମସିହାରେ ନରେନ୍ଦ୍ର ମୋଦୀଙ୍କ କ୍ୟବିନେଟରେ ସାମିଲ ହୋଇଥିଲେ। ତାଙ୍କୁ ରେଳ ଏବଂ ଆଇଟି ଓ କମ୍ୟୁନିକେସନ ଭଳି ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ଵ ମିଳିଥିଲା। ସେ ଏବେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଛନ୍ତି।

ଅନ୍ୟପଟେ ରାଜ୍ୟର ଅନ୍ୟତମ ହେଭିୱେଟ୍ ନେତା ଜୁଏଲ ଓରାମ ତୃତୀୟଥର ପାଇଁ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ୧୯୯୯ ମସିହାରେ ଅଟଳବିହାରୀ ବାଜପେୟୀଙ୍କ ସରକାରରେ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଥିଲେ। ସେତେବେଳେ ପ୍ରଥମକରି ଗଠିତ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରାଳୟର ଦାୟିତ୍ଵ ତାଙ୍କୁ ମିଳିଥିଲା।

ଏହାପରେ ଜୁଏଲ ଓରାମ ୨୦୧୪ ମସିହାରେ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ସରକାରରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରାଳୟର ମନ୍ତ୍ରୀ ହୋଇଥିଲେ। ତେବେ ୨୦୧୯ ମସିହାରେ ମୋଦୀଙ୍କ ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳିନଥିଲା।

ତେବେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ଓଡ଼ିଶାର ଏହି ୩ ନେତାଙ୍କୁ ଏଥର କେଉଁ ମନ୍ତ୍ରାଳୟ ମିଳିବ ତାହା ସ୍ପଷ୍ଟ ହୋଇନି। ଏନେଇ ଆଗକୁ ସୂଚନା ମିଳିବ।

Tags: #NarendraModi #PMOIndia #DharmendraPradhan #AshwiniVaishnaw #JuelOram #CabinetMinisters #OathTaking #India  

LEAVE A REPLY

Please enter your comment!
Please enter your name here