ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିଜେପିର ନୂଆ ସରକାର ଗଠନ ହେବା କ୍ଷଣି ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ନୂଆ ସରକାର ରାଜ୍ୟରେ ଦୁର୍ନୀତି କରିଥିବା ସବୁ ଲୋକଙ୍କ ହିସାବ ନେବ ବୋଲି ସେ କହିଛନ୍ତି। ଏହାସହ ଆସନ୍ତାକାଲିଠୁ ବିଜେପି ନିଜର ଖେଳ ଆରମ୍ଭ କରିବ ବୋଲି କହିଛନ୍ତି ପ୍ରଶାନ୍ତ।

“ଓଡ଼ିଶାରେ ଏବେ ବିଜେପି ସରକାର ଗଢ଼ିଛି। କାଲିଠୁ ବିଜେପି ନିଜର ଖେଳ ଆରମ୍ଭ କରିବ। ସରକାର ରାଜ୍ୟରେ ବିକାଶ ପାଇଁ କାମ କରିବା ସହ ଗତ ୨୫ ବର୍ଷରେ ହୋଇଥିବା ସବୁ ଦୁର୍ନୀତିର ହିସାବ ନେବେ। ଦୁର୍ନୀତି କରିଥିବା ଲୋକଙ୍କ କଥା ବିଚାରକୁ ନିଆଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ଭଳି ପ୍ରସଙ୍ଗକୁ ଆମେ ସମାଧାନ କରିବୁ। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସବୁବେଳେ କାମ କରିବୁ।” କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଭାରତୀୟ ଜନତା ପାର୍ଟିର ଜଗୁଆଳି। ସେହି ହିସାବରେ କାମ କରିବି। ମନ୍ତ୍ରୀ ହୋଇଥିଲେ କେବଳ ଗୋଟିଏ ସ୍ଥାନରେ ସୀମିତ ହୋଇଯାଇଥାନ୍ତି।”   

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ଖୋର୍ଦ୍ଧା ଆସନରୁ ପ୍ରାର୍ଥୀ କରିଥିଲା ବିଜେପି। ସେ ଏଠାରୁ ୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।  

ପୂର୍ବରୁ ବିଜେଡିରେ ଥିବା ସମୟରେ ପ୍ରଶାନ୍ତ ଜଗଦ୍ଦେବ ଅନେକଥର ବିବାଦୀୟ ମନ୍ତବ୍ୟ ଦେଇଥିବାର ଉଦାହରଣ ରହିଛି। ତେବେ ବୁଧବାର ବିଜେପି ସରକାର ଗଠନ ସମୟରେ ସେ ପୁଣି ଏହିଭଳି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି।  

Tags: #NewCMofOdisha #OathTakingCeremony #OdishaElections2024 #PrasantJagdev #BJP #Khordha

Comment