ପ୍ରଣତୀ ପରିଡ଼ା
ରାମୋଜୀ ରାଓ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ। ଦୃଢ଼ତା, କର୍ମ ତତ୍ପରତା, ଶୃଙ୍ଖଳା ଓ ନୈତିକତାର ଅନନ୍ୟ ଉଦାହରଣ। ସାମ୍ବାଦିକତା କ୍ଷେତ୍ରରେ ସେ ଯେଉଁ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କରିଛନ୍ତି, ତାହା ଅନନ୍ୟ। ୫୦ ବର୍ଷରୁ ଅଧିକ ସମୟ କାଳ ମଧ୍ୟରେ ଟେକ୍ନୋଲୋଜି, ଚଳଣି, ସାମାଜିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସହ ତାଳ ଦେଇ ସେ ତାଙ୍କର କାର୍ଯ୍ୟ କ୍ଷେତ୍ରରେ ଅଗ୍ରଣୀ ହୋଇ ରହିଆସିଛନ୍ତି।
ରାମୋଜୀ ରାଓଙ୍କ ସହିତ କାମ କରିଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କର ଅନୁଭୂତି ପାଇଁ ଗର୍ବିତ ଅନୁଭବ କରନ୍ତି। ଟେଲିଭିଜନ୍ କ୍ଷେତ୍ରରେ ଆଞ୍ଚଳିକ ଭାଷାରେ ଚ୍ୟାନେଲ ଆରମ୍ଭ କରି ସମଗ୍ର ଭାରତବାସୀଙ୍କୁ ମାତୃଭାଷାରେ ଖବର ସହିତ ମନୋରଞ୍ଜନ ଉପଭୋଗ କରିବାର ସୁଯୋଗ ଆଣିଦେଇଥିଲେ ରାମୋଜୀ।
ପ୍ରିଣ୍ଟ, ଟେଲିଭିଜନଠାରୁ ଡିଜିଟାଲ୍ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ତାଙ୍କର ଯୋଗଦାନ ଅତୁଳନୀୟ। ଚାଷୀ, ସମାଜର ବିଭିନ୍ନ ବର୍ଗ, ମହିଳା, ଶିଶୁ ତଥା ବିଭିନ୍ନ ସାମାଜିକ କ୍ଷେତ୍ର ଯେପରିକି ସ୍ୱାସ୍ଥ୍ୟ, ଶିକ୍ଷା, ମନୋରଞ୍ଜନ ପ୍ରତିଟି କ୍ଷେତ୍ରକୁ ସେ ଗୁରୁତ୍ୱ ଦେଇଛନ୍ତି। ତାଙ୍କର ଗଣମାଧ୍ୟମ କେବେ ବି କ୍ଷମତାଶାଳୀଙ୍କର ଅଧୀନ ନଥିଲା।
ଆନ୍ଧ୍ରପ୍ରଦେଶର ଏକ ସାଧାରଣ ଗାଁର ଚାଷୀ ପରିବାରରେ ଜନ୍ମ ନେଇଥିଲେ ରାମୋଜୀ ରାଓ। ଅଭାବ, ଅନଟନ, ସଂଘର୍ଷ ମଧ୍ୟରେ କଟିଥିଲା ତାଙ୍କର ପିଲାଦିନ। କିନ୍ତୁ ତାଙ୍କର ଦୃଢ଼ ମନୋବଳ ଯୋଗୁଁ ସେ ପିଲାଦିନରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ସମସ୍ତ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ବିଜୟୀ ହୋଇଥିଲେ।
ଏକ ସମୟରେ ୨୦୦ ଟଙ୍କା ଦେଇ ସାଇକେଲ କିଣିବାକୁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। କିନ୍ତୁ ତାଙ୍କ ଉଦ୍ୟମରେ ଏବେ ହଜାର ହଜାର ଲୋକ ଜୀବିକା ଅର୍ଜନ କରୁଛନ୍ତି। ୧୯୬୨ ମସିହାରୁ ମାର୍ଗଦର୍ଶୀ ଆରମ୍ଭଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ ତାଙ୍କର ଦୀର୍ଘ ଦିନର କର୍ମଠ ଜୀବନ ସାରା ଭାରତର କଳା ଓ ସଂସ୍କୃତିକୁ ସମୃଦ୍ଧ କରିଛି। ମୁଦ୍ରଣର ଆରମ୍ଭଠାରୁ ଟିଭି ଚ୍ୟାନେଲର ପ୍ରସାର ତଥା ଡିଜିଟାଲ୍ ମାଧ୍ୟମର ପ୍ରବେଶ, ଉଷା କିରଣ ମୁଭିଜ୍, ମୟୂରୀ ଡିଷ୍ଟ୍ରିବ୍ୟୁଟର୍ସ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେ ନିଜର ଦୃଢ଼ ସ୍ୱାକ୍ଷର ଛାଡ଼ି ଯାଇଛନ୍ତି। ଇନାଡ଼ୁ, ଇଟିଭିର ବିଭିନ୍ନ ଚ୍ୟାନେଲ ପରେ ଇଟିଭି ଭାରତର ବିଭିନ୍ନ ଭାଷାର ଡିଜିଟାଲ୍ ଚ୍ୟାନେଲ ତାଙ୍କର ଅବଦାନ।
ସାମ୍ବାଦିକତା, ସାହିତ୍ୟ ତଥା ସିନେମା କ୍ଷେତ୍ରରେ ତାଙ୍କର ଯୋଗଦାନ ଅତୁଳନୀୟ। ବାରମ୍ବାର ରାଜନୈତିକ ଆକ୍ରୋଶର ଶିକାର ହୋଇଥିଲେ ମଧ୍ୟ ସେ ହାର ମାନିନଥିଲେ। ବାରମ୍ବାର ତାଙ୍କୁ ଅପମାନିତ କରିବା ପାଇଁ, ତାଙ୍କର ମାନହାନି ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ସେ ଦୃଢ଼ତାର ସହ ସେସବୁର ସମ୍ମୁଖୀନ ହୋଇଥିଲେ। ସେ ତାଙ୍କର ମୃତ୍ୟୁ ପୂର୍ବରୁ ଏକ ଇଚ୍ଛାପତ୍ରରେ ଲେଖି ଯାଇଛନ୍ତି ଯେ ତାଙ୍କ ପରେ ତାଙ୍କ ଅନୁଷ୍ଠାନର ଦାୟିତ୍ୱ ତାଙ୍କ କର୍ମଚାରୀମାନେ ନିଷ୍ଠାର ସହ ବହନ କରିବେ। ଏବଂ ରାମୋଜୀ ରାଓଙ୍କର ମହାନ୍ ପରମ୍ପରାକୁ ଭବିଷ୍ୟତରେ ଆହୁରି ଅଧିକ ଗୌରବମୟ କରିବେ।
ରାମୋଜୀ ରାଓଙ୍କର ଦେହାନ୍ତ କେବଳ ଆନ୍ଧ୍ରପ୍ରଦେଶ ନୁହେଁ ସାରା ଭାରତରେ ଶୋକର ଛାୟା ଖେଳାଇ ଦେଇଛି। ଜଣେ ସାଧାରଣ ମଣିଷର ଉଦ୍ୟମ କେତେ ବିଶାଳ ଭଲ ପାଇବାର ପରିସର ସୃଷ୍ଟି କରିପାରେ ତା’ର ଉଦାହରଣ ରାମୋଜୀ ରାଓ। ତାଙ୍କର ନୀତି, ଆଦର୍ଶ, କର୍ମଚାରୀଙ୍କ ପ୍ରତି ଗଭୀର ଦାୟିତ୍ୱବୋଧ ଏବଂ ସାମ୍ବାଦିକ ଭାବରେ ନିଜର ଦାୟିତ୍ୱ ପୂରଣ ପାଇଁ ଅଦମ୍ୟ ମନୋବଳ ଆଗାମୀ ପିଢ଼ି ପାଇଁ ଚିରକାଳ ପ୍ରେରଣା ହୋଇ ରହିବ।
Tags: #RamojiRao #MediaTycoon #RamojiGroup #ETVNetwork #India