ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଏବେ ବିଜ୍ଞାପନକୁ ନେଇ ନୂଆ ନିୟମ ଲାଗୁ ହୋଇଛି। କୌଣସି ବିଜ୍ଞାପନର ପ୍ରକାଶନ କିମ୍ବା ପ୍ରସାରଣ ପୂର୍ବରୁ ବିଜ୍ଞାପନଦାତା ଓ ବିଜ୍ଞାପନ ଏଜେନ୍ସି ସ୍ୱ-ଘୋଷଣା (ସେଲ୍ଫ ଡିକ୍ଲାରେସନ୍) ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜୁନ୍ ୧୮ ତାରିଖରୁ ଏହି ନିୟମ ଲାଗୁ ହୋଇଛି।
ବିଜ୍ଞାପନରେ ବିଭ୍ରାନ୍ତିକର ଦାବି ବନ୍ଦ କରିବା ଏବଂ ଏହାର ପ୍ରସାରଣ ଓ ପ୍ରକାଶନ କ୍ଷେତ୍ରରେ କେବୁଲ ଟେଲିଭିଜନ ନେଟୱାର୍କ ନିୟମ ୧୯୯୪ ଏବଂ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସାମ୍ବାଦିକତା ଆଚରଣ ସଂହିତା ସମେତ ସମସ୍ତ ପ୍ରାସଙ୍ଗିକ ନିର୍ଦ୍ଦେଶାବଳୀକୁ ପାଳନ କରାଯାଇଛି ବୋଲି ଦର୍ଶାଇବା ଉଦ୍ଦେଶ୍ୟରେ ସ୍ୱ-ଘୋଷଣା ପ୍ରମାଣପତ୍ରକୁ ଆରମ୍ଭ କରାଯାଇଛି।
ସୁପ୍ରିମକୋର୍ଟ ୨୦୨୪ ମେ’ ୭ ତାରିଖରେ ବିଜ୍ଞାପନ ପ୍ରସାରଣ ସମ୍ବନ୍ଧୀୟ ରିଟ୍ ପିଟିସନର ଶୁଣାଣି କରି ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲକୁ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଟିଭି ଓ ରେଡିଓ ବିଜ୍ଞାପନ ପାଇଁ ପ୍ରସାରଣ ସେବା ପୋର୍ଟାଲରେ ଏବଂ ପ୍ରିଣ୍ଟ ଓ ଡିଜିଟାଲ ତଥା ଇଣ୍ଟରନେଟ୍ ବିଜ୍ଞାପନ ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ପୋର୍ଟାଲରେ ଏକ ନୂଆ ଫିଚର ଆରମ୍ଭ ହୋଇଛି। ବିଜ୍ଞାପନଦାତା ତଥା ବିଜ୍ଞାପନ ଏଜେନ୍ସିର ଜଣେ ଅଧିକୃତ ପ୍ରତିନିଧିଙ୍କ ଦ୍ୱାରା ସ୍ୱାକ୍ଷରିତ ସ୍ୱ-ଘୋଷଣା ପ୍ରମାଣପତ୍ର ଏହି ପୋର୍ଟାଲ ମାଧ୍ୟମରେ ଦାଖଲ କରିବା ଆବଶ୍ୟକ।
ଏହି ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ଜୁନ୍ ୪ ତାରିଖରୁ ଆରମ୍ଭ ହୋଇଥିଲା। ବୈଧ ସ୍ୱ-ଘୋଷଣା ପ୍ରମାଣପତ୍ର ବିନା ଟେଲିଭିଜନ, ପ୍ରିଣ୍ଟ ମିଡିଆରେ କୌଣସି ବିଜ୍ଞାପନ ଚଳାଇବାକୁ ଅନୁମତି ମିଳିବ ନାହିଁ। ଏନେଇ ବିଜ୍ଞାପନଦାତା ଏବଂ ବିଜ୍ଞାପନ ଏଜେନ୍ସିମାନଙ୍କୁ ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
Tags: #Advertisement #Advertisers #AdvertisingAgencies #I&BMinistry #SupremeCourt #India