ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏଠାରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ନୀତି ଏବଂ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟ ବିଷୟରେ ନିଜ ସମ୍ବୋଧନରେ କଥା ରଖିଥିଲେ।

ଗୁରୁବାର ସକାଳେ ରାଷ୍ଟ୍ରପତି ନିଜ ଅଙ୍ଗରକ୍ଷୀମାନଙ୍କ ଗହଣରେ ରାଷ୍ଟ୍ରପତି ଭବନରୁ ବାହାରି ସଂସଦରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ଉପରାଷ୍ଟ୍ରପତି ଜଗଦୀପ ଧନକଢ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରମୁଖ ସ୍ଵାଗତ କରିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ନବ ନିର୍ବାଚିତ ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ। ସେ କହିଥିଲେ, “ମୁଁ ୧୮ତମ ଲୋକସଭାର ସମସ୍ତ ନବନିର୍ବାଚିତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି। ଆପଣ ସମସ୍ତେ ଦେଶର ଭୋଟରଙ୍କ ବିଶ୍ୱାସ ଜିତି ଏଠାକୁ ଆସିଛନ୍ତି। ଆପଣମାନେ ନିଜର କର୍ତ୍ତବ୍ୟ ପୂରଣ କରିବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ଅଛି।”

ସେ ଆହୁରି ମଧ୍ୟ କହିଥିଲେ, “ଭାରତରେ ଏତେ ବଡ଼ ନିର୍ବାଚନର ପରିଚାଳନା କରିଥିବାରୁ ମୁଁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ କୃତଜ୍ଞତା ଜଣାଉଛି। ଏହା ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ ଥିଲା। ଏଥର ଜମ୍ମୁ କଶ୍ମୀର ସମେତ ଦେଶର ବିଭିନ୍ନ ସ୍ଥାନରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି। ଯାହାଦ୍ୱାରା ଦେଶରେ ପୁଣି ଏକ ସ୍ଥିର ସରକାର ଗଠନ ହୋଇଛି। ଏହା ଦେଶର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବ।”

ରାଷ୍ଟ୍ରପତି ଦେଶର ଅର୍ଥନୈତିକ ଅବସ୍ଥା ବିଷୟରେ କହିଥିଲେ, “ଭାରତ ୨୦୧୪ ମସିହାରେ ବିଶ୍ଵର ୧୧ତମ ଅର୍ଥନୀତି ଥିଲା। ଏବେ ଭାରତ ବିଶ୍ଵର ପଞ୍ଚମ ବୃହତ ଅର୍ଥନୀତି ପାଲଟିଥିବାବେଳେ ଆଗକୁ ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି। ଦେଶର ଗ୍ରାମାଞ୍ଚଳରେ ୩ ଲକ୍ଷ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ ହୋଇଛି। ସେହିପରି ଉତ୍ତର-ପୂର୍ବ ରାଜ୍ୟର ବିକାଶ ୪ ଗୁଣା ବଢ଼ିଛି। ଏବେ ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ କରିବା ଦିଗରେ ଯୋଜନା କରାଯାଉଛି। ଏହାସହ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ଚାଲିଛି।”

ସେହିପରି ରାଷ୍ଟ୍ରପତି ନିଜ ସମ୍ବୋଧନରେ ଭାରତର କୃଷି ଓ କୃଷକମାନଙ୍କ ବିକାଶ, ସାମାଜିକ କଲ୍ୟାଣ ତଥା ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ଵ ଦେଇଥିଲେ।

୧୮ତମ ଲୋକସଭାର ପ୍ରଥମ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହାର ପ୍ରଥମ ଦୁଇ ଦିନରେ ନବ ନିର୍ବାଚିତ ସାଂସଦମାନେ ଶପଥ ନେଇଥିଲେ। ଏହାପରେ ବୁଧବାର ଲୋକସଭାରେ ବାଚସ୍ପତି ନିର୍ବାଚନ ହୋଇଥିଲା। ଅନ୍ୟପଟେ ଗୁରୁବାରଠାରୁ ରାଜ୍ୟସଭାର ଅଧିବେଶନ ମଧ୍ୟ ଆରମ୍ଭ ହୋଇଛି।    

Tags: #PresidentDroupadiMurmu #Parliament #Loksabha #RajyaSabha #India

LEAVE A REPLY

Please enter your comment!
Please enter your name here