ଅଭିଷେକ ରାୟ

ଆଫଗାନିସ୍ତାନରେ ମହିଳା ଓ ଝିଅମାନଙ୍କ ଉପରେ ତାଲିବାନୀ ଅତ୍ୟାଚାରର ହଜାରେ ଦିନ।  

ଆଫଗାନିସ୍ତାନରେ ତାଲିବାନ ଶାସନକୁ ନିକଟରେ ୧୦୦୦ ଦିନ ପୂରିଛି। ତେବେ ଏହି ଅବଧି ମଧ୍ୟରେ ସେଠାରେ ମହିଳାମାନଙ୍କ ସ୍ଵାଧୀନତା ଏକ ପ୍ରକାର ଉଭାନ ହୋଇଯାଇଛି। ଦେଶର ସାମାଜିକ, ଅର୍ଥନୈତିକ, ଶିକ୍ଷା ଏବଂ ରାଜନୈତିକ ଭଳି ସବୁ କ୍ଷେତ୍ରରେ ପ୍ରତିବନ୍ଧକ ସହ ମହିଳା ଓ ଝିଅମାନେ ସଂଘର୍ଷ କରୁଛନ୍ତି। ତାଲିବାନର ରକ୍ଷଣଶୀଳ ଚିନ୍ତାଧାରା ଆଗରେ ସେମାନଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି।

୨୦୨୧ରେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଅପସାରଣ ପରେ ତାଲିବାନ ସେଠାରେ କ୍ଷମତାକୁ ଆସିଥିଲା। ଏହାପରେ ତାଲିବାନ ଶରିୟା ଆଇନ ଅନୁସାରେ ଗୋଟିଏ ପରେ ଗୋଟେ ମହିଳା ବିରୋଧୀ ନିୟମ ଆଣିବାକୁ ଲାଗିଲା। ପ୍ରଥମେ ମହିଳାଙ୍କ ବୁର୍କା ପିନ୍ଧିବାକୁ କଠୋରତାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ତାଲିବାନ ପରେ ସେମାନଙ୍କ ଚାକିରି କରିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା। ଏହାସହ ସେମାନଙ୍କୁ ଏକାକୀ ବାହାରକୁ ଯିବା ପାଇଁ ବାରଣ କରାଯାଇଛି।  

ଝିଅମାନଙ୍କ ଉଚ୍ଚଶିକ୍ଷା ଉପରେ ରୋକ

ତେବେ ମହିଳାମାନଙ୍କ ବିରୋଧରେ ତାଲିବାନର ବ୍ୟଭିଚାରର ସୀମା କେବଳ ଏତିକିରେ ସରି ଯାଇନଥିଲା। ଆଫଗାନିସ୍ତାନରେ କ୍ଷମତା ମଜଭୁତ କରିବା ପରେ ଝିଅମାନଙ୍କ ଉଚ୍ଚଶିକ୍ଷା ଉପରେ ରୋକ ଲଗାଇଦେଇଥିଲା ତାଲିବାନ। ସେମାନଙ୍କୁ ଷଷ୍ଠ ଶ୍ରେଣୀରୁ ଅଧିକ ପାଠ ପଢ଼ା ପାଇଁ ବାରଣ କରାଯାଇଥିଲା। ଏହାସହ ସ୍କୁଲରେ ପୁଅ ଓ ଝିଅଙ୍କୁ ଅଲଗା ଅଲଗା କରି ପଢ଼ାଇବା ପାଇଁ ତାଲିବାନୀ ଫରମାନ ଜାରି ହୋଇଥିଲା।

ଅନ୍ୟପଟେ ନିଜର ଅଧିକାର ପାଇଁ ସ୍ଵର ଉତ୍ତୋଳନ କରୁଥିବା ମହିଳାଙ୍କ ପ୍ରତି ତାଲିବାନ କଡ଼ା ଚେତାବନୀ ଜାରି କରିଛି। ତାଲିବାନକୁ ବିରୋଧ କରୁଥିବା ମହିଳାଙ୍କୁ ଚାବୁକ ମାଡ଼ ଦିଆଯିବା ସହ ପଥର ଫିଙ୍ଗି ହତ୍ୟା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ବଢୁଛି ବାଲ୍ୟ ବିବାହ

ମହିଳାମାନଙ୍କ କ୍ଷେତ୍ରରେ କଠୋର ନିୟମ ଜାରି କରିଥିବା ତାଲିବାନର ଶାସନ ସମୟରେ ଆଫଗାନିସ୍ତାନରେ କୁନି ଝିଅମାନଙ୍କ ପିଲା ଦିନର ସମୟ ବଳି ପଡ଼ିଯିବାର ଦେଖିବାକୁ ମିଳିଛି। ଏହାର କାରଣ ହେଲା ଗତ ୩ ବର୍ଷରେ ଦେଶରେ ବଢୁଥିବା ବାଲ୍ୟ ବିବାହର ସଂଖ୍ୟା। ଝିଅମାନଙ୍କୁ ପାଠପଢ଼ାରୁ ବଞ୍ଚିତ କରି ସେମାନଙ୍କୁ ଛୋଟ ବୟସରୁ ବିବାହ ଜାଲରେ ବାନ୍ଧି ଦିଆଯାଉଛି।

ଆଫଗାନିସ୍ତାନରେ ବାଲ୍ୟ ବିବାହ ସହ ବହୁ ମାତ୍ରାରେ କମ ବୟସର ଝିଅମାନେ ମା’ ହେଉଥିବାର ମଧ୍ୟ ନଜର ଆସୁଛି। ଯେଉଁ ଝିଅମାନେ ନିଜର ପିଲାଦିନକୁ ଠିକ୍ ଭାବେ ବୁଝି ପାରିନାହାନ୍ତି, ସେମାନେ ଆଜି ନିଜର ପିଲା ସମ୍ଭାଳିବା ସହ କେବଳ ଘର କାମରେ ଲିପ୍ତ ରହୁଛନ୍ତି। ଯେପରି ଲାଗୁଛି ସେଠାରେ ମାନବିକତା ବୋଧ ହୁଏ ଶେଷ ହୋଇଯାଇଛି।

ଅଭାବ ଓ ଅନଟନରୁ ବଞ୍ଚିବା ପାଇଁ ଝିଅଙ୍କୁ ବିକୁଛନ୍ତି ପରିବାର

ଆଫଗାନିସ୍ତାନରେ ୨୦୦୨ରୁ ୨୦୨୧ ମସିହା ମଧ୍ୟରେ ତାଲିବାନ ଶାସନ ନଥିବାବେଳେ ଦେଶର ଆର୍ଥିକ ଅବସ୍ଥା ଟିକେ ସ୍ଵଚ୍ଛଳ ଥିଲା। ଲୋକେ ନିଜ ରୋଜଗାରରେ ପରିବାର ପୋଷଣ କରିବାରେ ବହୁ ମାତ୍ରାରେ ସକ୍ଷମ ହେଉଥିଲେ। ତେବେ ୨୦୨୧ରେ ତାଲିବାନ କ୍ଷମତା ଆସିବା ପରେ ଦେଶର ଆର୍ଥିକ ସ୍ଥିତି ବହୁ ମାତ୍ରାରେ ଖରାପ ହୋଇଥିଲା। ଅନେକ ଲୋକଙ୍କ ରୋଜଗାର ଚାଲିଯିବାରୁ ସେମାନେ ଦାରିଦ୍ର୍ୟ ରେଖାରୁ ତଳକୁ ଖସି ଯାଇଥିଲେ।

ଏହାରି ମଧ୍ୟରେ ଆଫଗାନିସ୍ତାନରେ ଆସିଥିବା ଏକଧିକ ବନ୍ୟା ଓ ଭୂମିକମ୍ପ ଦେଶର ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗି ଦେଇଛି। ଏଥିରୁ ଗରିବ ଅଫଗାନୀ ପରିବାର ସିଧାସଳଖ ଭାବେ ପ୍ରଭାବିତ ହୋଇଛି। ତେବେ ଭରଣ ପୋଷଣ ପାଇଁ ଏହି ଭଳି ପରିବାର ନିଜର କୁନି ଝିଅମାନଙ୍କୁ ଧନୀ ଲୋକଙ୍କୁ ବିକି ଟଙ୍କା ଅଣୁଥିବାର ହୃଦୟ ବିଦାରକ ଦୃଶ୍ୟ ଅନେକ ମାତ୍ରାରେ ଦେଖିବାକୁ ମିଳୁଛି।

“ଆଫଗାନିସ୍ତାନରେ ଅଧିକାରିକ ଭାବେ ୧୫ ଲକ୍ଷରୁ ଅଧିକ ଝିଅଙ୍କ ଶିକ୍ଷାର ଅଧିକାରକୁ କଠୋରତାର ସହ ଦବାଇ ଦିଆଯାଇଛି। ସାମାଜିକ ସ୍ତରରେ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ସୁଯୋଗ ବହୁ ମାତ୍ରାରେ ହ୍ରାସ ପାଇଛି। ଏହା ସେମାନଙ୍କୁ ମାନସିକ ସ୍ତରରେ ବହୁତ ପଛକୁ ଠେଲି ଦେଇଛି”, କହିଛନ୍ତି ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କ୍ୟାଥେରିନ ରସେଲ।

ସେ ଆହୁରି ମଧ୍ୟ କହିଛନ୍ତି, “ରାଜନୈତିକ ସ୍ଵାର୍ଥ ହାସଲ ପାଇଁ ମହିଳା ଓ ଝିଅମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା କଦାପି ଗ୍ରହଣୀୟ ନୁହେଁ। ଏହି ପ୍ରତିବନ୍ଧ କେବଳ ସେମାନଙ୍କର ନୁହେଁ ବରଂ ଆଫଗାନିସ୍ତାନର ଭବିଷ୍ୟତ ପାଇଁ ମଧ୍ୟ ବହୁତ କ୍ଷତିକାରୀ ସାବ୍ୟସ୍ତ ହେବ। ଏଠାରେ ମହିଳାମାନଙ୍କ ଅଧିକାର ପୁନଃ ସ୍ଥାପନ ପାଇଁ ଆମେ ଅନ୍ତର୍ଜାତୀୟ ସ୍ତରରେ ସହଯୋଗ କାମନା କରୁଛୁ।”

କାହିଁକି ଚୁପ୍ ଜାତିସଂଘ

ଆଫଗାନିସ୍ତାନରେ ତାଲିବାନ ଆସିବା ପରେ ମହିଳା ଓ ଝିଅମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଜାତିସଂଘ ଏଯାଏଁ କୌଣସି ବିଶେଷ ପଦକ୍ଷେପ ନେଇନାହିଁ। ଏଭଳି ଏକ ସଙ୍କଟ ସମୟରେ ଜାତିସଂଘ କାହିଁକି ଚୁପ୍ ବସିଛି ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  

ଏହାରି ମଧ୍ୟରେ କତାରର ରାଜଧାନୀ ଦୋହାରେ ଜାତିସଂଘ ଏବଂ ୨୨ଟି ଦେଶରୁ ଆସିଥିବା ରାଷ୍ଟ୍ରଦୂତଙ୍କ ସହ ତାଲିବାନର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଜୁନ୍ ୩୦ ଓ ଜୁଲାଇ ୧ ତାରିଖରେ ହେବାକୁ ଥିବା ଏହି ବୈଠକରେ ଆଫଗାନିସ୍ତାନରୁ ଜଣେ ବି ମହିଳା ସାମିଲ ହେବେ ନାହିଁ। ତେବେ ତାଲିବାନର ଏହି ନିଷ୍ପତ୍ତିକୁ ବିରୋଧ ନକରିବାରୁ ଜାତିସଂଘକୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଆଫଗାନିସ୍ତାନରେ ମହିଳାଙ୍କ ଅଧିକାର ସୁନିଶ୍ଚିତ କରିବାକୁ ସବୁ ମହଲରୁ ଦାବି ଉଠିଛି।

ଅନ୍ୟପଟେ ୨୦୨୧ ମସିହାରେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିଥିଲେ ମଧ୍ୟ କୌଣସି ଦେଶ ଆନୁଷ୍ଠାନିକ ଭାବରେ ସେମାନଙ୍କୁ ସ୍ଵୀକୃତି ଦେଇନାହାଁନ୍ତି। ଏନେଇ ତାଲିବାନ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ବହୁ ଉଦ୍ୟମ କରାଯାଉଛି। ତେବେ ଯେ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ମହିଳା ଓ ଝିଅଙ୍କ ଶିକ୍ଷା ଏବଂ ନିଯୁକ୍ତି ଉପରେ ପ୍ରତିବନ୍ଧକ ରହିବ, ସେ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ତାଲିବାନ ସରକାରକୁ ସ୍ଵୀକୃତି ମିଳିବା ଅସମ୍ଭବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି।

Tags: #Afghanistan #WomenRights #GirlChildEducation #TalibanRegime #UNICEF #UN

LEAVE A REPLY

Please enter your comment!
Please enter your name here