ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ବନ୍ଦରରେ ଶୁକ୍ରବାର ଲାଗିଛି ଏକ ବିଶାଳ ପଣ୍ୟବାହୀ ଜାହାଜ। ଏବେ ଯାଏଁ ଭାରତର ବିଭିନ୍ନ ବନ୍ଦରକୁ ଆସିଥିବା ଜାହାଜଗୁଡ଼ିକ ମଧ୍ୟରେ ଏହା ସବୁଠାରୁ ଅଧିକ ପରିମାଣରେ ଖଣିଜ ପଦାର୍ଥ ପରିବହନ କରି ଆସିଛି। ଜାହାଜର ନାମ ରହିଛି ‘ଏମ.ଭି. ହୁଆହାଇନ’।

ଜାହାଜଟି ପଶ୍ଚିମ ଆଫ୍ରିକୀୟ ଦେଶ ଗାବୋନରୁ ୧ ଲକ୍ଷ ୯୯ ହଜାର ଟନ ମାଙ୍ଗାନିଜ ନେଇ ବିଶାଖାପାଟଣାରେ ପହଞ୍ଚିଥିଲା। ଏଠାରେ ଜାହାଜରୁ ୧ ଲକ୍ଷ ୨୪ ହଜାର ୫୦୦ ଟନ ମାଙ୍ଗାନିଜ ଅନଲୋଡ କରାଯିବ। ଏହି ଜାହାଜର ଲମ୍ବ ହେଉଛି ୩୦୦ ମିଟର, ଚଉଡ଼ା ୫୦ ମିଟର ଏବଂ ଏହାର ୧୮.୪୬ ମିଟରର ଡ୍ରାଫ୍ଟ ରହିଛି।

“ଏତେ ବଡ଼ ମାଲବାହୀ ଜାହାଜ ଏହା ପୂର୍ବରୁ କେବେ ବି ଏତେ ପରିମାଣର ଖଣିଜ ପଦାର୍ଥ ପରିବହନ କରି ଭାରତର କୌଣସି ବନ୍ଦରରେ ପହଞ୍ଚି ନଥିଲା। ଭାରତ ଆସିଥିବା ମାଲବାହୀ ଜାହାଜ ମଧ୍ୟରେ ଏହା ହେଉଛି ବହୁତ ବଡ଼ ଓ ଲମ୍ବା ଜାହାଜ। ବିଶାଖାପାଟଣା ବନ୍ଦରର ସିପିଙ୍ଗ ଏଜେଣ୍ଟ ବୋଥ୍ରା ସିପିଂ କର୍ପୋରେସନ ଦ୍ୱାରା ଜାହାଜଟି ଏଠାରେ ପହଞ୍ଚିଛି”, କହିଛନ୍ତି ବିଶାଖାପାଟଣା ବନ୍ଦରର ଅଧ୍ୟକ୍ଷ ଡକ୍ଟର ଏମ୍ ଅଙ୍ଗାମୁଥୁ।

ସାମୁଦ୍ରିକ ପରିବହନ କ୍ଷେତ୍ରରେ ଏହି ଉପଲବ୍ଧି ପାଇଁ ବିଶାଖାପାଟଣା ବନ୍ଦର ତରଫରୁ ବୋଥ୍ରା ସିପିଂ କର୍ପୋରେସନକୁ ସମ୍ମାନିତ କରାଯାଇଛି।

Tags: #VisakhapatnamPort #BiggestShip #Shipping #SeaTransport #AndhraPradesh #India

LEAVE A REPLY

Please enter your comment!
Please enter your name here