ଆଶିଷ କୁମାର ରାୟ

ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ସଫଳତା ହାସଲ କରିଛନ୍ତି ଭାରତୀୟ ସୁଟର ସରବଜୋତ ସିଂହ। ସେ ମନୁ ଭାକରଙ୍କ ସହ ମିଶି ଏହି ପଦକ ଜିତିଛନ୍ତି। ୧୦ ମିଟର ଏୟାର ପିସ୍ତଲର ମିଶ୍ରିତ ଯୁଗଳ ପ୍ରତିଯୋଗିତାରେ ମିଳିଛି ଏହି ପଦକଟି, ଯାହାକି ସାରା ଦେଶରେ ଆନନ୍ଦର ବାତାବରଣ ଖେଳାଇ ଦେଇଛି। ଏହି ପଦକ ବିଜୟ ଫଳରେ ମନୁଙ୍କ ସହିତ ସରବଜୋତ ମଧ୍ୟ ବେଶ ପରିଚିତ ହୋଇ ଯାଇଛନ୍ତି ଦେଶର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ।

ଦୃଢ଼ମନା ସରବଜୋତ

୩୦ ସେପ୍ଟେମ୍ବର ୨୦୦୧ରେ ଜନ୍ମଗ୍ରହଣ କରିଥିବା ସରବଜୋତ ହେଉଛନ୍ତି ହରିୟାଣାର ଅମ୍ବାଲା ନିକଟସ୍ଥ ଧୀନ୍ ନାମକ ଏକ ଗ୍ରାମର ବାସିନ୍ଦା। ତାଙ୍କ ପିତା ଜତିନ୍ଦର ସିଂହ ଜଣେ ଚାଷୀ ହୋଇଥିବାବେଳେ ମାତା ହରଦୀପ କୌର ହେଉଛନ୍ତି ଜଣେ ଗୃହିଣୀ। ଏହି ପରିବାରରୁ ବାହାରି ଯେ ଜଣେ ଆନ୍ତର୍ଜାତିକ ସ୍ତରର ଶୁଟର ହୋଇପାରିବେ ତାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର କଥା।

ତେବେ ଦୃଢ଼ମନା ସରବଜୋତ ଏହା କରି ଦେଖାଇଛନ୍ତି। ଚଣ୍ଡୀଗଡ଼ର ଡିଏଭି କଲେଜରେ ପଢ଼ିବା ସମୟରେ ସେ ପିସ୍ତଲ ସୁଟିଂ ପ୍ରତି ଆଗ୍ରହୀ ହେବା ସହିତ ଏହାକୁ କ୍ୟାରିୟର ଭାବେ ମଧ୍ୟ ଗ୍ରହଣ କରିବା ନିମନ୍ତେ ଆଗ୍ରହୀ ହୋଇଥିଲେ। ଏହାପରେ ଅମ୍ବାଲାଠାରେ ପ୍ରଶିକ୍ଷକ ଅଭିଷେକ ରାଣାଙ୍କ ତତ୍ତ୍ୱାବଧାନରେ ତାଙ୍କର ଅନୁଶୀଳନ ଆରମ୍ଭ ହୋଇଯାଇଥିଲା।

ବିଭିନ୍ନ ଶୁଟିଂ ଇଭେଣ୍ଟରେ ସଫଳତା

୨୦୧୯ରେ ଜର୍ମାନୀରେ ଅନୁଷ୍ଠିତ ଜୁନିଅର ସୁଟିଂ ବିଶ୍ୱକପରେ ସରବଜୋତ ସିଂହ ଗୋଟିଏ ସ୍ୱର୍ଣ୍ଣ ତଥା ଦୁଇଟି ରୌପ୍ୟପଦକ ଜିତିଥିଲେ। ସେହିବର୍ଷ ଏସୀୟ ସୁଟିଂ ଚାମ୍ପିୟନଶିପରେ ମଧ୍ୟ ତାଙ୍କୁ ମିଳିଥିଲା ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜପଦକ। ତେବେ କୋଭିଡ ମହାମାରୀ ସମୟରେ ତାଙ୍କର ପ୍ରଶିକ୍ଷଣ ବାଧାପ୍ରାପ୍ତ ହୋଇଥିଲା। କୋଭିଡ ପରେ ପୁନର୍ବାର ସେ ତାଙ୍କର ଅଭ୍ୟାସ ଯଥାରୀତି ଆରମ୍ଭ କରିବା ପରେ ପୁନର୍ବାର ସଫଳତା ମିଳିବାକୁ ଲାଗିଲା।

୨୦୨୩ରେ ଭୋପାଳଠାରେ ଅନୁଷ୍ଠିତ ସୁଟିଂ ବିଶ୍ୱକପରେ ସେ ୧୦ମିଟର ଏୟାର ପିସ୍ତଲ ବିଭାଗର ସ୍ୱର୍ଣ୍ଣ ଜିତିବା ସହିତ ଆଜରବୈଜାନର ବାକୁଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଆନଶିପରେ ତାଙ୍କୁ ବ୍ରୋଞ୍ଜପଦକ ମିଳିଥିଲା। ସେହି ବର୍ଷ ଚୀନର ହାଙ୍ଗଝାଉରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ସରବଜୋତଙ୍କୁ ୧୦ ମିଟର ଏୟାର ପିସ୍ତଲ ଦଳଗତ ମୁକାବିଲାରେ ସ୍ୱର୍ଣ୍ଣ ମିଳିଥିବାବେଳେ ଟି.ଏସ. ଦିବ୍ୟାଙ୍କ ସହିତ ମିଶ୍ରିତ ଯୁଗଳରେ ସେ ରୌପ୍ୟପଦକ ଜିତିଥିଲେ।

ଅଲିମ୍ପିକ୍ସରେ ପ୍ରଦର୍ଶନ ଓ ପଦକ ବିଜୟ

ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ସରବଜୋତ ସିଂହ ନବମ ସ୍ଥାନରେ ରହି ଅଳ୍ପକେ ଫାଇନାଲରୁ ବଞ୍ଚିତ ରହିଯାଇଥିଲେ। ଏଥିରେ ସେ ଅଷ୍ଟମ ସ୍ଥାନରେ ଥିବା ଜର୍ମାନୀର ଖେଳାଳିଙ୍କ ଭଳି ୫୭୭ ପଏଣ୍ଟ ହାସଲ କରିଥିଲେ ହେଁ ଗୋଟିଏ ଇନର୍ ଟେନ୍ ସ୍କୋର କମ ମାରିଥିବାରୁ ଫାଇନାଲକୁ ଯାଇ ପାରିନଥିଲେ।

୧୦ ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଇଭେଣ୍ଟରେ ବିଫଳତା କିନ୍ତୁ ସରବଜୋତଙ୍କ ମନୋବଳକୁ ଭାଙ୍ଗିପାରି ନଥିଲା। ମନୁ ଭାକରଙ୍କ ସହିତ ସେ ଯେତେବେଳେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ଭାଗ ନେଲେ ସେତେବେଳେ ସେ ଆତ୍ମବିଶ୍ୱାସରେ ଭରପୂର ଥିଲେ। ବିଶେଷ କରି ଯୋଗ୍ୟତା ପର୍ଯ୍ୟାୟରେ ତାହା ପ୍ରତିଫଳିତ ହୋଇଥିଲା।

ତାଙ୍କର ସୁନ୍ଦର ସ୍କୋର ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ ପାଇଁ ମୁକାବିଲାରେ ଅବତୀର୍ଣ୍ଣ ହେବାର ସୁଯୋଗ ମଧ୍ୟ ସୃଷ୍ଟି କରିଥିଲା। ତେବେ ସେମାନେ ତୃତୀୟ ସ୍ଥାନରେ ରହିଯିବା ଯୋଗୁଁ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିବାକୁ ସେମାନେ ବାଧ୍ୟ ହେଲେ। ପରିଶେଷରେ ଏହି ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଯୁଗଳରେ ସରବଜୋତ ସିଂହ ଓ ମନୁ ଭାକରଙ୍କ ଯୋଡ଼ି ବ୍ରୋଞ୍ଜପଦକ ମୁକାବିଲାରେ ଦକ୍ଷିଣ କୋରିଆର ଯୋଡ଼ି ଓହ୍ ୟେ ଜିନ୍ ଏବଂ ଲୀ ୱାନ୍‌ହୋଙ୍କୁ ୧୬-୧୦ରେ ପରାସ୍ତ କରି ଦେଇଥିଲେ।

ଏଥିରେ ସର୍ବିୟାର ଜୋରନା ଅରୁନୋଭିଚ୍ ଏବଂ ଦାମିର ମିକେଚ୍ ସ୍ୱର୍ଣ୍ଣ ଜିତିଥିବା ବେଳେ ତୁର୍କୀର ସେଭେଲ୍ ତାହରାନ୍ ଓ ୟୁସୁଫ ଦିକେଚ୍‌ଙ୍କୁ ରୌପ୍ୟ ମିଳିଥିଲା। ତେବେ ସରବଜୋତ ଓ ମନୁଙ୍କ ପାଇଁ ବ୍ରୋଞ୍ଜପଦକ ବିଜୟ ମଧ୍ୟ ଥିଲା ଏକ ବଡ଼ ସଫଳତା।  

Tags: #SarabjotSingh #ParisOlympics #Shooting #BronzeMedal #Sports #India

LEAVE A REPLY

Please enter your comment!
Please enter your name here