ଆଶିଷ କୁମାର ରାୟ
ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କୁ ମିଳିଛି ସିଲ୍ଭର ମେଡାଲ୍। ୨୦୨୧ରେ ଟୋକିଓଠାରେ ଅନୁଷ୍ଠିତ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ କ୍ରୀଡ଼ା ଜଗତରେ ସୃଷ୍ଟି କରିଥିଲେ ଏକ ନୂଆ ଇତିହାସ। ସେ ଯେତିକି ବାଟ ଜାଭଲିନ୍ ଫିଙ୍ଗି ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ, ଏଥର ତା ଠାରୁ ଅଧିକ ଦୂରକୁ ଜାଭଲିନ୍ ନିକ୍ଷେପ କରିବା ସତ୍ତ୍ୱେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ପ୍ୟାରିସ ଅଲିମ୍ପିକ୍ସରେ ବାଜି ମାରି ନେଇଛନ୍ତି ପାକିସ୍ତାନର ଅର୍ଶଦ୍ ନଦୀମ। ଏଥି ସହିତ ଅଲିମ୍ପିକ୍ସରେ ସେ ନିଜ ଦେଶପାଇଁ ଜିତିଛନ୍ତି ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ।
ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣିମ ପ୍ରଦର୍ଶନ
ଗତ ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତି ଦେଶକୁ ଗୌରବାନ୍ୱିତ କରିଥିଲେ। ୮୭. ୫୮ ମିଟର ପର୍ଯ୍ୟନ୍ତ ଜାଭଲିନ୍ ଥ୍ରୋ କରି ସ୍ୱର୍ଣ୍ଣପଦକ ଉପରେ ସେ ନିଜର ଅଧିକାର ସାବ୍ୟସ୍ତ କରିଥିଲେ। ଚେକ୍ ରିପବ୍ଲିକର ଦୁଇଜଣ ଖେଳାଳି ୟାକୁବ୍ ଭାଡ୍ଲେକ୍ ୮୬. ୬୭ ମିଟର ଏବଂ ଭିଟେସ୍ଲାଭ୍ ଭେସେଲୀ ୮୫.୪୪ ମିଟର ପର୍ଯ୍ୟନ୍ତ ଜାଭଲିନ୍ ଥ୍ରୋ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ।
ପାକିସ୍ତାନର ଅର୍ଶଦ ନଦୀମ୍ ଟୋକିଓ ଠାରେ ଜାଭଲିନ୍ ପକାଇ ଥିଲେ ୮୪.୬୨ ମିଟର ଦୂରତାକୁ ଏବଂ ତାଙ୍କୁ ସେଠାରେ ମିଳିଥିଲା ପଞ୍ଚମ ସ୍ଥାନ। ଟୋକିଓଠାରେ ନୀରଜ ସ୍ୱର୍ଣ୍ଣ ଜିତି ଅଭିନବ ବିନ୍ଦ୍ରାଙ୍କ ପରେ ଅଲିମ୍ପିକ୍ସରେ ଏଭଳି କୃତିତ୍ୱ ହାସଲ କରିବା ଦିଗରେ ଭାରତର ଦ୍ୱିତୀୟ କ୍ରୀଡ଼ାବିତ୍ ହୋଇଥିଲେ। ଏହି ପ୍ରଦର୍ଶନ ନୀରଜଙ୍କୁ ପହଁଚାଇ ଦେଇଥିଲା ପ୍ରସିଦ୍ଧିର ଶିଖରରେ ଏବଂ ସେ ପରିଚିତ ହୋଇଥିଲେ ଭାରତର ଗୋଲଡେନ୍ ବୟ ଭାବେ।
ନୀରଜଙ୍କ ପ୍ରତିଦ୍ୱନ୍ଦୀ ନଦୀମ୍ ଓ ଆଣ୍ଡରସନ୍
ପାକିସ୍ତାନର ଅର୍ଶଦ୍ ନଦୀମ୍ ଟୋକିଓ ଅଲିମ୍ପିକ୍ସରେ ୫ମ ସ୍ଥାନରେ ରହିଥିଲେ ହେଁ ପରବର୍ତ୍ତୀ ସମୟରେ ନୀରଜଙ୍କ ବଡ଼ ପ୍ରତିଦ୍ୱନ୍ଦୀ ଭାବେ ସାମନାକୁ ଆସିଲେ। ସେହିଭଳି ଟୋକିଓଠାରେ ୧୫ତମ ସ୍ଥାନରେ ଥିବା ଗ୍ରେନାଡ଼ାର ଆଣ୍ଡରସନ୍ ପିଟର୍ସ ମଧ୍ୟ ଚମତ୍କାର ପ୍ରଦର୍ଶନ କରିବାକୁ ଲାଗିଥିଲେ ବିଭିନ୍ନ ପ୍ରତିଯୋଗିତାରେ।
୨୦୨୨ର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନଦୀମ୍ ୯୦.୧୮ ମିଟର ଦୂରତାକୁ ଥ୍ରୋ କରି ଆଣ୍ଡରସନ୍ଙ୍କୁ ପଛରେ ପକାଇବା ସହିତ ଜାଭଲିନ୍ ଇଭେଣ୍ଟର ସ୍ୱର୍ଣ୍ଣ ଜିତି ନେଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କିନ୍ତୁ ନୀରଜ ଅଂଶଗ୍ରହଣ କରି ନଥିଲେ। ପୂର୍ବରୁ ଆଣ୍ଡରସନ୍ ପିଟର୍ସ ୨୦୧୯ରେ କାତାରର ଦୋହାଠାରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଥିଲେ।
ଏହାପରେ ୨୦୨୨ରେ ଯୁକ୍ତରାଷ୍ଟ୍ର ଆମେରିକାର ୟୁଜିନଠାରେ ଅନୁଷ୍ଟିତ ପରବର୍ତ୍ତୀ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପର ଜାଭଲିନ୍ ପ୍ରତିଯୋଗିତରେ ମଧ୍ୟ ସ୍ୱର୍ଣ୍ଣ ହାସଲ କରିନେଲେ ଏବଂ ରୌପ୍ୟ ମିଳିଥିଲା ନୀରଜ ଚୋପ୍ରାଙ୍କୁ। ଆଣ୍ଡରସନ୍ ୯୦.୫୪ ମିଟରକୁ ଜାଭଲିନ୍ ନିକ୍ଷେପ କରିଥିବା ବେଳେ ନୀରଜ ଥ୍ରୋ ଥିଲା ୮୮.୧୩ ମିଟର ଦୂରତାକୁ। ଏଠାରେ ନଦୀମଙ୍କୁ ମିଳିଥିଲା ୫ମ ସ୍ଥାନ।
ତେବେ ଗତବର୍ଷ ହଙ୍ଗେରୀର ବୁଦାପେଷ୍ଟଠାରେ ଆୟୋଜିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ନୀରଜ ନିଜ ଜାଭଲିନକୁ ୮୮.୧୭ ମିଟର ଅତିକ୍ରମ କରାଇ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ଜିତି ନେଇଥିବାବେଳେ ନଦୀମ୍ ୮୭. ୮୨ ମିଟର ସହିତ ଲାଭ କରିଥିଲେ ରୌପ୍ୟପଦକ। ଏଠାରେ ଆଣ୍ଡରସନ୍ଙ୍କୁ ମିଳିଥିଲା ୧୬ତମ ସ୍ଥାନ।
୨୦୨୩ ବିଶ୍ୱ ଚାମ୍ପିୟନସିପରେ ମଧ୍ୟ ଚେକ୍ ରିପବ୍ଲିକ୍ର ୟାକୁବ୍ ଭାଡ୍ଲେକ୍ ବ୍ରୋଞ୍ଜପଦକ ପାଇଥିଲେ ଏବଂ ଭାରତର କିଶୋର ଜେନା ଏବଂ ଡି.ପି. ମନୁଙ୍କୁ ମିଳିଥିଲା ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନ। ଏଥି ସହିତ ବିଭିନ୍ନ ପ୍ରତିଯୋଗିତରେ ନୀରଜ, ନଦୀମ୍, ଆଣ୍ଡରସନ୍ ଓ ୟାକୁବ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା।
ପ୍ୟାରିସ ଅଲିମ୍ପିକ୍ସରେ ନଦୀମ୍ଙ୍କୁ ସ୍ୱର୍ଣ୍ଣ ଓ ନୀରଜଙ୍କୁ ରୌପ୍ୟ
ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଉଭୟ ଅର୍ଶଦ୍ ନଦୀମ୍ ଓ ଆଣ୍ଡରସନ୍ ପିଟର୍ସ ଏକାଧିକ ବାର ୯୦ ମିଟରରୁ ଅଧିକ ଦୂରତାକୁ ଜାଭଲିନ୍ ନିକ୍ଷେପ କରିବା ସ୍ଥଳେ ନୀରଜ କେବେ ବି ଏହି ଦୂରତାକୁ ଅତିକ୍ରମ କରି ନଥିଲେ। ନୀରଜଙ୍କ ସର୍ବଶ୍ରେଷ୍ଠ ଥ୍ରୋ ଥିଲା ୮୯.୯୪ ମିଟର, ଯାହାକି ସେ ୨୦୨୨ରେ ଷ୍ଟକହୋମଠାରେ ଅନୁଷ୍ଠିତ ଗୋଲଡେନ୍ ଗାଲା ପ୍ରତିଯୋଗିତାରେ ହାସଲ କରିଥିଲେ।
ସେହି ଦୃଷ୍ଟିରୁ ପ୍ୟାରିସ ଅଲିମ୍ପିକର ଜାଭଲିନ୍ ଥ୍ରୋ ଫାଇନାଲରେ ଯେତେବେଳେ ନଦୀମ୍ ନିଜର ଦ୍ୱିତୀୟ ପ୍ରୟାସରେ ୯୨.୯୭ ମିଟର ଦୂରତାକୁ ଜାଭଲିନ୍ ନିକ୍ଷେପ କରିବାରେ ସକ୍ଷମ ହେଲେ ସେତେବେଳେ ତାଙ୍କର ସ୍ୱର୍ଣ୍ଣ ବିଜୟ ପ୍ରାୟତଃ ନିଶ୍ଚିତ ହୋଇଗଲା। ନୀରଜ ମଧ୍ୟ ନିଜର ଦ୍ୱିତୀୟ ପ୍ରୟାସରେ ୮୯.୪୫ ମିଟର ନିକ୍ଷେପ କରିଥିଲେ।
ପ୍ୟାରିସର ଷ୍ଟେଡ୍ ଡି ଫ୍ରାନ୍ସରେ ଗତ ଅଗଷ୍ଟ ୮ ତାରିଖ ଦିନ ଏହା ହିଁ ଉଭୟଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ପରବର୍ତ୍ତୀ ପ୍ରୟାସମାନଙ୍କରେ ନୀରଜ ଏଥିରେ ଆଉ ଉନ୍ନତି ଆଣିପାରିଲେ ନାହିଁ। ସୁତରାଂ ଭାରତୀୟ ଆଥଲେଟିକ୍ସର ଗୋଲଡେନ୍ ବୟ ନୀରଜଙ୍କୁ ରୌପ୍ୟ ପଦକରେ ହିଁ ସନ୍ତୁଷ୍ଟ ରହିବାକୁ ପଡ଼ିଲା ଏବଂ ନଦୀମ୍ ସ୍ୱର୍ଣ୍ଣ ଜିତି ନିଜ ଦେଶ ପାଇଁ ଇତିହାସ ରଚିଦେଲେ।
ଅନ୍ୟଦିଗରେ ୮୮.୫୪ ମିଟର ଦୂରତା ସହିତ ଗ୍ରେନାଡ଼ାର ଆଣ୍ଡରସନ୍ ପିଟର୍ସ ବ୍ରୋଞ୍ଜପଦକ ଜିତିଥିବାବେଳେ ତାଙ୍କଠାରୁ ମାତ୍ର ୪ ସେଣ୍ଟିମିଟର ପଛକୁ ରହି ଗତ ଅଲିମ୍ପିକ୍ର ରୌପ୍ୟ ବିଜେତା ୟକୁବ୍ ଭାଡଲେକ୍ ରହିଥିଲେ ଚତୁର୍ଥ ସ୍ଥାନରେ।
ଅଲିମ୍ପିକ୍ସରେ ଦୁଇଟି ପଦକ
ପ୍ୟାରିସଠାରେ ରୌପ୍ୟ ଜିତିଥିଲେ ହେଁ ଅଲିମ୍ପିକରେ ଦୁଇଟି ପଦକ ହାସଲର କୃତିତ୍ୱ ନୀରଜଙ୍କୁ ଅନ୍ୟ ଏକ ପରିଚୟ ପ୍ରଦାନ କରିଛି। ତାଙ୍କ ପୂର୍ବରୁ ଭାରତର ଚାରିଜଣ କ୍ରୀଡ଼ାବିତ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାର ଗୌରବ ହାସଲ କରିଛନ୍ତି। ୧୯୦୦ ମସିହାର ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ନର୍ମାନ୍ ପିଟଚାର୍ଡ ୨୦୦ ମିଟର ଦୌଡ଼ ଓ ୨୦୦ ମିଟର ହର୍ଡଲ୍ସରେ ଲାଭ କରିଥିଲେ ଦୁଇଟି ରୌପ୍ୟ ପଦକ। ଏହାର ଅନେକ ଦିନ ପରେ ଭାରତର କୁସ୍ତିବୀର ସୁଶୀଲ କୁମାର ୨୦୦୮ର ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ତଥା ୨୦୧୨ର ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ତାଙ୍କ ପରେ ଭାରତର ମହିଳା ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁଙ୍କୁ ୨୦୧୬ର ରିଓ ଅଲିମ୍ପିକ୍ସରେ ରୌପ୍ୟ ଏବଂ ୨୦୨୧ର ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ମିଳିଥିଲା।
ଏଥରର ପ୍ୟାରିସ ଅଲିମ୍ପିକ୍ସରେ ମନୁ ଭାକର ମଧ୍ୟ ପିସ୍ତଲ ସୁଟିଂରେ ଦୁଇଟି ବ୍ରୋଞ୍ଜପଦକ ଜିତି ଭାରତର ଡବଲ୍ ଅଲିମ୍ପିକ ପଦକ ବିଜେତାଙ୍କ ସୂଚୀରେ ସାମିଲ ହୋଇଗଲେ। ଆଉ ଏବେ ନୀରଜ ମଧ୍ୟ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ସହିତ ଏଥର ରୌପ୍ୟକୁ ମିଶାଇ ଜତି ନେଇଛନ୍ତି ଦୁଇଟି ଅଲିମ୍ପିକ ପଦକ।
ଏଥର ରୌପ୍ୟ ପଦକ ଲାଭ କରିଥିଲେ ହେଁ ନୀରଜଙ୍କ ନିକଟରେ ଯେ ଭବିଷ୍ୟତରେ ସ୍ୱର୍ଣ୍ଣ ଜିତିବାର ସାମର୍ଥ୍ୟ ରହିଛି ଏହା ଯେ କେହି ସ୍ୱୀକାର କରିବେ। ବିଶେଷ କରି ଆସନ୍ତା ବର୍ଷ ଟୋକିଓଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ ତଥା ଡାଇମଣ୍ଡ ଲିଗ୍ରେ ଉନ୍ନତ ପ୍ରଦର୍ଶନ କରି ନୀରଜ ନିଜର ସ୍ୱର୍ଣ୍ଣିମ କ୍ରୀଡ଼ା ଜୀବନକୁ ଆଗକୁ ବଢ଼ାଇ ପାରିବେ।
ନୀରଜଙ୍କୁ ଏବେ ମାତ୍ର ୨୬ ବର୍ଷ ହୋଇଥିବାରୁ କମ୍ ସେ କମ ଆହୁରି ସାତ ଆଠ ବର୍ଷ ବିଶ୍ୱ ସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବାର ସୁଯୋଗ ତାଙ୍କ ପାଖରେ ରହିଛି। ତେବେ ୯୦ ମିଟର ଦୂରତାକୁ ଜାଭଲିନ୍ ଥ୍ରୋ କରିବା ଦିଗରେ ନୀରଜଙ୍କ ଲକ୍ଷ୍ୟ ନିର୍ଦ୍ଧାରିତ ହେବା ନିହାତି ଆବଶ୍ୟକ। ତେବେ ଯାଇ ସେ ନଦୀମ୍ଙ୍କୁ ମାତ୍ ଦେଇପାରିବେ।
Tags: #ParisOlympics #NeerajChopra #JavelinThrow #SilverMedal #Sports #India