ଓଡ଼ିଶାଲାଇଭ୍ ବ୍ୟୁରୋ

ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍(କାବିଲ୍) ଓ ଅଏଲ୍ ଇଣ୍ଡିଆ ଲିମିଟେଡ ମଧ୍ୟରେ କ୍ରିଟିକାଲ୍ ମିନେରାଲ୍ସ ଓ ବିଭିନ୍ନ ପ୍ରକଳ୍ପ କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ବୁଧବାର ଭୁବନେଶ୍ୱରସ୍ଥିତ ନାଲକୋ କର୍ପୋରେଟ କାର୍ଯ୍ୟାଳୟରେ ଏହି ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା। କ୍ରିଟିକାଲ୍ ମିନେରାଲ୍ସର ଅନ୍ୱେଷଣ ଏବଂ ଉପଯୋଗ କ୍ଷେତ୍ରରେ ଏହା ଉଭୟ ସଂସ୍ଥା ପାଇଁ ସହାୟକ ହେବ।

ଏହି ବୁଝାମଣା ମାଧ୍ୟମରେ ଆନ୍ତର୍ଜାତିକ ସ୍ତରରେ କ୍ରିଟିକାଲ୍ ମିନେରାଲ୍ସ ଉପରେ ଅନୁସନ୍ଧାନ ଓ ଅଧିଗ୍ରହଣ ପାଇଁ କାବିଲ୍ ଓ ଅଏଲ୍ ଇଣ୍ଡିଆ ଲିମିଟେଡ ମିଳିତ ଭାବେ କାର୍ଯ୍ୟ କରିବେ। ଏହାସହ କ୍ରିଟିକାଲ୍ ମିନେରାଲ୍ସ ପ୍ରକଳ୍ପରେ ଦୁଇ ସଂସ୍ଥା ସହ-ନିବେଶ କରିପାରିବେ।

କାବିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଦାଶିବ ସାମନ୍ତରାୟ ଏବଂ ଅଏଲ ଇଣ୍ଡିଆ ଲିମିଟେଡ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରଞ୍ଜନ ଗୋସ୍ଵାମୀ ଏହି ବୁଝାମଣା ପତ୍ରରେ ସ୍ଵାକ୍ଷର କରିଥିଲେ। ଏହି ଅବସରରେ ନାଲକୋର ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଯୋଗ ଦେଇଥିଲେ।

“ଏହି ବୁଝାମଣା ପତ୍ର ‘କାବିଲ୍’ର ପ୍ରଗତିରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି। କାବିଲ୍ ଏବଂ ଅଏଲ ଇଣ୍ଡିଆ ଲିମିଟେଡର ମିଳିତ ଉଦ୍ୟମ ଦେଶ ତଥା ବିଦେଶରେ କ୍ରିଟିକାଲ୍ ମିନେରାଲ୍ସର ଅନ୍ୱେଷଣ ଏବଂ ଅଧିଗ୍ରହଣ ନିମନ୍ତେ ନୂଆ ସମ୍ଭାବନା ସୃଷ୍ଟି କରିବ। ଏହା ‘ଆତ୍ମନିର୍ଭର ଭାରତ’ ଏବଂ ଦେଶର ଖଣିଜ ନିରାପତ୍ତା କ୍ଷେତ୍ରରେ ଆଉ ଏକ ବଳିଷ୍ଠ ପଦକ୍ଷେପ ହେବ”, କହିଛନ୍ତି ଶ୍ରୀଧର ପାତ୍ର।

କାବିଲ୍ ହେଉଛି ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟର ତତ୍ତ୍ଵାବଧାନରେ ନାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ୍ (ଏଚସିଏଲ) ଏବଂ ମିନେରାଲ୍ ଏକ୍ସପ୍ଲୋରେସନ୍ ଆଣ୍ଡ କନ୍ସଲଟାନ୍ସି ଲିମିଟେଡର (ଏମଇସିଏଲ) ଦ୍ଵାରା ମିଳିତ ଭାବେ ଗଠିତ ଏକ ସଂସ୍ଥା। କ୍ରିଟିକାଲ୍ ଏବଂ ଷ୍ଟ୍ରାଟେଜିକ ଖଣିଜ ପଦାର୍ଥର ଚିହ୍ନଟ, ଅନୁସନ୍ଧାନ, ଉତ୍ତୋଳନ, ପ୍ରକ୍ରିୟକରଣ ଆଦି ପ୍ରମୁଖ କାର୍ଯ୍ୟ ଏହା କରିଆସୁଛି।

Tags: #MineralExploration #KABIL #OilIndiaLimited #NALCO

LEAVE A REPLY

Please enter your comment!
Please enter your name here