ଓଡ଼ିଶାଲାଇଭ୍ ବ୍ୟୁରୋ

ଆଫ୍ରିକୀୟ ଦେଶ ନାମ୍ବିଆକୁ ଏବେ ଗ୍ରାସ କରିଛି ମରୁଡ଼ି। ଏଥିଯୋଗୁ ଦେଶରେ ବଡ଼ ଧରଣର ଖାଦ୍ୟାଭାବ ସୃଷ୍ଟି ହେବା ସହ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଦେଶବାସୀ। ଦେଶର ୧୪ ଲକ୍ଷ ଲୋକ ଅର୍ଥାତ୍ ସମ୍ପୂର୍ଣ୍ଣ ଜନସଂଖ୍ୟାର ୫୦ ପ୍ରତିଶତ ଏବେ ଅନାହାରର ଶିକାର ହୋଇଛନ୍ତି। ଦୀର୍ଘ ୧୦୦ ବର୍ଷ ମଧ୍ୟରେ ଦେଶ କେବେ ହେଲେ ଏଭଳି ଦୁର୍ଦ୍ଦିନର ସମ୍ମୁଖୀନ ହୋଇ ନ ଥିଲା ବୋଲି ନାମ୍ବିଆ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ନାମ୍ବିଆର ବିଭିନ୍ନ ଚିଡ଼ିଆଖାନା ଓ ଜଙ୍ଗଲରେ ଥିବା ୭୨୩ ବନ୍ୟପ୍ରାଣୀଙ୍କୁ ହତ୍ୟା କରି ମାଂସକୁ ମରୁଡ଼ି ପ୍ରଭାବିତ ଲୋକଙ୍କ ମଧ୍ୟରେ ବଣ୍ଟାଯିବାକୁ ଯୋଜନା କରାଯାଇଛି। ହତ୍ୟା ଯୋଜନା କରାଯାଇଥିବା ଏହି ପଶୁଙ୍କ ମଧ୍ୟରେ ରହିଛନ୍ତି ୮୩ଟି ହାତୀ, ୩୦ଟି ଜଳହସ୍ତୀ, ୬୦ଟି ଜଙ୍ଗଲୀ ମଇଁଷି, ୧୦୦ଟି ବ୍ଲୁ ୱାଇଲ୍ଡ ବିଷ୍ଟ, ୩୦୦ଟି ଜେବ୍ରା ଏବଂ ୧୫୦ଟି ବିଭିନ୍ନ ପ୍ରଜାତିର ହରିଣ। ନାମ୍ବିଆ ନାକୁଲ୍ଫ ପାର୍କ, ମାଙ୍ଗେଟି ଜାତୀୟ ପାର୍କ, ବ୍ୱାବ୍ୱାଟା ଜାତୀୟ ପାର୍କ, ମୁଡ୍‌ମୁ ଜାତୀୟ ପାର୍କ ଏବଂ କାସା ରୁପାରା ଜାତୀୟ ପାର୍କରେ ଏହି ପଶୁମାନଙ୍କୁ ଚିହ୍ନଟ କରାଯାଇଛି। ପେଷାଧାରୀ ଶିକାରୀଙ୍କ ଜରିଆରେ ନାମ୍ବିଆ ସରକାର ଏମାନଙ୍କୁ ହତ୍ୟା କରିବେ ବୋଲି ଦେଶର ପରିବେଶ, ଜଙ୍ଗଲ ଏବଂ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷେ ନାମ୍ବିଆରେ ଚଳିତବର୍ଷ ୪୧.୨ ମିଲିମିଟର୍ ବର୍ଷା ହୋଇଥିବା ଯୋଗୁ ଦେଶରେ କୃଷି କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଏହାସହ ଜଳସ୍ତର ମଧ୍ୟ ହ୍ରାସ ପାଇଛି। ଫଳରେ ସରକାର ନେଇଥିବା ନିଷ୍ପତ୍ତି ଯୋଗୁ ଯେଉଁ ସ୍ଥାନମାନଙ୍କରେ ପାଣିର ମାତ୍ରା କମ୍ ଏବଂ ବନ୍ୟପ୍ରାଣୀଙ୍କ ସଂଖ୍ୟା ଅଧିକ ରହିଛି ସେହିଠାରୁ ପ୍ରଥମେ ପଶୁମାନଙ୍କୁ ହତ୍ୟା କରାଯିବ ବୋଲି କୁହାଯାଇଛି। ଏହାଦ୍ୱାରା ଜଳ ଉତ୍ସ ଅପରିବର୍ତ୍ତିତ ରହିବା ସହ ଖାଦ୍ୟାଭାବ ମଧ୍ୟ ଦୂର ହେବା ନେଇ ଲକ୍ଷ୍ୟ ରଖାଯାଇଛି।

ଏହି ଯୋଜନା କରିବାର ଅନ୍ୟ ଏକ କାରଣ ହେଉଛି ଆଫ୍ରିକାରେ ହାତୀଙ୍କ ବଂଶ ବୃଦ୍ଧି। ଏଠାରେ ହାତୀ ସଂଖ୍ୟା ଅଧିକ ହେବାରୁ ଏହି ହାତୀମାନେ ଚାଷକ୍ଷେତକୁ ନଷ୍ଟଭ୍ରଷ୍ଟ କରୁଛନ୍ତି। ଏମିତିକି କେତେକ ସମୟରେ ହାତୀ-ମଣିଷଙ୍କ ମଧ୍ୟରେ ବହୁବାର ଲଢ଼େଇ ହୋଇ ମଣିଷଙ୍କ ଜୀବନ ସଙ୍କଟାପନ୍ନ ହୋଇଛି। ଆଫ୍ରିକାରେ ବିଶ୍ୱରେ ସର୍ବାଧିକ ଭାବେ ୨ ଲକ୍ଷରୁ ଊର୍ଦ୍ଧ୍ୱ ହାତୀ ରହିଛନ୍ତି। ଫଳରେ ବିଭିନ୍ନ ସମୟରେ ଏହି ହାତୀମାନେ ଫସଲକୁ ନଷ୍ଟ କରିବା ଯୋଗୁଁ କେତେକ ସମୟରେ ଖାଦ୍ୟ ଅଭାବ ପରିସ୍ଥିତି ସୃଷ୍ଟି ହୋଇଥାଏ।

ଚଳିତ ବର୍ଷ ଏଲ୍‌ନିନୋ ପ୍ରଭାବରେ ନାମ୍ବିଆରେ ଭୀଷଣ ଖାଦ୍ୟାଭାବ ଓ ମରୁଡ଼ି ସୃଷ୍ଟି ହୋଇଛି। ଦେଶର ଏପରି ବିକଳ ପରିସ୍ଥିତି ପାଇଁ ଆମେରିକା ପକ୍ଷରୁ ୪.୯ ଲକ୍ଷ ଡଲାରର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ବିଶେଷ ଭାବେ ଜୁଲାଇ ଏବଂ ସେପ୍ଟେମ୍ବର ମଧ୍ୟରେ ନାମ୍ବିଆରେ ଖାଦ୍ୟାଭାବ ଦେଖାଦେଇଥାଏ। ଏହାର ପ୍ରମୁଖ କାରଣ ଏଲ୍‌ନିନୋ ପ୍ରଭାବରେ ଜଳବାୟୁ ପରିବର୍ତ୍ତନ, ବର୍ଷା ଅନିୟମିତତା ତଥା ସ୍ୱଳ୍ପ ବର୍ଷା।

କ’ଣ ଏହି ଏଲ୍‌-ନିନୋ?

‘ଏଲ୍‌-ନିନୋ’। ସ୍ପାନିଶ୍ ଭାଷାରେ ଏହାର ଅର୍ଥ ହେଉଛି ‘ଛୋଟ ପିଲା’। ବିଶ୍ୱରେ ପାଣିପାଗ ପରିବର୍ତ୍ତନ ଓ ମୌସୁମୀର ଆଚରଣ ସହିତ ଓତପ୍ରୋତ ଭାବେ ଜଡ଼ିତ ଅଛି ଏହି ‘ଏଲ୍‌ନିନୋ’। ଦକ୍ଷିଣ ଆମେରିକାର ପେରୁ ଦେଶର ପର୍ବତମାଳାରୁ ଅଷ୍ଟ୍ରେଲିଆ ଆଡ଼କୁ ଟ୍ରେଡ୍ ୱିଣ୍ଡ ବା ପୂର୍ବରୁ ପଶ୍ଚିମକୁ ଉଷ୍ଣବାୟୁ ପ୍ରବାହିତ ହୋଇଥାଏ। ପେରୁଠାରେ ପ୍ରଶାନ୍ତ ମହାସାଗରରେ ଥିବା ଗରମପାଣିକୁ ଏହି ଟ୍ରେଡ୍ ଉଇଣ୍ଡ୍ ଅଷ୍ଟ୍ରେଲିଆ ଆଡ଼କୁ ଠେଲିଥାଏ। କାରଣ ଗରମ ପାଣିର ସାନ୍ଧ୍ରତା କମ୍ ରହିବା ଯୋଗୁଁ ଏହା ସମୁଦ୍ରପତ୍ତନର ଉପରେ ରହିଥାଏ।

ଏହି ପାଣି ଅଷ୍ଟ୍ରେଲିଆଠାରେ ବାଷ୍ପୀଭୂତ ହୋଇ ଆକାଶରେ ବାଦଲ ସୃଷ୍ଟି କରିଥାଏ ଏବଂ ଲଘୁଚାପ ସୃଷ୍ଟି ହୋଇଥାଏ। ଫଳରେ ଅଷ୍ଟ୍ରେଲିଆରେ ପ୍ରଥମେ ବର୍ଷା ହୋଇଥାଏ। ସେପଟେ ପେରୁରେ ସମୁଦ୍ର ପତ୍ତନ ପାଣି ଥଣ୍ଡା ହେବା ଯୋଗୁଁ ସେଠାରେ ଗୁରୁଚାପ ସୃଷ୍ଟି ହୋଇଥାଏ ଏବଂ ଅଷ୍ଟ୍ରେଲିଆରୁ କିଛି ବାଦଲ ପବନରେ ପେରୁ ଆଡ଼କୁ ଭାସି ଆସି ସେଠାରେ ବର୍ଷା କରିଥାଏ। କ୍ରମାଗତ ଭାବେ ଏହି ପ୍ରକ୍ରିୟା ଜାରି ରହୁଥିବା ଯୋଗୁଁ ଏହାକୁ ଏଲ୍‌-ନିନୋ ପ୍ରଭାବ କୁହାଯାଏ।

ତେବେ ଏହି ଏଲ୍‌ନିନୋ ପ୍ରକ୍ରିୟା କେବଳ ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆ ନୁହେଁ, ବରଂ ଟ୍ରେଡ୍ ୱିଣ୍ଡ ମାଡାଗାସ୍କର୍ ଦ୍ୱୀପ ଦେଇ ଏସିଆ ଓ ଆଫ୍ରିକୀୟ ଦେଶକୁ ଯାଇଥାଏ ଏବଂ ସେଠାରେ ଏଲ୍‌ନିନୋ ପ୍ରକ୍ରିୟା ହୋଇଥାଏ। ଏହାରି ପ୍ରଭାବରେ ସାରା ବିଶ୍ୱରେ ଜଳବାୟୁ ଓ ବର୍ଷାର ଆଚରଣ ନିର୍ଦ୍ଧାରିତ ହୋଇଥାଏ।

ଟ୍ରେଡ୍ ୱିଣ୍ଡୋ ଦୁର୍ବଳ ହେଲେ ବର୍ଷାର ପ୍ରଭାବ ମଧ୍ୟ ଦୁର୍ବଳ ହୋଇଥାଏ। ଏହିପରି ଭାବେ ଚଳିତ ବର୍ଷ ନାମ୍ବିଆରେ ଏଲ୍‌-ନିନୋ ପ୍ରଭାବରେ ଅତି କମ୍ ପରିମାଣର ବର୍ଷା ହୋଇଛି। ଏଥିଲାଗି ଦେଶରେ କୃଷି ଲାଗି ଜଳବାୟୁ ପ୍ରଭାବିତ ହେବା ସହ ଦେଶରେ ଜଳସ୍ତର ମଧ୍ୟ କମ୍ ହୋଇଛି।

ନାମ୍ବିଆର ବନ୍ୟପ୍ରାଣୀ ସୁରକ୍ଷା ନିୟମ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥାନ (ଫାଓ) ଦ୍ୱାରା ସଂଗୃହିତ ନିୟମ (ଲେକ୍ସଫାଓ-ସି-୧୨୬୯୦୭) ଅନୁସାରେ ନାମ୍ବିଆରେ ପ୍ରାଣୀ ସୁରକ୍ଷା ନିୟମ ୭୧ (୧୯୬୨)ରେ ବନ୍ୟପ୍ରାଣୀଙ୍କ ହତ୍ୟା ଓ ନିଷ୍ଠୁର ବ୍ୟବହାରକୁ ନିଷେଧ କରାଯାଇଛି। ଏପରି କଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଜରିମାନା ସହିତ କଠୋର ଜେଲ୍‌ଦଣ୍ଡରେ ଦଣ୍ଡିତ କରିବା ପାଇଁ ପ୍ରାବଧାନ ରହିଛି। ଏହା ବାଦ ଅନ୍ତର୍ଜତୀୟ ସ୍ତରରେ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ବହୁ ନିୟମ ରହିଥିବା ସତ୍ତ୍ୱେ ଖାଦ୍ୟାଭାବ ଯୋଗୁଁ ନାମ୍ବିଆରେ ବନ୍ୟପ୍ରାଣୀଙ୍କୁ ହତ୍ୟା କରିବା କେତେଦୂର ଠିକ୍ ତାହା ସମ୍ପୂର୍ଣ୍ଣ ଯୁକ୍ତିପ୍ରସଙ୍ଗ ।

ଏତେ ପରିମାଣର ପଶୁଙ୍କୁ ହତ୍ୟା କଲେ ପରିବେଶ ଉପରେ ନିଶ୍ଚିତ ଭାବେ ଏହାର କୁପ୍ରଭାବ ପଡ଼ିବ। ଏପରିକି ପରିବେଶ ସନ୍ତୁଳନରେ ସହଯୋଗ କରୁଥିବା ଏହି ପ୍ରାଣୀମାନଙ୍କ ସଂଖ୍ୟା କମ୍ ହେଲେ ଆଗାମୀ ଦିନରେ ଦେଶ ଅନୁକୂଳ ପରିବେଶ ପାଇବାରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।

ବନ୍ୟପ୍ରାଣୀଙ୍କୁ ହତ୍ୟା କରି ସେମାନଙ୍କ ମାଂସକୁ ବାଣ୍ଟିବା ଦ୍ୱାରା ଦେଶରୁ ସାମାନ୍ୟ ମାତ୍ରାରେ ଖାଦ୍ୟାଭାବ ଦୂର କରାଯାଇ ପାରିବ। ହେଲେ ଏହାଦ୍ଵାରା ସମ୍ପୂର୍ଣ୍ଣ ଖାଦ୍ୟାଭାବକୁ ଦୂର କରାଯାଇ ପାରିବ ନାହିଁ ବୋଲି ଅନେକ ବନ୍ୟପ୍ରାଣୀ ବିଶେଷଜ୍ଞ ମତ ଦେଇଛନ୍ତି।  

Tags: #Namibia #FoodCrisis #AnimalCulling #Drought #Africa

LEAVE A REPLY

Please enter your comment!
Please enter your name here