ଓଡିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଉପକୂଳ ଓଡ଼ିଶାରେ ଅନାବୃଷ୍ଟି ଭୀଷଣ ସମସ୍ୟା ସୃଷ୍ଟି କରିଛି। ଜୁଲାଇ ମାସ ସୁଦ୍ଧା ରାଜ୍ୟର ୧୪ଟି ଜିଲ୍ଲାରେ ଆବଶ୍ୟକତା ଅପେକ୍ଷା କମ ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ କହୁଛି। ଅଗଷ୍ଟ ପହିଲା ସୁଦ୍ଧା ଏହି ଜିଲ୍ଲାଗୁଡ଼ିକରେ ୫୦ ପ୍ରତିଶତ କମ ବର୍ଷା ହୋଇଥିବା ଯୋଗୁଁ ଚଳିତବର୍ଷ ନିଶ୍ଚିତ ମରୁଡ଼ିକୁ ଏଡ଼ାଇ ଦେଇ ହେଉନାହିଁ।

ଅନାବୃଷ୍ଟି ବିଶେଷତଃ ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ସାଙ୍ଘାତିକ ରୂପ ଧାରଣ କରିଛି। ଖରିଫ ଫସଲ ପାଇଁ ରାଜ୍ୟରେ ଜୁଲାଇ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣେ ସୁନ୍ଦରଗଡ଼, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ  ମଧ୍ୟ ଯେତିକି ବର୍ଷା ଜଳ ପାଇବା କଥା ପାଇନାହାନ୍ତି। ଏପରିକି କିଛି ଜିଲ୍ଲାରେ ମାତ୍ର ୪୦ ପ୍ରତିଶତ ବର୍ଷା ହୋଇଥିବା ଜଣାପଡ଼ିଛି।

ଆବଶ୍ୟକୀୟ ପରିମାଣର ବର୍ଷା ନ ହେବା ଯୋଗୁଁ ତଳି ପକା କାମ ଆଗେଇ ପାରୁନାହିଁ। ଏଭଳି ସ୍ଥିତିରେ ଏବର୍ଷର ଖରିଫ ଧାନ ଫସଲ କ’ଣ ହେବ ସେ କଥା ଚାଷୀମାନେ ବି କହିପାରୁନାହାନ୍ତି।ଅଗଷ୍ଟ ମାସରେ ଯଦିବା ବର୍ଷା ହୁଏ ତଥାପି ଧାନ ଫସଲ ନଷ୍ଟ ହେବାର ଆଶଙ୍କା କରାଯାଉଛି। ରାଜ୍ୟ କୃଷି ବିଭାଗର ହିସାବ ହେଉଛି ଯଦି ୧୯ ପ୍ରତିଶତ ବର୍ଷା କମ ହୁଏ କିମ୍ବା ବେଶୀ ହୁଏ ତାହାକୁ ସ୍ୱାଭାବିକ ବୃଷ୍ଟିପାତ ବୋଲି ଧରାଯିବ। ଏବର୍ଷ ବର୍ତ୍ତମାନ ସୁଦ୍ଧା ୫୫୬ ମିଲିମିଟର ବର୍ଷା ପରିବର୍ତ୍ତେ ୪୫୭ ମିଲିମିଟର ବର୍ଷା ହୋଇଛି।

ଜୁଲାଇ ମାସରେ କେବଳ ରାୟଗଡ଼ା ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା, ଗଞ୍ଜାମ, ନୂଆପଡ଼ା, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ସ୍ୱାଭାବିକ ଠାରୁ ବେଶୀ ବର୍ଷା ହୋଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏବର୍ଷ  ଓଡ଼ିଶାରେ ମୌସୁମୀ ପ୍ରବାହ ଦବି ହୋଇ ରହିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଜଣାପଡ଼ିଛି। ଏହା ଫଳରେ ଅନେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବର୍ଷା ହୁଏତ ଖରିଫ ଫସଲକୁ ରକ୍ଷା କରିବାକୁ ସମର୍ଥ ହୋଇପାରେ।

Comment