ମିନତି ମିଶ୍ର

ଜାତି ପାଇଁ ଆରମ୍ଭ ହୋଇଥିବା ଦୁଇ ସମ୍ପ୍ରଦାୟଙ୍କ ବିବାଦ ଯୋଗୁଁ ଆଜି ବି ହିଂସାରେ ଜଳୁଛି ମଣିପୁର।

ମାସେ କି ଦୁଇ ମାସ ନୁହେଁ, ଦୀର୍ଘ ୧୬ ମାସ ହେଲା ହିଂସାର ନିଆଁରେ ଜଳୁଛି ମଣିପୁର। ଲୁଟପାଟ, ପୋଡ଼ାଜଳା, ହତ୍ୟା ପରି ଖବର ଏଠି ନିତିଦିନିଆ ଘଟଣା ହୋଇଗଲାଣି। ୨୦୧୩ ମସିହା ମେ’ ୩ ତାରିଖରୁ ମଣିପୁରରେ ଜାତି ପାଇଁ ଆରମ୍ଭ ହୋଇଥିଲା ମହାଭାରତ।

ଗତକିଛି ଦିନ ହେବ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲାବେଳେ ସେପ୍ଟେମ୍ବର ୭ ତାରିଖରୁ ପୁଣି ଅଶାନ୍ତ ହୋଇଉଠିଛି ରାଜ୍ୟ। ଏଥର ଜିରିବାମ ଜିଲ୍ଲାରୁ ଆରମ୍ଭ ହୋଇଥିଲା ଅଶାନ୍ତି। ହିଂସା ଯୋଗୁଁ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ମଣିପୁରରେ ମୁହାଁମୁହିଁ ହୋଇଥିବା ଦୁଇଗୋଷ୍ଠୀଙ୍କ ପାଖରେ ଏପରି ଅତ୍ୟାଧୁନିକ ଅସ୍ତ୍ର ରହିଛି, ଯାହା ଯୁଦ୍ଧରେ ବ୍ୟବହାର କରାଯାଏ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନାକୁ ଆଣ୍ଟି ଡ୍ରୋନ ସିଷ୍ଟମ ମୁତୟନ କରିବାକୁ ପଡ଼ଛି। ପାହାଡ଼ ଇଲାକା ଏବଂ ଘାଟିରେ ଲୋକେ ବଙ୍କର କରି ରହିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଦୀର୍ଘ ୧୬ ମାସ ପରେ ବି ମଣିପୁରରେ ଏ ହିଂସା ଥମୁନି କାହିଁକି?

ଏପଟେ ରାଜ୍ୟରେ ଚାଲିଥିବା ହିଂସାକୁ ସେନା ତୁରନ୍ତ ନିୟନ୍ତ୍ରଣ କରୁ ବୋଲି ମଣିପୁର ଅଖଣ୍ଡତା ସମନ୍ୱୟ ସମିତି ଦାବି କରିଛି। ସେନାକୁ  ୫ ଦିନ ସମୟ ଦେଇଛି ସମିତି। ଏଥିସହିତ ସ୍ଥିତିକୁ ସୁଧାରିବା ଦିଗରେ କେନ୍ଦ୍ରୀୟ ସୁରକ୍ଷା ବଳର କାର୍ଯ୍ୟଶୈଳୀ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ସମିତି।

ହିଂସା ପଛର କାରଣ କ’ଣ?

ମଣିପୁରରେ ଦୁଇ ଜାତି ମଧ୍ୟରେ ଲାଗିଥିବା ବିବାଦ ଏବେ ହିଂସାର କରାଳ ରୂପ ନେଇଛି। ଏହି ଦୁଇ ଜାତି ହେଲେ କୁକି ଏବଂ ମୈତେଇ। ମଣିପୁରରେ ସିଂହଭାଗ ଲୋକ ମୈତେଇ ସମ୍ପ୍ରଦାୟର, ଅର୍ଥାତ ମୋଟ ଜନସଂଖ୍ୟାର ୫୩ ପ୍ରତିଶତ। ମୈତେଇ ହିନ୍ଦୁ ସମ୍ପ୍ରଦାୟର ହୋଇଥିବାବେଳେ କୁକି ଖ୍ରୀଷ୍ଟିୟାନ ସମ୍ପ୍ରଦାୟର। ମୈତେଇ ସମ୍ପ୍ରଦାୟର ଲୋକ ୫୩ ପ୍ରତିଶତର ହୋଇଥିଲେ ହେଁ ସେମାନେ ରାଜ୍ୟର ୧୦ ପ୍ରତିଶତ ବୁଝାଉଥିବା ଇମ୍ଫାଲରେ ରୁହନ୍ତି। ତେବେ ଅନ୍ୟ ୩୬ ଭାଗ କୁହାଯାଉଥିବା କୁକି ଆଦିବାସୀ ସମ୍ପ୍ରଦାୟର ଲୋକେ ବାକି ୯୦ ପ୍ରତିଶତ ଭୂଭାଗରେ ରୁହନ୍ତି।

ଏହି ଆଦିବାସୀମାନେ ବସବାସ କରୁଥିବା ପାହାଡ଼ ଓ ଜଙ୍ଗଲ ଭରା ଅଞ୍ଚଳ ସମ୍ବିଧାନର ଷଷ୍ଠ ଅନୁସୂଚୀ ଅନ୍ତର୍ଭୁକ୍ତ ଥିବାରୁ ତଥା ସେଠାରେ ୩୭୧ ଧାରା ଲାଗୁ ହୋଇଥିବାରୁ ବର୍ଦ୍ଧିତ ଜନସଂଖ୍ୟା ସତ୍ତ୍ୱେ ମୈତେଇମାନେ ସେସବୁ ଅଞ୍ଚଳରେ ଜମିର ମାଲିକାନା ପାଇପାରୁନାହାନ୍ତି। ଏହି ଅସନ୍ତୋଷ ହିଁ ଏଠିକା ହିଂସାର ମୁଖ୍ୟ କାରଣ।

ଏହା ବ୍ୟତୀତ ଜାତି ଜାତି ମଧ୍ୟରେ ଲାଗିଥିବା ବିବାଦରେ ଏବେ ରାଜନୀତି ପଶିବା ପରେ ଏହା ଧାର୍ମିକ ହିଂସା ରୂପ ନେବାକୁ ବସିଲାଣି।  

କାହିଁକି ଥମୁନି ହିଂସା?

ଦୀର୍ଘ ଦିନ ଧରି ଲାଗି ରହିଥିବା ହିଂସାକୁ ଦେଖି ଏବେ ଦୁଇ ସମ୍ପ୍ରଦାୟର ଲୋକେ କେହି କାହା ଅଞ୍ଚଳକୁ ଯାଉନାହାନ୍ତି। ଫଳରେ ଗୋଟିଏ ରାଜ୍ୟରେ ଯେମିତି ଏକ ପ୍ରକାର ଲାଇନ ଅଫ କଣ୍ଟ୍ରୋଲ ଟଣା ହୋଇ ଯାଇଛି। ଦୁଇ ସମ୍ପ୍ରଦାୟଙ୍କ ଭୟଙ୍କରରୁ ଅତି ଭୟଙ୍କର ମାରଣାସ୍ତ୍ର ଏକାଠି କରୁଛନ୍ତି। ସୁରକ୍ଷା ପାଇଁ ବଙ୍କର ତିଆରି କରୁଛନ୍ତି। ସୁଯୋଗ ପାଇବା ମାତ୍ରେ ଜଣେ ଅନ୍ୟ ଜଣଙ୍କ ଉପରକୁ ଆକ୍ରମଣ କରୁଛନ୍ତି ଏବଂ ବଙ୍କରରେ ଲୁଚି ଯାଉଛନ୍ତି। ଘାଟି ଏବଂ ପାହାଡ଼ି ଇଲାକାରେ ଏମାନଙ୍କୁ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼ିଛି।

କେଉଁଠୁ ପାଉଛନ୍ତି ଅସ୍ତ୍ର?

ଏଠାରେ ଏକ ବଡ଼ ପ୍ରଶ୍ନ, ସେନାବାହିନୀ ବ୍ୟବହାର କରୁଥିବା ଅତ୍ୟାଧୁନିକ ଅସ୍ତ୍ର ଏମାନେ ଏତେ ସଂଖ୍ୟାରେ ପାଉଛନ୍ତି କେଉଁଠୁ? ଅତୀତରେ ମଣିପୁରରେ ମୁତୟନ ସେନା ଯବାନଙ୍କ କ୍ୟାମ୍ପ ସମେତ ଅନେକ ଥାନାରୁ ଅସ୍ତ୍ରଶସ୍ତ୍ର ଲୁଟ ଖବର ସାମ୍ନାକୁ ଆସିଥିଲା। ଲୁଟ ହୋଇଥିବା ଅସ୍ତ୍ର ଏମାନଙ୍କ ପାଖକୁ ଆସିଥାଇ ପାରେ ବୋଲି ଅନୁମାନ କରାଯାଉଛି। ଏହା ବ୍ୟତୀତ ପଡ଼ୋଶୀ ଦେଶରୁ ବେଆଇନ ଅସ୍ତ୍ରଶସ୍ତ୍ର ଯୋଗାଣ ହେଉଥିବା ସନ୍ଦେହ ବି କରାଯାଉଛି, ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି।

ଅସହାୟ ଅବସ୍ଥାରେ ସେନା

ମଣିପୁରରେ ସୈନିକ, ଅର୍ଦ୍ଧସୈନିକ, ପୋଲିସ କର୍ମୀ ହଜାର ହଜାର ସଂଖ୍ୟାରେ ମୁତୟନ ହୋଇଛନ୍ତି। ହେଲେ ପରିସ୍ଥିତିକୁ କାବୁ କରାଯାଇପାରୁ ନାହିଁ। କାରଣ ତାଳମେଳର ଘୋର ଅଭାବ ରହିଛି। ଅତୀତରେ ଦେଖାଯାଇଛି, ଏଠିକାର ଲୋକେ ମଧ୍ୟ ସେନା ମୁତୟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ରାଜ୍ୟ ପୋଲିସର ନିରପେକ୍ଷତାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଛି।

କାହିଁକି ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ

ରାଜ୍ୟରେ ସବୁକ୍ଷେତ୍ରରେ ମୈତେଇ ସମ୍ପ୍ରଦାୟର ପ୍ରଭାବ ରହିଛି। ଏପରିକି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ମୈତେଇ ସମ୍ପ୍ରଦାୟର। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପକ୍ଷପାତ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି। ବିରୋଧୀ କହୁଛନ୍ତି, ବୀରେନ ସିଂହ ମୈତେଇ ସମ୍ପ୍ରଦାୟ ପ୍ରତି ଅଧିକ ଅନୁକମ୍ପା ଦେଖାଉଛନ୍ତି। ଏପରିକି ବିଜେପି ନେତାଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି। ନିକଟରେ ଘଟିଥିବା ହିଂସା ପାଇଁ ବି ବୀରେନ ସିଂହଙ୍କୁ ଦାୟୀ କରାଯାଇଛି। କୁହାଯାଉଛି, ତାଙ୍କର ଏକ ଅଡିଓ ଲିକ ହେବା ପରେ ହିଂସା ଉଗ୍ର ରୂପ ନେଇଥିଲା।

ଏହି ହିଂସା ପଛର କାରଣ ଯାହା ବି ହେଉନା କାହିଁକି, ତୁରନ୍ତ ଏହା ଉପରେ ବିରାମ ଲଗାଇବାକୁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Tags: #Violence #ViolenceforCaste #Manipur #SCST #Kuki #ManipurViolence #GunViolence #ThoubalDistrict #Manipur  

LEAVE A REPLY

Please enter your comment!
Please enter your name here