ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହୋଇଛି। ଚେନ୍ନାଇରେ ଖେଳାଯାଉଥିବା ଏହି ଟେଷ୍ଟରେ ଦମଦାର ବ୍ୟାଟିଂ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ବିନିମୟରେ ୩୩୯ ରନ୍ କରିଛି। ମ୍ୟାଚରେ ଶତକୀୟ ଇନିଂସ୍ ଖେଳିଛନ୍ତି ରବିଚନ୍ଦ୍ରନ ଅଶ୍ଵିନ। ରବୀନ୍ଦ୍ର ଜାଡେଜାଙ୍କ ସହ ତାଙ୍କର ଲଢୁଆ ବ୍ୟାଟିଂ ଟିମ୍ ଇଣ୍ଡିଆର ସ୍ଥିତିକୁ ସୁଦୃଢ଼ କରିଛି।
ପ୍ରଥମ ଟେଷ୍ଟରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଯଶସ୍ଵୀ ଜୟସ୍ଵାଲ୍ ଓ ଅଧିନାୟକ ରୋହିତ ଶର୍ମା ପଡ଼ିଆକୁ ଓହ୍ଲାଇଥିଲେ। ମ୍ୟାଚରେ ଆକାଶ ଦୀପଙ୍କୁ ପଦାର୍ପଣ କରିବାର ସୁଯୋଗ ମିଳିଥିଲା।
ଭାରତର ସ୍କୋର ୧୪ ହୋଇଥିବା ବେଳେ ରୋହିତ ଶର୍ମା ୬ ରନ କରି ଆଉଟ୍ ହୋଇଥିଲେ। ଅଳ୍ପ ରନ ବ୍ୟବଧାନରେ ଶୁଭମନ ଗିଲ ଓ ବିରାଟ କୋହଲୀଙ୍କ ୱିକେଟ ମଧ୍ୟ ପଡ଼ିଥିଲା। ଅନ୍ୟପଟେ ଯଶସ୍ଵୀ ଜୟସ୍ଵାଲ୍ ନିଜର ବ୍ୟାଟିଂ ଜାରି ରଖିଥିଲେ। ସେ ରିଷଭ ପନ୍ତଙ୍କ ସହ ମିଶି ଇନିଂସକୁ ଆଗକୁ ବଢ଼ାଇଥିଲେ।
୧୪୪ ରନ ହୋଇଥିବାବେଳେ ଭାରତର ଷଷ୍ଠ ୱିକେଟ୍ ପଡ଼ିଥିଲା। ଏହାପରେ ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡେଜା ଇନିଂସ୍ ଆରମ୍ଭ କରିଥିଲେ। ମ୍ୟାଚରେ ଅଶ୍ଵିନ ୧୧୨ ବଲରୁ ୧୦୨ ରନ କରି ନିଜର ଶତକ ପୂରଣ କରିଥିଲେ। ସେ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ୧୯୫ ରନର ଇନିଂସ୍ ଖେଳିଛନ୍ତି। ରବୀନ୍ଦ୍ର ଜାଡେଜା ମଧ୍ୟ ୮୬ ରନ କରିଛନ୍ତି।
ଏବେ ପ୍ରଥମ ଦିନର ଖେଳ ଶେଷରେ ଅଶ୍ଵିନ ଓ ଜାଡେଜା ଅପରାଜିତ ରହିଛନ୍ତି। ଶୁକ୍ରବାର ଉଭୟ ବ୍ୟାଟିଂ ଆରମ୍ଭ କରିବେ। ମ୍ୟାଚର ଦ୍ଵିତୀୟ ଦିନରେ ଅଧିକରୁ ଅଧିକ ରନ ସଂଗ୍ରହ କରିବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ।
Tags: #IndiavsBangladeshTestSeries #TestCricket #Chennai #BCCI #Sports #India