ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଚେନ୍ନାଇରେ ଖେଳାଯାଉଛି। ଶୁକ୍ରବାର ଏହି ଟେଷ୍ଟର ଭାରତ ମଜଭୁତ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଭାରତର ୩୭୬ ରନର ଜବାବରେ ବାଂଲାଦେଶ ୧୪୯ ରନରେ ଅଲଆଉଟ ହୋଇଛି। ମ୍ୟାଚରେ ଭାରତ ପକ୍ଷରୁ ୧୧୨ ରନର ଶତକୀୟ ଇନିଂସ୍ ଖେଳିଛନ୍ତି ରବିଚନ୍ଦ୍ରନ ଅଶ୍ଵିନ।
ଶୁକ୍ରବାର ଟେଷ୍ଟ ମ୍ୟାଚର ଦ୍ଵିତୀୟ ଦିନରେ ୩୩୯ ରନରୁ ଇନିଂସ୍ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ। ଗୁରୁବାର ୧୦୨ ରନ କରି ଅପରାଜିତ ଥିବା ରବିଚନ୍ଦ୍ରନ ଅଶ୍ଵିନ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୩୭୬ରେ ହୋଇଥିବାବେଳେ ଭାରତ ଅଲଆଉଟ୍ ହୋଇଥିଲା।
ଏହାପରେ ବାଂଲାଦେଶ ପକ୍ଷରୁ ନିଜର ପ୍ରଥମ ଇନିଂସ୍ ଖେଳିବାକୁ ଆସିଥିବାବେଳେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ଅଳ୍ପ ଅଳ୍ପ ରନ ବ୍ୟବଧାନରେ ଦଳ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ି ଚାଲିଲା। ଶେଷରେ ୧୪୯ ରନରେ ଅଲଆଉଟ୍ ହୋଇଥିଲା ବାଂଲାଦେଶ। ଏହି ଇନିଂସରେ ଭାରତ ପକ୍ଷରୁ ଯଶପ୍ରୀତ୍ ବୁମରା ୪ଟି ୱିକେଟ ନେଇଥିଲେ।
ବାଂଲାଦେଶ ଅଲଆଉଟ୍ ହେବାପରେ ଭାରତ ୨୨୭ ରନ ଲିଡ ରଖି ଦ୍ଵିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା। ଶୁକ୍ରବାର ଖେଳ ଶେଷ ସୁଦ୍ଧା ଦଳର ସ୍କୋର ୮୧/୩ ରହିଛି।
ଏବେ ଦ୍ଵିତୀୟ ଇନିଂସରେ ଭାରତ ବାଂଲାଦେଶଠାରୁ ୩୦୮ ରନରେ ଆଗୁଆ ରହିଛି। ଶନିବାର ମ୍ୟାଚର ତୃତୀୟ ଦିନରେ ଶୁଭମନ ଗିଲ ଓ ରିଷଭ ପନ୍ତ ବ୍ୟାଟିଂ ଆରମ୍ଭ କରିବେ।
Tags: #IndiavsBangladeshTestSeries #TestCricket #Chennai #BCCI #Sports #India