ଓଡ଼ିଶାଲାଇଭ୍ ବ୍ୟୁରୋ

ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହୋଇଛି ତମାଖୁ ନିବାରଣ କେନ୍ଦ୍ର(ଟିସିସି)। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି ନଡ୍ଡା ବୁଧବାର ଏହାକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ମଧ୍ୟ ଯୋଗ ଦେଇଥିଲେ।

ଏହି ତମାଖୁ ନିବାରଣ କେନ୍ଦ୍ର ତାଲିମପ୍ରାପ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ହେବ। ଔଷଧ ଏବଂ କାଉନସେଲିଂ ମାଧ୍ୟମରେ ଉଭୟ ଧୂମପାନ ଏବଂ ତମାଖୁ ସେବନ ନିବାରଣ ନିମନ୍ତେ ଏଠାରେ ବିଶେଷ ଚିକିତ୍ସା ପ୍ରଦାନ କରାଯିବ। ଏହି କେନ୍ଦ୍ର ଦୈନିକ କାର୍ଯ୍ୟ କରିବ।

“ଭାରତରେ ତମାଖୁ ମୁକ୍ତ ସମାଜ ଲକ୍ଷ୍ୟ ହାସଲ ଦିଗରେ ଏମ୍ସ ଭୁବନେଶ୍ୱରର ଏହି କେନ୍ଦ୍ର ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିବ। ଏବେ ଦେଶରେ ତମାଖୁ ମୁକ୍ତ ସମାଜ ୨.୦ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏଥିରେ ଲୋକଙ୍କ ମଧ୍ୟରେ ତମାଖୁ ସେବନ ଦ୍ଵାରା ଶରୀର ଉପରେ ପଡୁଥିବା କୁପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରାଯିବ”, କହିଛନ୍ତି ଜେ.ପି. ନଡ୍ଡା।

ତମାଖୁ ନିବାରଣ କେନ୍ଦ୍ରରେ ରୋଗୀମାନଙ୍କ ସାମଗ୍ରିକ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଏମ୍ସର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ଏହି ସେବାକୁ ପ୍ରସାର କରାଯିବ ବୋଲି ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି। ଏହାସହ ସେ ତମାଖୁ ନିବାରଣ ସଚେତନତା ଅଭିଯାନର ମହତ୍ତ୍ଵ ସମ୍ପର୍କରେ ମତ ରଖିଥିଲେ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱରର ମାନସିକ ରୋଗ ବିଭାଗ ମୁଖ୍ୟ ଡାକ୍ତର ବିଶ୍ୱରଂଜନ ମିଶ୍ର, ଏମ୍ସ ମେଡିକାଲ ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପରିଡ଼ାଙ୍କ ସମେତ ଅନ୍ୟ ବିଭାଗର ଡାକ୍ତରମାନେ ଯୋଗ ଦେଇଥିଲେ।

Tags: #AIIMSBhubaneswar #TobaccoCessationCentre #MoHFW #India

LEAVE A REPLY

Please enter your comment!
Please enter your name here