ଓଡ଼ିଶାଲାଇଭ୍ ବ୍ୟୁରୋ

ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। କାନପୁରରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟକୁ ୭ ୱିକେଟରେ ଜିତି ନେଇ ୨-୦ରେ ସିରିଜ୍ କ୍ଲିନ୍ ସୁଇପ୍ କରିଛି ଭାରତୀୟ ଦଳ। ଯଶସ୍ଵୀ ଜୟସ୍ଵାଲ୍ ପ୍ଲେୟାର ଅଫ ଦି ମ୍ୟାଚ୍ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି।

ଦ୍ଵିତୀୟ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ପ୍ରଥମ ଦିନ ମ୍ୟାଚ ଅଳ୍ପ ଖେଳାଯାଇଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। କାନପୁରରେ ଲଗାଣ ବର୍ଷା ଏବଂ ଷ୍ଟାଡିୟମରେ ଓଦା ଆଉଟଫିଲ୍ଡ ଯୋଗୁଁ ଏହି ଟେଷ୍ଟର ଦ୍ଵିତୀୟ ଓ ତୃତୀୟ ଦିନର ମ୍ୟାଚ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା।

ତେବେ ସୋମବାର ମ୍ୟାଚର ଚତୁର୍ଥ ଦିନରେ ବାଂଲାଦେଶକୁ ପ୍ରଥମ ଇନିଂସରେ ୨୩୩ ରନରେ ଅଲଆଉଟ କରିଥିଲା ଭାରତ। ଏହାପରେ ଟିମ୍ ଇଣ୍ଡିଆ ପକ୍ଷରୁ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଯଶସ୍ଵୀ ଜୟସ୍ଵାଲ୍। ଏହି ଇନିଂସରେ ଭାରତୀୟ ଖେଳାଳିମାନେ ଦ୍ରୁତ ଗତିରେ ରନ ବର୍ଷା କରି ନୂଆ ଇତିହାସ ରଚିଥିଲେ। ଟେଷ୍ଟ କ୍ରିକେଟରେ ଦଳଗତ ଭାବେ ଦ୍ରୁତତମ ୫୦, ୧୦୦, ୧୫୦, ୨୦୦ ରନ ହାସଲ କରି ନୂଆ ରେକର୍ଡ ସୃଷ୍ଟି ହୋଇଥିଲା।

ପ୍ରଥମ ଇନିଂସରେ ଭାରତ ୨୮୫ ରନ କରି ବାଂଲାଦେଶ ବିପକ୍ଷରେ ୫୨ ରନ ଲିଡ୍ ହାସଲ କରିଥିଲା। ଏହାପରେ ଦ୍ଵିତୀୟ ଇନିଂସ୍ ଖେଳିବାକୁ ଆସିଥିବା ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ମଙ୍ଗଳବାର ଭାରତୀୟ ବୋଲରମାନେ ବାଂଲାଦେଶକୁ ୧୪୬ ରନରେ ଅଲଆଉଟ କରିଥିଲେ।

ଏହାପରେ ଭାରତ ଖୁବ ସହଜରେ ୯୫ ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପକ୍ଷରୁ ଯଶସ୍ଵୀ ଜୟସ୍ଵାଲ୍ ଉଭୟ ଇନିଂସରେ ୧୨୩ ରନ କରିଥିଲେ। ସେହିପରି ରବିଚନ୍ଦ୍ରନ ଅଶ୍ଵିନ ୫ଟି ୱିକେଟ ହାସଲ କରିଥିଲେ।

ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚେନ୍ନାଇରେ ଖେଳାଯାଇଥିଲା। ଏଥିରେ ଭାରତ ୨୮୦ ରନରେ ବିଜୟୀ ହୋଇଥିଲା। ଏବେ କାନପୁର ଟେଷ୍ଟ ଜିତି ଦଳ ସିରିଜ କ୍ଲିନ୍ ସୁଇପ୍ କରିଛି।

Tags: #IndiavsBangladeshTestSeries #TestCricket #Kanpur #BCCI #Sports #India

LEAVE A REPLY

Please enter your comment!
Please enter your name here