ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନର ଜୟପୁରସ୍ଥିତ ମଣିପାଲ ବିଶ୍ୱବିଦ୍ୟାଳୟରେ ମଡେଲ ୟୁନାଇଟେଡ ନେସନ୍ସ ସମ୍ମିଳନୀ (ମୁଜମୁନ) ଅନୁଷ୍ଠିତ ହୋଇଛି। ଚଳିତବର୍ଷ ସମ୍ମିଳନୀର ୧୧ତମ ସଂସ୍କରଣରେ କୂଟନୈତିକ ସମ୍ପର୍କ ଓ କଥାବାର୍ତ୍ତା ବିଷୟରେ ଆଲୋଚନା କରାଯାଇଛି। ଏହାସହ ମିଳିତ ଜାତିସଂଘର ବିଭିନ୍ନ କାର୍ଯ୍ୟଶୈଳୀ ବିଷୟରେ ଚର୍ଚ୍ଚା କରାଯାଇଥିଲା। ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ମିଡିଆ ଆଣ୍ଡ କମ୍ୟୁନିକେସନର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଫକୀରମୋହନ ନାହାକ ଏହାର ଉଦଘାଟନ କରିଥିଲେ।

ଏହି ସମ୍ମିଳନୀରେ ଭାରତର ବିଭିନ୍ନ ଅନୁଷ୍ଠାନର ୩୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ସେମାନେ ଲିଙ୍ଗଗତ ଅସମାନତା, ସାଇବର ଆତଙ୍କବାଦ, ଗଣମାଧ୍ୟମର ବ୍ୟବହାର, ନିର୍ବାଚନ ସଂସ୍କାର, ଦ୍ୱନ୍ଦ୍ୱ ଆଦି ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନାରେ ଭାଗ ନେଇଥିଲେ। ମିଳିତ ଜାତିସଂଘରେ ହେଉଥିବା ବିଭିନ୍ନ କାର୍ଯ୍ୟାବଳୀକୁ ସମ୍ମିଳନୀରେ ଦର୍ଶାଯାଇଥିଲା।

“ବିଶ୍ୱ ଶାନ୍ତିରେ ଯୁବ ବର୍ଗର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ। ସେମାନଙ୍କଠାରେ ସବୁ ସମସ୍ୟାର ସମାଧାନ କରିବାର କ୍ଷମତା ନିହିତ ରହିଛି। ସମସ୍ତଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ, ସହଯୋଗ, ସହ-ଅସ୍ତିତ୍ୱ, ସମାନତା ଏବଂ ଭାଇଚାରା ରହିବା ଦରକାର। ଏହାଦ୍ଵାରା ଦେଶର ପ୍ରଗତି ପଥରେ ଆଗେଇ ଚାଲିବ”, କହିଛନ୍ତି ପ୍ରଫେସର ଡକ୍ଟର ଫକୀରମୋହନ ନାହାକ।

ସେ ଆହୁରି ମଧ୍ୟ କହିଛନ୍ତି, “ଯୁବବର୍ଗଙ୍କୁ ଅନ୍ତର୍ଜାତୀୟ ରାଜନୀତି, ଦେଶ ଦେଶ ମଧ୍ୟରେ ସମ୍ପର୍କ ତଥା ଜାତିସଂଘର କାର୍ଯ୍ୟଶୈଳୀ ସହ ପରିଚିତ କରିବା ଲକ୍ଷ୍ୟରେ ମଡେଲ ୟୁନାଇଟେଡ ନେସନ୍ସ ସମ୍ମିଳନୀର ଆୟୋଜନ କରାଯାଉଛି। ଏହା ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରସଙ୍ଗ ବିଷୟରେ ବୁଝିବାରେ ସହାୟକ ହେବ ବୋଲି ଆଶା।”

ଏଠାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି), ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ), ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏଏଚଆରସି), ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) ଭଳି ସଂସ୍ଥାର ବିଭିନ୍ନ ପ୍ରସଙ୍ଗରେ କାର୍ଯ୍ୟାବଳୀର ନାଟ୍ୟରୂପାନ୍ତରଣ କରାଯାଇଥିଲା। ଯୁକ୍ତି ଏବଂ ମତଭେଦ ପରିସ୍ଥିତିରେ ଚିନ୍ତା ପ୍ରକ୍ରିୟାକରଣ ଏବଂ ଆଚରଣଗତ ଶିଷ୍ଟାଚାର ବିଷୟରେ ଏଠାରେ ଦର୍ଶାଯାଇଥିଲା।

ଚଳିତବର୍ଷ ସମ୍ମିଳନୀରେ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ସ୍ନାତକୋତ୍ତର ପଢୁଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ସେମାନେ ଜାତିସଂଘର ବିଭିନ୍ନ କାର୍ଯ୍ୟ ବିଷୟରେ ଜାଣିବାର ସୁଯୋଗ ପାଇଥିଲେ। ସମ୍ମିଳନୀରେ ଶେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ସମ୍ମିଳନୀରେ ମଣିପାଲ ବିଶ୍ୱବିଦ୍ୟାଳୟ କଳା ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଆନ୍ଥୋନି ସବାରି ରାଜ, ଅଧ୍ୟାପକ ଡକ୍ଟର ଅଭନୀଶ କୁମାର, ସମ୍ମିଳନୀର ସାଧାରଣ ସଚିବ ଯତୀନ ଜୁନେଜା ଓ ଉପସଚିବ ତନୟ ଶାହ ପ୍ରମୁଖ ଯୋଗ ଦେଇଥିଲେ।    

Tags: #MUJMUN #ModelUnitedNationsSummit #ManipalUniversity #Jaipur #Rajasthan

LEAVE A REPLY

Please enter your comment!
Please enter your name here