ଭାସ୍କର ପରିଚ୍ଛା 

ରାଜସ୍ଥାନର କୋଟାରେ ବଢ଼ୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସମସ୍ୟାର ଆତ୍ମଚିନ୍ତନ ପାଇଁ ଉଚ୍ଚସ୍ତରୀୟ ବୈଠକ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ଏବେ ଘୋର ଚିନ୍ତାର ବିଷୟ ହୋଇଛି। ଏହା ଏକ ମହାମାରୀ ପରି ସମଗ୍ର ଦେଶରେ ବ୍ୟାପିଛି। ରାଜସ୍ଥାନର କୋଟା ଏହି ଆତ୍ମହତ୍ୟାର କେନ୍ଦ୍ର ବିନ୍ଦୁ ପାଲଟିଛି। ଚଳିତ ବର୍ଷ ଏଠାରେ ୨୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରି ନିଜ ଜୀବନ ହାରିସାରିଲେଣି। ଗତ ରବିବାର ମଧ୍ୟ କୋଟାରେ ୨ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ। ଏହି ସମସ୍ୟାର ଆତ୍ମଚିନ୍ତନ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ମାନସିକାତାକୁ ହ୍ରାସ କରିବା ପାଇଁ ଏଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ରାଜସ୍ଥାନର ଉଚ୍ଚ ଶିକ୍ଷା ଓ ବୈଷୟିକ ବିଭାଗର ପ୍ରମୁଖ ସଚିବ ଭୱାନୀ ସିଂ ଦେଠାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କୋଟାର ସମସ୍ତ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଆଇଆଇଟି ଓ ନିଟ୍ ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ନିମନ୍ତେ ଏହି ଅନଲାଇନ୍ ମିଟିଂରେ ବହୁ ନିଷ୍ପତ୍ତି ନିଆଯାଇଛି।

ବୈଠକର ନିଷ୍ପତ୍ତି ଅନୁସାରେ ଏବେ ସପ୍ତାହରେ ପ୍ରତି ବୁଧବାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଦିନ ଅଧା ପାଠପଢ଼ା, ଅଧା ଖେଳକୁଦ ରହିବ। ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ କୋଚିଂ ସେଣ୍ଟରରେ କୌଣସି ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଅନେକ ଛାତ୍ରଛାତ୍ରୀ ଚାପମୁକ୍ତ ହୋଇପାରିବେ ବୋଲି ଚିନ୍ତା କରାଯାଇଛି।

ସେହିପରି ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବା ପାଇଁ ଅନଲାଇନ୍ ମୋଟିଭେସନାଲ କ୍ଲାସ୍ କରିବା ନିମନ୍ତେ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏହାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଛାଡ଼ିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳରେ ଛାତ୍ରଛାତ୍ରୀଙ୍କୁ ମନସ୍ତାତ୍ତ୍ୱିକ ପରାମର୍ଶ ଦେବାକୁ କୁହାଯାଇଛି।

ଅନ୍ୟପଟେ ବିଭିନ୍ନ ବିଷୟର ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରି ଛାତ୍ରଛାତ୍ରୀଙ୍କ ଉପରୁ ପାଠପଢ଼ା ବୋଝ କମ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହି କମିଟି ସେପ୍ଟେମ୍ବର ୨ ତାରିଖରେ କୋଟା ପରିଦର୍ଶନରେ ସେମାନଙ୍କ ଯାଇ ସମସ୍ୟା ବୁଝିବ। ଏହାଦ୍ୱାରା ପରିବାରଠୁ ଦୂରରେ ରହୁଥିବା ପିଲାମାନେ ମାନସିକ ଚାପମୁକ୍ତ ହେବେ ବୋଲି ଆଶା କରାଯାଉଛି।

ଏଥିସହ କୋଟାରେ ପିଲାଙ୍କ ନିମନ୍ତେ ଏକ ଥାନା ଗଠନ ନିମନ୍ତେ କୋଟାର ପୋଲିସ ସୁପରିନଟେଣ୍ଡେଣ୍ଟ ବୈଠକରେ ପ୍ରସ୍ତାବ ଦେଇଛନ୍ତି। ଉକ୍ତ ଥାନା ପିଲାଙ୍କ ନିମନ୍ତେ ସବୁବେଳେ ଖୋଲା ରହିବ ଓ କେବଳ ସେମାନଙ୍କ ସମସ୍ୟାର ସମାଧାନ କରିବ।

କୋଟାରେ ଗତ ରବିବାର ୨ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ସାମନାକୁ ଆସିବାପରେ ରାଜସ୍ଥାନ ସରକାର ତତ୍ପର ହୋଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଭୱାନୀ ସିଂ ଦେଠାଙ୍କ ନେତୃତ୍ୱରେ ଏକ କମିଟି ଗଠନ କରି ଆସନ୍ତା ୧୫ ଦିନରେ ରିପୋର୍ଟ ଦେବାକୁ କହିଛନ୍ତି।

ଏହି ସବୁ ପଦକ୍ଷେପ କେତେ ଦୂର ସଫଳ ହେବ ତାହା ପରେ ଜଣାପଡ଼ିବ। କିନ୍ତୁ ସମସ୍ୟାର ମୂଳକୁ ଯିବା ଅତ୍ୟନ୍ତ ଜରୁରୀ। ପିଲାଙ୍କ ସାମର୍ଥ୍ୟ ଓ ପସନ୍ଦ ଅନୁସାରେ ସେମାନଙ୍କୁ ଶିକ୍ଷା ଦିଆଯିବା ଆବଶ୍ୟକ। ବାପା ମାଙ୍କୁ ଏ ଦିଗରେ ପ୍ରଥମେ ନିଜକୁ ପ୍ରସ୍ତୁତ କରିବାକୁ ହେବ।

Tags: #Suicide #KotaStudents #MentalHealth #Kota #Rajasthan

 

LEAVE A REPLY

Please enter your comment!
Please enter your name here