ମିନତି ମିଶ୍ର

ମଧ୍ୟ ପ୍ରାଚ୍ୟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ମୁହାଁମୁହିଁ ସ୍ଥିତି ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ସମ୍ଭାବନାକୁ ନେଇ ଅର୍ଥନୈତିକ ହାହାକାର ସୃଷ୍ଟି ହୋଇଛି। ବିଭିନ୍ନ ଦେଶର ଷ୍ଟକ ମାର୍କେଟ ତଳ ମୁହାଁ ହୋଇଛି। ଭାରତ ମଧ୍ୟ ଏଥିରୁ ବର୍ତ୍ତି ପାରିନାହିଁ।

ଇସ୍ରାଏଲ ଓ ଇରାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଭାରତୀୟ ଷ୍ଟକ ବଜାର କାରବାରରେ ଭୂକମ୍ପ ଆଣିଛି। ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ଲଗାତର ଭାବେ ତଳକୁ ଖସିଛି। ଭାରତୀୟ ନିବେଶକମାନେ ଗୁରୁବାର ଗୋଟିଏ ଦିନରେ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

ଗୁରୁବାର କାରବାର ଶେଷରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସରେ ୧,୭୬୯ ପଏଣ୍ଟ ହ୍ରାସ ପାଇଥିବାବେଳେ ନାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ନିଫ୍ଟି ୫୪୬ ପଏଣ୍ଟ ଖସି ୨୫,୨୫୦ ପଏଣ୍ଟରେ ବନ୍ଦ ହାଇଥିଲା। ସେହିପରି ଭାରତୀୟ ଇକ୍ୱିଟି ବଜାରରେ ଦେଖା ଦେଇଥିବା ହ୍ରାସ ଫଳରେ ବିଏସଇ ତାଲିକାଭୁକ୍ତ କମ୍ପାନିର ବଜାର ମୂଲ୍ୟ ୯.୭୧ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। 

ବଢ଼ିଲା ତୈଳ ଦର

ଇସ୍ରାଏଲ ଉପରେ ଇରାନର ମିସାଇଲ ଆକ୍ରମଣ ପରେ ଏବେ ଇସ୍ରାଏଲ ଏହାର ଜବାବ ଦେବାକୁ ପ୍ରସ୍ତୁତ ହେଉଛି। ଏପରି ସ୍ଥିତିରେ ମଧ୍ୟ ପ୍ରାଚ୍ୟରୁ ତୈଳ ଯୋଗାଣ ପ୍ରଭାବିତ ହେବା ନେଇ ଭୟ ଲାଗି ରହିଛି। ଏଥିଲାଗି ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ ଦର ୭୫ ହଜାର ଡଲାର ପାର କରିଥିବାବେଳେ ଡବ୍ଲ୍ୟୁଟିଆଇ କ୍ରୁଡ ଦରରେ ମଧ୍ୟ ନିଆଁ ଲାଗିଛି।

ଏହା ଭାରତ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ତୈଳ ଦର ବୃଦ୍ଧି ହେଲେ ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପାଇବ। ଏହା ଭାରତର ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚିବ ବୋଲି ଅନେକ ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି।  

ପ୍ରତିରକ୍ଷା ସାମଗ୍ରୀ ଯୋଗାଣ ପ୍ରଭାବିତ ହେବ

ବିଶ୍ଵରେ ଆଉ ଏକ ବଡ଼ ଯୁଦ୍ଧ ହେଲେ ଭାରତକୁ ଅନ୍ୟ ଦେଶରୁ ପ୍ରତିରକ୍ଷା ସାମଗ୍ରୀ ମିଳିବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଅବସରପ୍ରାପ୍ତ ସେନା ଅଧିକାରୀ ମେଜର ଜେନରାଲ ଅଶୋକ କୁମାରଙ୍କ କହିବା ଅନୁଯାୟୀ, “ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତକୁ ରୁଷରୁ ଆସିବାକୁ ଥିବା ଯୁଦ୍ଧ ସାମଗ୍ରୀ ଉପରେ ପ୍ରଭାବ ପଡ଼ିଛି। ଏପରି ସ୍ଥିତିରେ ଭାରତ ଆମେରିକା, ଇଜ୍ରାଏଲ ଏବଂ ନାଟୋ ଦେଶ ଉପରେ ନିର୍ଭର କରିଥିଲା। ଯଦି ଇସ୍ରାଏଲ-ଇରାନ ଯୁଦ୍ଧ ହେଲେ ଭାରତ ଆମଦାନୀ ଇସ୍ରାଏଲ ଓ ଆମେରିକା ସମେତ ଅନ୍ୟ ଦେଶରୁ ଆମଦାନୀ କରୁଥିବା ଯୁଦ୍ଧ ସାମଗ୍ରୀ ମିଳିବା ବନ୍ଦ ହୋଇପାରେ। ଏହି ସମୟରେ ଏଲଏସିରେ କୌଣସି କାରଣରୁ ଚୀନ ସହ ବିବାଦ ବଢ଼ିଲେ, ଭାରତ ନିଜ ସପ୍ଲାୟରଙ୍କଠାରୁ ସାହାଯ୍ୟ ପାଇପାରିବ ନାହିଁ।”

ବାଣିଜ୍ୟିକ କ୍ଷେତ୍ରରେ ଭାରତ ପାଇଁ ଅଡୁଆ

ବାଣିଜ୍ୟ ଦୃଷ୍ଟିରୁ ଭାରତ ପାଇଁ ଉଭୟ ଇରାନ ଏବଂ ଇସ୍ରାଏଲ ଗୁରୁତ୍ୱପୂର୍ଣ୍ଣ। ଭାରତର ଏହି ଦୁଇ ଦେଶ ସହ ଭଲ ବାଣିଜ୍ୟିକ କାରବାର ରହିଛି। ଏହାସହ ମଧ୍ୟ ଏସୀୟ ଏବଂ ପୂର୍ବ ୟୁରୋପୀୟ ଦେଶ ସହ ଭାରତର ବାଣିଜ୍ୟିକ କାରବାର ପାଇଁ ଇରାନ ଯୋଗେ ହୋଇଥାଏ। ତେବେ ଯୁଦ୍ଧ ହେଲେ ଏହା ଭାରତର ବାଣିଜ୍ୟିକ କାରବାର ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। 

ଜରୁରୀ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ

ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସିଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଥିଲେ।

ଯୁଦ୍ଧ ସଙ୍କଟ ବଢ଼ିଲେ ବାଣିଜ୍ୟ, ତୈଳ, ପେଟ୍ରୋଲିୟମ ଉତ୍ପାଦ ସପ୍ଲାଏ ଚେନ ଓ ଜାହାଜ ଚଳାଚଳ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏଥିସହିତ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା।

Tags: #Israel-IranConflict #War #MiddelEast #EconomicEffects #India

LEAVE A REPLY

Please enter your comment!
Please enter your name here