ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵର ସବୁ ଦେଶର ମୁଦ୍ରା ସେହି ଦେଶର ଇତିହାସ ବୟାନ କରିଥାଏ। ଅଧିକାଂଶ ଦେଶର ନୋଟ ଉପରେ ସେହି ଦେଶର ମହାନ ନେତା ତଥା ବିଶେଷ ନେତୃବର୍ଗଙ୍କ ଛବିକୁ ସ୍ଥାନ ଦିଆଯାଇଥାଏ। ଏହା ଏକ ସମ୍ମାନ ଭାବେ ବିବେଚନା କରାଯାଇଥାଏ।

ଏହି କ୍ରମରେ ଦେଖିବାକୁ ଗଲେ ଆମେରିକାରେ ଜର୍ଜ ୱାଶିଂଟନ, ପାକିସ୍ଥାନରେ ମହମ୍ମଦ ଅଲ୍ଲୀ ଜିନା ଏବଂ ଚୀନରେ ମାଓସେ ତୁଙ୍ଗ ଏବଂ ଭାରତରେ ମହାତ୍ମା ଗାନ୍ଧୀଙ୍କ ଫଟୋ କରେନ୍ସି ନୋଟରେ ଦେଖିବାକୁ ମିଳିଥାଏ।

ତେବେ ଆପଣ ଜାଣିଛନ୍ତି ଭାରତ ସ୍ଵାଧୀନ ହେବା ପରେ ୨୨ ବର୍ଷ ଯାଏଁ ଦେଶର ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ନଥିଲା। ତେବେ ଜାଣନ୍ତୁ ଏମିତି କାହିଁକି ହୋଇଥିଲା?  

ଗାନ୍ଧୀଙ୍କ ବଦଳରେ ମନୋନୀତ ହେଲା ଏହି ଫଟୋ  

ଭାରତର ସ୍ୱାଧୀନତା ପରେ ଭାରତୀୟ ଟଙ୍କାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛାପିବା ପ୍ରସ୍ତାବ ଦିଆ ଯାଇଥିଲା। ସେଥିପାଇଁ ଡିଜାଇନ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ତେବେ ପ୍ରଥମେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ବଦଳରେ ଅଶୋକ ଚକ୍ର କିମ୍ବା ଅଶୋକ ସ୍ତମ୍ଭ ରଖିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା।

ଭାରତ ସରକାର ପ୍ରଥମେ ୧୯୪୯ରେ ଏକ ଟଙ୍କିଆ ନୋଟର ଡିଜାଇନ ପ୍ରସ୍ତୁତ କରିଥିଲେ। ସେଥିରେ ଅଶୋକ ସ୍ତମ୍ଭ ଛାପିବା ପାଇଁ ସ୍ଥିର କରାଯାଇଥିଲା। ଏହି ନୋଟରେ ବିଶେଷ କିଛି ପରିବର୍ତ୍ତନ କରାଯାଇ ନ ଥିଲା।

ଏହାପରେ ୧୯୫୦ରେ ଦେଶରେ ପ୍ରଥମ ଥର ପାଇଁ ୨, ୫, ୧୦ ଏବଂ ୧୦୦ ଟଙ୍କିଆ ନୋଟ ପ୍ରଚଳନ କରାଯାଇଥିଲା। ଏଥିରେ ବି ମହାତ୍ମା ଗାନ୍ଧୀଙ୍କ ଚିହ୍ନ ସ୍ଥାନ ପାଇ ନ ଥିଲା। ୧୯୫୦ରୁ ୬୦ ଦଶକ ମଧ୍ୟରେ ନୋଟ ଉପରେ ବାଘ ଏବଂ ହରଣ ଫଟୋ ସ୍ଥାନିତ ହୋଇଥିଲା।

ଏହାପରେ ହୀରାକୁଦ ଡ୍ୟାମ, ଆର୍ଯ୍ୟଭଟ୍ଟ ଉପଗ୍ରହ ପରି ଉଦ୍ୟୋଗିକ ଉନ୍ନତିର ପ୍ରତୀକ, ବୃହଦେଶ୍ୱର ମନ୍ଦିରର ଛବି ନୋଟରେ ଦେଖିବାକୁ ମିଳିଥିଲା। ବିକାଶ ଏବଂ ଆଧୁନିକୀକରଣ ସହ ଦେଶର ସାଂସ୍କୃତିକ ଐତିହ୍ୟ ଉପରେ ନୂଆ ଭାରତ କେତେ ଗୁରୁତ୍ୱ ଦେଉଛି, ତାହା ଦର୍ଶାଇବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିଲେ।

୨୨ ବର୍ଷ ପରେ ଲାଗିଲା ଗାନ୍ଧୀଙ୍କ ଫଟୋ

ସ୍ୱାଧୀନତାର ୨୨ ବର୍ଷ ପରେ ୧୯୬୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଭାରତୀୟ ନୋଟରେ ଦେଖିବାକୁ ମିଳିଥିଲା। ତାହା ପୁଣି ସବୁ ଟଙ୍କାରେ ନୁହେଁ, କେବଳ ଏକ ଟଙ୍କିଆ ନୋଟରେ ଦେଖିବାକୁ ମିଳିଥିଲା। ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏହି ନୋଟ ବଜାରକୁ ଆସିଥିଲା। ସେବାଗ୍ରାମ ଆଶ୍ରମରେ ମହାତ୍ମା ଗାନ୍ଧୀ ବସିଥିବା ସମୟର ଏହି ଫଟୋ ଥିଲା।

ଆସିଲା ୫୦୦ ଟଙ୍କିଆ ନୋଟ

୧୯୮୭ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୫୦୦ ଟଙ୍କିଆ ନୋଟ ଉପରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛାପିଥିଲା। ପରେ ୧୯୯୬ରେ ଆରବିଆଇ ଏହି ନୋଟକୁ ବନ୍ଦ କରି ଦେଇଥିଲା। ହେଲେ ସେହି ବର୍ଷ ମହାତ୍ମା ଗାନ୍ଧୀଙ୍କ ଫଟୋର ସିରିଜ ସହ ସହ ନୂଆ ନୋଟ ଛାପିଥିଲା ଆରବିଆଇ।

କେଉଁଠୁ ଆସିଥିଲା ନୋଟର ଫଟୋ

ପୂର୍ବର ନୋଟରେ ଲାଗିଥିବା ମହାତ୍ମା ଗାନ୍ଧୀଙ୍କ ଫଟୋ ଅଙ୍କା ଫଟୋ ନ ଥିଲା। ଏହା ୧୯୪୬ରେ ରାଷ୍ଟ୍ରପତି ଭବନ (ତତ୍କାଳନୀନ ଭାଇସରାୟ ଭବନ) ବାହାରେ ମହାତ୍ମା ଗାନ୍ଧୀ ଉଠାଇଥିବା ଏକ ଫଟୋରୁ କଟା ଯାଇଥିଲା। ହେଲେ ଏହି ନୂଆ ସିରିଜ ଫଟୋ ଅଙ୍କା ଯାଇଥିବା ଫଟୋ ଥିଲା।

ସିକ୍ୟୁରିଟି ଫିଚର ସହ ଏହି ଫଟୋ ଛପା ଯାଇଥିଲା। ଏହାର ୱାଟର ମାର୍କ ବି ବଦଳା ଯାଇଥିଲା। ଏହି ନୋଟ ଏମିତି ପ୍ରସ୍ତୁତ କରାଯାଇଥିଲା ଯାହାକୁ ଅନ୍ଧଲୋକ ବି ସହଜରେ ଜାଣି ପାରିବ। ଏହାସହ ନକଲି ନୋଟର ପ୍ରଚଳନକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ନୂଆ ନୋଟ ପ୍ରଚାଳନ କରାଯାଇଥିଲା।

ପରବର୍ତ୍ତୀ ସମୟରେ ଅନେକଥର ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଅନ୍ୟ ବ୍ୟକ୍ତି ବିଶେଷଙ୍କ ଫଟୋ ଲଗାଇବା ପାଇଁ ଦାବି ହୋଇଥିଲା। ଏଥିରେ ଜବାହାରଲାଲ ନେହରୁ, ସୁଭାଷ ଚନ୍ଦ୍ର ବୋଷ, ସରଦାର ବଲ୍ଲଭଭାଇ ପଟେଲ ଏପରିକି ଲକ୍ଷ୍ମୀ ଏବଂ ଗଣେଶଙ୍କ ପରି ଦେବୀ ଦେବତାଙ୍କ ଫଟୋ ରଖିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆ ଯାଇଥିଲା। ତେବେ ୨୦୧୭ ମସିହାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଥିବା ଅରୁଣ ଜେଟଲି ଭାରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ଫଟୋ ଟଙ୍କାରେ ଲଗାଯିବ ନାହିଁ ବୋଲି ଲୋକସଭାରେ ଘୋଷଣା କରିଥିଲେ।

Tags: #IndianCurrency #CurrencyNotes #MahatmaGandhi #RBI #India

LEAVE A REPLY

Please enter your comment!
Please enter your name here