ମିନତି ମିଶ୍ର

ଜାଣନ୍ତୁ ଏସସିଓ ସମ୍ମିଳନୀ କ’ଣ ଏବଂ ଭାରତ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ?

ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପାକିସ୍ତାନରେ ଆୟୋଜିତ ଏସସିଓ ସମ୍ମିଳନୀରେ ଯୋଗ ଦେଇ ଭାରତ ଫେରିଛନ୍ତି। ଉଭୟ ଦେଶ ପାଇଁ ଏହି ସମ୍ମିଳନୀ ଖୁବ ଗୁରୁତ୍ୱପୂର୍ଣ୍ଣ ଥିଲା। ଦୀର୍ଘ ୯ ବର୍ଷ ପରେ ପାକିସ୍ତାନ ମାଟିରେ ପାଦ ରଖିଥିଲେ ଭାରତର ବିଦେଶ ମନ୍ତ୍ରୀ।

ଏହି ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଓ ଚୀନ ଉପରେ ବର୍ଷିଥିଲେ ଡକ୍ଟର ଏସ୍ ଜୟଶଙ୍କର। ଏହାସହ ସାର୍ବଭୌମତା ପ୍ରସଙ୍ଗକୁ ଦୃଢ଼ ସ୍ୱରରେ ଉଠାଇ ଚୀନ-ପାକିସ୍ତାନ ଇକୋନମିକ କରିଡରକୁ (ସିପିଇସି) ଭାରତ ଗ୍ରହଣ କରିବ ନାହିଁ ବୋଲି ସଫା ସଫା କହିଥିଲେ।     

“ଏସସିଓ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ପାରିସ୍ପରିକ ସମ୍ମାନ ଏବଂ ସମାନତା ଆଧାରରରେ ହେବା ଦରକାର। ଏହା ଏକତରଫା ଏଜେଣ୍ଡା ଉପରେ ନୁହେଁ ପାରସ୍ପାରିକ ବୁଝାମଣା ଉପରେ ହେବା ଆବଶ୍ୟକ। ସବୁ ରାଷ୍ଟ୍ର ଅନ୍ୟ ଦେଶର ସାର୍ବଭୌମତ୍ୱକୁ ସମ୍ମାନ ଦେଲେ ସମ୍ପର୍କ ଭଲ ରହିବ” କହିଥିଲେ ଡକ୍ଟର ଏସ୍ ଜୟଶଙ୍କର।

ସେ ଆହୁରି ମଧ୍ୟ କହିଥିଲେ, “ଏସସିଓର ମୁଖ୍ୟ ଲକ୍ଷ ହେଉଛି ପରସ୍ପର ମଧ୍ୟରେ ଭରସା, ବନ୍ଧୁତା ଏବଂ ସମ୍ପର୍କକୁ ମଜଭୁତ କରିବା। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ମଧ୍ୟ ଏହାର ଉଦ୍ଦେଶ୍ୟ। ଆମ ପାଇଁ ତିନୋଟି ମୁଖ୍ୟ ଆହ୍ୱାନ ରହିଛି ଆତଙ୍କବାଦ, ବଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ। ଏହାର ମୁକାବିଲା କରିବା ପାଇଁ ଏସସିଓ ଦୃଢ଼ ପ୍ରତିବଦ୍ଧ। ଏଥିପାଇଁ ଆଲୋଚନା କରିବାର ଆବଶ୍ୟକତା ରହିଛି।”

ଏହି ବୈଠକରେ ଆତଙ୍କବାଦ ଏବଂ ବ୍ୟବସାୟ ଏକା ସାଙ୍ଗରେ ହୋଇ ପାରିବନାହିଁ ବୋଲି ପାକିସ୍ତାନକୁ ସିଧା ସିଧା ଶୁଣାଇ ଦେଇଥିଲେ ବିଦେଶ ମନ୍ତ୍ରୀ। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପାକିସ୍ତାନକୁ ପରାମର୍ଶ ଦେଇଥିଲେ।

ତେବେ ଏହି ଏସସିଓ ସମ୍ମିଳନୀ କ’ଣ ଓ ଭାରତ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ? ସେ ବିଷୟରେ ଆସନ୍ତୁ ଜାଣିବା।

ଏସସିଓ ସଂଗଠନ କ’ଣ?

୧୦ଟି ରାଷ୍ଟ୍ରକୁ ନେଇ ଏହି ଏସସିଓ ବା ସାଂଘାଇ ସହଯୋଗ ସଂଗଠନ ଗଠିତ। ୨୦୦୧ ଜୁନ୍ ୧୫ ତାରିଖରେ ଚୀନରେ ଏହି ସଂଗଠନର ସ୍ଥାପନା ହୋଇଥିଲା। ସେତେବେଳେ ଏହି ସଂଗଠନରେ ଚୀନ, କାଜକସ୍ତାନ, କିର୍ଗିସ୍ତାନ, ରୁଷ ଏବଂ ତାଜିକିସ୍ତାନ ସାମିଲ ହୋଇଥିଲେ। ଏହିସବୁ ଦେଶକୁ ସାଂଘାଇ ୫ ନାମରେ ପରିଚିତ ଥିଲେ।

ପରେ ସଂଗଠନ ଉଜବେକିସ୍ତାନକୁ ସାମିଲା କରିଥିଲା। ଫଳରେ ଏହି ସଂଗଠନ ସାଂଘାଇ ସିକ୍ସରେ ବଦଳିଗଲା। ଏସସିଓ ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ବେଜିଂରେ ରହିଛି। ଏହାର ଅଧ୍ୟକ୍ଷତା ଏକବର୍ଷିଆ ରୋଟେସନରେ କରାଯାଇଥାଏ।

କେମିତି ସଦସ୍ୟତା ପାଇଲା ଭାରତ

ଏସସିଓରେ ଭରତକୁ ୨୦୦୫ ମସିହାରେ ପର୍ଯ୍ୟବେକ୍ଷକ ଦେଶର ମାନ୍ୟତା ଦିଆଯାଇଥିଲା। ଏହା ପରେ ଭାରତ ସମସ୍ତ ଏସସିଓ ବୈଠକରେ ଭାଗ ନେଇ ଆସୁଥିଲା। ୨୦୧୬ରେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜବେକିସ୍ଥାନର ତାଶକନ୍ଦ ଏସସିଓ ସମ୍ମିଳନୀରେ ଭାଗ ନେଇଥିଲେ ଏବଂ ସଙ୍ଗଠନର ସଦସ୍ୟ ଦେଶର ମାନ୍ୟତା ପାଇଁ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ।

୨୦୧୭ ଜୁନ ୯ ତାରିଖରେ ଭାରତ ଏବଂ ପାକିସ୍ତାନ ସମ୍ପର୍ଣ୍ଣ ଭାବେ ଏସସିଓରେ ସାମିଲ ହୋଇଥିଲେ। ଏହି ଦୁଇ ଦେଶକୁ ମିଶାଇଲେ ଏବେ ଏସସିଓରେ ୧୦ ସଦସ୍ୟ ରାଷ୍ଟ୍ର ଅଛନ୍ତି।

କାହିଁକି ହୁଏ ଏସସିଓ ସମ୍ମିଳନୀ?

ଏସସିଓ ସମ୍ମିଳନୀ ପ୍ରତି ବର୍ଷ ସଦସ୍ୟ ରାଷ୍ଟ୍ରର ରାଜଧାନୀରେ ଆୟୋଜିତ ହୋଇଥାଏ। ସଦସ୍ୟ ରାଷ୍ଟ୍ରମାନଙ୍କରେ ଥିବା ବିଭିନ୍ନ ଆନ୍ତର୍ଜାତୀୟ ସମସ୍ୟା ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ୨୦୨୪ ଏସସିଓ ସମ୍ମିଳନୀ ଅକ୍ଟୋବର ୧୫ ଓ ୧୬ ଦୁଇ ଦିନ ପାଇଁ ଇସଲାମବାଦରେ ଅନୁଷ୍ଠିତ ହୋଇଥିଲା।

ଏସସିଓର ମୁଖ୍ୟ ଲକ୍ଷ୍ୟ

ବିଶ୍ୱର ଅନ୍ୟ ବଡ଼ ବଡ଼ ସଙ୍ଗଠନ ମଧ୍ୟରେ ଏସସିଓ ଗୋଟିଏ। ଭୌଗଳିକ ଅବସ୍ଥିତି ଏବଂ ଲୋକସଂଖ୍ୟା ଦୃଷ୍ଟିରୁ ଦେଖିଲେ ଏହା ବିଶ୍ୱର ସବୁଠାରୁ ବଡ଼ ଆଞ୍ଚଳିକ ସଙ୍ଗଠନ ଅଟେ। ଏହା ବିଶ୍ୱର ପାଖାପାଖି ୨୪ ପ୍ରତିଶତ ଅଞ୍ଚଳରେ ପରିବ୍ୟାପ୍ତ। ମୁଖ୍ୟତଃ ରାଜନୈତିକ, ଆର୍ଥିକ, ଅନ୍ତରାଷ୍ଟ୍ରୀୟ ସୁରକ୍ଷା ଏବଂ ସୁରକ୍ଷା ସଙ୍ଗଠନକୁ ମଜଭୁତ କରିବା ଏହି ଏସସିଓର ମୁଖ୍ୟ ଲକ୍ଷ୍ୟ।  

ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ

ଭାରତ ପାଇଁ ଏହି ସଂଗଠନ ବିଶେଷ ମହତ୍ୱ ରଖେ। ଏହା ଏପରି ଏକ ମଞ୍ଚ ଯେଉଁଠି ଭାରତ ଉଭୟ ପାକିସ୍ତାନ ଏବଂ ଚୀନ ସହ ଏକାଠି ବୈଠକ କରିବା ସହ ଆଲୋଚନା କରିବାର ସୁଯୋଗ ପାଇଥାଏ। ଏଥିସହିତ ଆତଙ୍କବାଦ, ବିଶ୍ୱ ଶାନ୍ତି ପରି ପ୍ରସଙ୍ଗ ଉପରେ ଖୋଲାଖୋଲି ଭାବେ ଭାରତ ନିଜର ପକ୍ଷ ରଖି ପାରିଥାଏ। ବ୍ୟାବସାୟିକ, ଆର୍ଥିକ ସମ୍ପର୍କ ଏବଂ ରାଜନୈତିକ ସମ୍ବନ୍ଧକୁ ମଜଭୁତ କରିବା କ୍ଷେତ୍ରରେ ଏସସିଓ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଏ। 

Tags: #SCOSummit2024 #Islamabad #DrSJaisankar #Pakistan

LEAVE A REPLY

Please enter your comment!
Please enter your name here