ଓଡ଼ିଶାଲାଇଭ୍ ବ୍ୟୁରୋ

ବେଙ୍ଗାଳୁରୁରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପାଇଁ କଠିନ ପରିସ୍ଥିତି ଉପୁଜିଛି। ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ଦ୍ଵିତୀୟ ଇନିଂସରେ ୪୬୨ ରନ୍ କରିବାରେ ସକ୍ଷମ ହୋଇଛି। ଏବେ ୧୦୭ ରନର ଟାର୍ଗେଟ ସହ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି।  

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ଭୟଙ୍କର ବିପର୍ଯ୍ୟୟର ସାମ୍ନା କରିଥିଲା। ଦଳ ୪୬ ରନରେ ଅଲଆଉଟ୍ ହେବାପରେ ନ୍ୟୁଜିଲାଣ୍ଡ ନିଜ ପ୍ରଥମ ଇନିଂସରେ ୪୦୨ ରନର ବିଶାଳ ସ୍କୋର କରିଥିଲା।

ତେବେ ଦ୍ଵିତୀୟ ଇନିଂସରେ ଭାରତ ନିଜ ବ୍ୟାଟିଂରେ ସୁଧାର କରିଥିଲା। ଶୁକ୍ରବାର ଦଳ ୩ ୱିକେଟ ହରାଇ ୨୩୧ ରନ୍ କରିଥିବାବେଳେ ଶନିବାର ମ୍ୟାଚର ଚତୁର୍ଥ ଦିନରେ ଦଳ ସେହିଠାରୁ ବ୍ୟାଟିଂ ଆରମ୍ଭ କରିଥିଲା। ୭୦ ରନରେ ଅପରାଜିତ ଥିବା ସରଫରାଜ ଖାନ ନିଜର ଶତକ ପୂରଣ କରିଥିଲେ। ଶତକ ପୂରଣ କରିବା ପରେ ବି ସେ ନିଜର ଲଢୁଆ ବ୍ୟାଟିଂ ଜାରି ରଖି ୧୫୦ ରନ୍ ପୂରଣ କରିଥିଲେ। 

ସରଫରାଜଙ୍କ ସହ ରିଷଭ ପନ୍ତ ମଧ୍ୟ ଭଲ ପାର୍ଟନରସିପ୍ କରିଥିଲେ। ତେବେ ସରଫରାଜ ଆଉଟ ହେବା ପରେ ରିଷଭ ୯୯ ରନରେ ଆଉଟ ହୋଇ ଶତକରୁ ବଞ୍ଚିତ ହୋଇଥିଲେ। ରିଷଭ ଆଉଟ ହେବା ପରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୪୩୩ରେ ୫ ୱିକେଟ ହରାଇଥିବା ଭାରତ ଶେଷରେ ୪୬୨ ରନରେ ଅଲଆଉଟ ହୋଇଥିଲା।

ଏବେ ରବିବାର ମ୍ୟାଚର ଶେଷ ଦିନରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ମାତ୍ର ୧୦୭ ରନର ବିଜୟ ଲକ୍ଷ୍ୟ ରହିଛି।

Tags: #IndiavsNewZealandTestSeries #TestCricket #Bengaluru #BCCI #Sports #India

LEAVE A REPLY

Please enter your comment!
Please enter your name here