ଓଡ଼ିଶାଲାଇଭ୍ ବ୍ୟୁରୋ

ଥମୁନି ବିମାନରେ ବୋମା ଆତଙ୍କ। ଏକାଧିକ ଭାରତୀୟ ଏୟାରଲାଇନ୍ସର ବିମାନରେ ବୋମା ଆତଙ୍କ ଘଟଣା ଯାତ୍ରୀଙ୍କ ନିଦ ହଜାଇ ଦେଇଛି। ଗତ ସପ୍ତାହକ ମଧ୍ୟରେ ବିମାନରେ ବୋମା ଥିବା ନେଇ ପ୍ରାୟ ୭୦ରୁ ଅଧିକ ଧମକ ମିଳିଲାଣି। ଫଳରେ ଯାତ୍ରୀ ଭୟଭୀତ ହେବା ସହ ବିମାନ ଚଳାଚଳ ବାଧାପ୍ରପ୍ତ ହେଉଛି। ଏଥିପାଇଁ ବିମାନ କମ୍ପାନିକୁ ଆର୍ଥିକ କ୍ଷତି ସହିବାକୁ ପଡୁଛି।

ରବିବାର ଇଣ୍ଡିଗୋ, ଭିସ୍ତାରା, ଏୟାର ଇଣ୍ଡିଆ, ଆକାସା ଏୟାର ପରି ବିଭିନ୍ନ ବିମାନକୁ ଧମକ ଆସିଥିଲା। ଧମକ ପାଇବା ପରେ ଯାଞ୍ଚ ପାଇଁ ତୁରନ୍ତ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହାପରେ ସବୁ ବିମାନର ଯାଞ୍ଚ କରାଯାଇଥିବାବେଳେ କୌଣସି ବୋମା ମିଳିନଥିଲା।

ଇଣ୍ଡିଗୋ ଏୟାରଲାଇନ୍ସର ଗୋଆରୁ ଅହମ୍ମଦାବାଦ ଯାଉଥିବା ୬ଇ ୧୧୨, ପୁଣେରୁ ଯୋଧପୁର ଯାଉଥିବା ବିମାନ ୬ଇ ୧୩୩ ଏବଂ ସାଉଦୀ ଆରବର ଜେଦ୍ଦାରୁ ମୁମ୍ବାଇ ଯାଉଥିବା ବିମାନ ୬ଇ ୫୮ ବିମାନକୁ ଏହିପରି ଧମକ ମିଳିଥିଲା। ସେହିପରି ଏୟାର ଇଣ୍ଡିଆର ଦିଲ୍ଲୀରୁ ଚିକାଗୋ ଯାଉଥିବା ବିମାନରେ ମଧ୍ୟ ବୋମା ଥିବା ଧମକ ମିଳିଥିଲା।

କେମିତି ମିଳୁଛି ଧମକ

ଏହି ବୋମା ଧମକ କେତେବେଳେ ସୋସିଆଲ ମିଡିଆ ଜରିଆରେ ପଠାଯାଉଛି ତ କେତେବେଳେ ଇମେଲ ତଥା ଫୋନ ମାଧ୍ୟମରେ ଆସୁଛି। ଏପରି ବାରମ୍ବାର ବୋମା ଧମକ ମିଳିବା ପରେ ବିମାନ ଚଳାଚଳ କ୍ଷେତ୍ରରେ ଅସ୍ଥିରତା ଦେଖିବାକୁ ମିଳିଛି।

ଯଦିଓ ଏସବୁ ମିଥ୍ୟା ପ୍ରମାଣିତ ହୋଇଛି ତଥାପି ବିମାନ କମ୍ପାନି ଏହାର ଯାଞ୍ଚ କରୁଛନ୍ତି। ଅନେକ ସମୟରେ ଉଡାଣରେ ବିଳମ୍ବ ହେଉଛି। କେତେକ କ୍ଷେତ୍ରରେ ଜରୁରୀ ଅବତରଣ ମଧ୍ୟ କରାଯାଉଛି। ଏସବୁ ପ୍ରକ୍ରିୟାରେ କମ୍ପାନି କୋଟି କୋଟି ଟଙ୍କାର ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି।

ବାରବାର ବୋମା ଧମକ ମିଳିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ସିଇଓଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିମାନରେ ସମସ୍ତ ପ୍ରକାର ସୁରକ୍ଷା ପ୍ରୋଟୋକଲ ଏବଂ ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୁମ୍ବାଇ ପୋଲିସ ବୋମା ଧମକ ଦେବା ଅଭିଯୋଗରେ ଜଣେ ନାବାଳକଙ୍କୁ ଧରିଥିଲେ। ଏହି ନାବାଳକ ଅକ୍ଟୋବର ୧୪ ତାରିଖରେ ଉଡାଣ ଭରୁଥିବା ୩ଟି ବିମାନକୁ ଏପରି ଧମକ ଦେଇଥିଲା। ରାଜନନ୍ଦଗାଓଁର ଏହି ୧୭ ବର୍ଷ ନାବାଳକ ନିଜ ସାଙ୍ଗକୁ ଫସାଇବା ପାଇଁ ଏପରି ଷଡ଼ଯନ୍ତ୍ର କରିଥିଲା। ପୋଲିସର କିହିବା ଅନୁଯାୟୀ, ନାବାଳକ ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଧମକ ଦେଉଥିଲା ।

ବୋମା ଧମକ ରୋକିବା ପାଇଁ କଡ଼ା ନିୟମ

ବୋମା ଧମକ ରୋକିବା ପାଇଁ କଡା ନିୟମ ପ୍ରଣୟନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ଏଥିରେ ଦୋଷୀଙ୍କୁ ଜେଲ୍ ଦଣ୍ଡ ସହ ସେମାନଙ୍କୁ ନୋ-ଫ୍ଲାଏ ଲିଷ୍ଟରେ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ଵାରା ସେ ଭବିଷ୍ୟତରେ ଆଉ ବିମାନ ଯାତ୍ରା କରି ପାରିବେ ନାହିଁ। ଏଥିସହିତ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାପାଇଁ ବ୍ୟୁରୋ ଅଫ୍ ସିଭିଲ ଏଭିଏସନ ସିକ୍ୟୁରିଟିକୁ (ବିସିଏଏସ) ପଦକ୍ଷେପ ନେବାକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Tags: #BombThreat #Airlines #Passengers #DGCA #India

Comment