ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପୁଣେରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୧୩ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ୨-୦ରେ ଅଗ୍ରଣୀ ହୋଇ ସିରିଜ୍ କବ୍ଜା କରିଛି ନ୍ୟୁଜିଲାଣ୍ଡ। ଏହାପୂର୍ବରୁ ବେଙ୍ଗାଳୁରୁରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ମଧ୍ୟ ହରିଥିଲା ଟିମ୍ ଇଣ୍ଡିଆ। ୧୨ ବର୍ଷ ପରେ ଭାରତ ନିଜ ମାଟିରେ ଟେଷ୍ଟ ସିରିଜରେ ପରାଜିତ ହୋଇଛି।
ଦ୍ଵିତୀୟ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ନ୍ୟୁଜିଲାଣ୍ଡ। ପ୍ରଥମ ଇନିଂସରେ ଦଳ ୨୫୯ ରନ କରିବାରେ ସଫଳ ହୋଇଥିଲା। ଏଥିରେ ଭାରତ ପକ୍ଷରୁ ସ୍ପିନର ୱାଶିଂଟନ ସୁନ୍ଦର ୭ଟି ୱିକେଟ୍ ନେଇଥିଲେ। ଏହାପରେ ଭାରତ ନିଜ ପ୍ରଥମ ଇନିଂସରେ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଥିଲା। ଏହି ଇନିଂସରେ ନ୍ୟୁଜିଲାଣ୍ଡ ସ୍ପିନର ମିଚଲ୍ ସେଣ୍ଟନର ୭ ୱିକେଟ ନେଇ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟସ୍ତ କରିଥିଲେ।
ଦ୍ୱିତୀୟ ଇନିଂସରେ ୧୦୩ ରନର ଲିଡ୍ ସହ ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। ଏହି ଇନିଂସରେ ଦଳ ୨୫୫ ରନ୍ କରିବାରେ ସଫଳ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍ ଲେଥମ ସର୍ବାଧିକ ୮୬ ରନ୍ କରିଥିଲେ।
ନ୍ୟୁଜିଲାଣ୍ଡ ଦ୍ଵିତୀୟ ଇନିଂସରେ ୨୫୫ ରନ୍ ସହ ଭାରତ ଆଗରେ ୩୫୯ ରନର ବିଜୟ ଲକ୍ଷ୍ୟ ରଖିଥିଲା। ତେବେ ଭାରତ ନିଜର ଦ୍ୱିତୀୟ ଇନିଂସରେ ୨୪୫ ରନରେ ଅଲଆଉଟ ହୋଇଥିଲା। ଏଥିରେ ଭାରତୀୟ ଖେଳାଳିମାନେ ଅତି ଖରାପ ବ୍ୟାଟିଂ କରିଥିବା ଦେଖିବକୁ ମିଳିଥିଲା। ଯଶସ୍ଵୀ ଜୟସ୍ୱାଲଙ୍କୁ ଛାଡ଼ି ଅନ୍ୟ ସମସ୍ତ ଖେଳାଳି ରନ୍ କରିବା ପାଇଁ ସଂଘର୍ଷ କରି ଆଉଟ୍ ହୋଇଥିଲେ। ମିଚଲ୍ ସେଣ୍ଟନର ଏହି ଇନିଂସରେ ୬ଟି ୱିକେଟ୍ ନେଇଥିଲେ।
ପୁଣେ ଟେଷ୍ଟ ହାରିବା ସହ ଭାରତୀୟ ଟିମ୍ ସିରିଜ୍ ମଧ୍ୟ ହରାଇଛି। ଏହାସହ ନ୍ୟୁଜିଲାଣ୍ଡ ଟିମ୍ ପ୍ରଥମ ଥର ପାଇଁ ଭାରତ ମାଟିରେ ଟେଷ୍ଟ ସିରିଜ୍ ଜିତି ଇତିହାସ ରଚିଛି। ନ୍ୟୁଜିଲାଣ୍ଡର ବାମାହାତୀ ସ୍ପିନର ମିଚଲ ସେଣ୍ଟନର ପ୍ଲେୟାର୍ ଅଫ୍ ଦି ମ୍ୟାଚ ହୋଇଛନ୍ତି। ସେଣ୍ଟନର ମ୍ୟାଚର ଦୁଇ ଇନିଂସରେ ମୋଟ ୧୩ଟି ୱିକେଟ୍ ନେଇଥିଲେ।
ଏହାପୂର୍ବରୁ ୨୦୧୨ ମସିହାରେ ଭାରତ ଘରୋଇ ମାଟିରେ ଇଂଲଣ୍ଡଠାରୁ ଟେଷ୍ଟ ସିରିଜ୍ ହାରିଥିଲା।
Tags: #IndiavsNewZealandTestSeries #TestCricket #Pune #BCCI #Sports #India