ଓଡ଼ିଶାଲାଇଭ୍ ବ୍ୟୁରୋ
ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଚର୍ଚ୍ଚାର ଏବେ ଅବସାନ ଘଟିଛି। ରତନ ଟାଟା ଛାଡ଼ି ଯାଇଥିବା ୧୦ ହଜାର କୋଟି ଟଙ୍କା ସମ୍ପତ୍ତିର ଉତ୍ତରାଧିକାରୀ କେଉଁମାନେ ହେବେ ତାହାର ୱିଲ୍ ସାମ୍ନାକୁ ଆସିଛି।
ଶିଳ୍ପଜଗତର ମହାନାୟକ ରତନ ଟାଟାଙ୍କ ଅକ୍ଟୋବର ୯ ତାରଖରେ ପରଲୋକ ହୋଇଥିଲା। ସେ ତାଙ୍କ ସମ୍ପତ୍ତିର କିଛି ଅଂଶ ନିଜର ବନ୍ଧୁ ତଥା ଟାଟା ଟ୍ରଷ୍ଟର ସର୍ବକନିଷ୍ଠ ଜେନେରାଲ ମ୍ୟାନେଜର ଶାନ୍ତନୁ ନାଇଡୁଙ୍କ ନାଁରେ କରିଛନ୍ତି। ଏହାସହ ଘରୋଇ ସହାୟକ ସୁବୈୟା, ରୋଷେୟା ରାଜନଙ୍କ ନାଁରେ ମଧ୍ୟ କିଛି ସମ୍ପତ୍ତି ଛାଡ଼ି ଯାଇଛନ୍ତି। ଏପରିକି ସେ ନିଜର ୬ ବର୍ଷର ଜର୍ମାନସେପର୍ଡ କୁକୁର ‘ଟିଟୋ’ ନାଁରେ ମଧ୍ୟ ସମ୍ପତ୍ତି ଛାଡ଼ି ଯାଇଛନ୍ତି। ଏହି କୁକୁରର ଲାଳନ ପାଳନ ଦାୟିତ୍ୱ ରୋଷେୟା ରାଜନ ହାତରେ ସମର୍ପି ଦେଇଛନ୍ତି ରତନ ଟାଟା।
ଶାନ୍ତନୁଙ୍କ ନାଁରେ ‘ଗୁଡଫେଲୋସ‘ ସେୟାର
ଶାନ୍ତନୁ ନାଇଡୁ ରତନ ଟାଟାଙ୍କର ଅତି ଘନିଷ୍ଠ ଥିଲେ। ସେ ମାଷ୍ଟର ଡିଗ୍ରୀ କରିବା ପାଇଁ ଆମେରିକା ଯାଇଥିଲେ। ସେଠାରୁ ଫେରିବା ପରେ ଟାଟା ଗ୍ରୁପରେ ଜେନେରାଲ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ଟାଟା ଗ୍ରୁପର ମ୍ୟାନେଜମେଣ୍ଟ କାମ ବ୍ୟତୀତ ସେ ବିଭିନ୍ନ ସାମାଜିକ କାମ କରନ୍ତି। ତାଙ୍କର ଏହି କାମକୁ ରତନ ଟାଟା ସମର୍ଥନ କରୁଥିଲେ।
ଏହି କାର୍ଯ୍ୟକ୍ରମ ମଧ୍ୟରୁ ‘ଗୁଡଫେଲୋସ’ ଗୋଟିଏ ଯାହା ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସେବା। ଏହା ୨୦୨୨ରେ ଆରମ୍ଭ ହୋଇଥିଲା। ଗୁଡଫେଲୋସରେ ଥିବା ନିଜ ଅଂଶଧନକୁ ଶାନ୍ତନୁ ନାଇଡୁଙ୍କ ନାମରେ କରି ଦେଇଛନ୍ତି ରତନ ଟାଟା। ଏଥି ସହ ଉଚ୍ଚ ଶିକ୍ଷା ପାଇଁ ଶାନ୍ତନୁଙ୍କ ବିଦେଶ ଗସ୍ତ ବାବଦ ସମସ୍ତ ଖର୍ଚ୍ଚରୁ ତାଙ୍କୁ ମୁକ୍ତ କରି ଦେଇଛନ୍ତି।
ଅନ୍ୟମାନଙ୍କୁ ବି କଲେ ଅଂଶୀଦାର
କୋଲାବାରେ ଥିବା ହଲେକାଇ ହାଉସ, ଯେଉଁଠାରେ ରତନ ଟାଟା ଶେଷ ଯାଏଁ ରହୁଥିଲେ ତାହାକୁ ‘ଏୱାର୍ଟ ଇନଭେଷ୍ଟମେଣ୍ଟ’ ହାତରେ ସମର୍ପି ଦେଇଛନ୍ତି ରତନ ଟାଟା। ଏୱାର୍ଟ ଇନଭେଷ୍ଟମେଣ୍ଟ ଟାଟା ସନ୍ସର ଏକ ସହାୟକ କମ୍ପାନି। ଏହି ଘରର ଭବିଷ୍ୟତ କ’ଣ ହେବ ତାହା ‘ଏୱାର୍ଟ ଇନଭେଷ୍ଟମେଣ୍ଟ’ ନିର୍ଦ୍ଧାରଣ କରିବ।
ନିଜ ସମ୍ପତ୍ତିର କିଛି ଅଂଶ ଭାଇ ଜିମି ଟାଟା, ସାବତ ଭଉଣୀ ଶିରିନ ଓ ଡିଆାନ ଜିଜାଭୟଙ୍କ ନାଁରେ ଛାଡ଼ି ଯାଇଛନ୍ତି ରତନ ଟାଟା। ସେ ‘ଟାଟା ସନ୍ସ’ର ୦.୮୩ ପ୍ରତିଶତ ସେୟାର ହୋଲଡର ଥିଲେ। ଏହି ସେୟାରକୁ ସେ ରତନ ଟାଟା ଏଣ୍ଡୋମେଣ୍ଟ ଫାଉଣ୍ଡେସନକୁ (ଆରଟିଇଏଫ) ହସ୍ତାନ୍ତର କରାଯିବା ନେଇ ୱିଲରେ ଉଲ୍ଲେଖ କରିଛନ୍ତି।
ରତନ ଟାଟା ନିଜ ସମ୍ପତିର ଅଧିକାଂଶ ଭାଗ ସମାଜସେବା ପାଇଁ ଦାନ କରିଆସୁଥିଲେ। ଏହାସହ ସେ ଓଲା, ପେଟିଏମ, ଫାଷ୍ଟ କ୍ରାଏ ପରି ଏକାଧିକ କମ୍ପାନିରେ ପୁଞ୍ଜି ନିବେଶ କରିଥିଲେ। ତାଙ୍କ ସମ୍ପତ୍ତି ମଧ୍ୟରେ ରହିଛି ମହାରାଷ୍ଟ୍ର ଆଲିବାଗ ସି ବିଚରେ ୨ ହଜାର ବର୍ଗଫୁଟର ବଙ୍ଗଳା, ମୁମ୍ବାଇର ଜୁହୁ ତାରାରୋଡରେ ଥିବା ୨ ମହଲା କୋଠା ଓ ୩୫୦ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ।
ରତନ ଟାଟା ତାଙ୍କ ସମ୍ପତିର କିପରି ବିନିଯୋଗ ହେବ ସେ ନେଇ କରିଥିବା ଇଚ୍ଛାପତ୍ର ବା ୱିଲକୁ କାର୍ଯ୍ୟକାରୀ କରିବା ପାଇଁ ଆଇନଜୀବୀ ଦାରିୟସ୍ ଖମ୍ବାଟା ଏବଂ ତାଙ୍କର ଦୀର୍ଘଦିନର ସହଯୋଗୀ ମେହଲି ମିସ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିଲେ। ଏହାବ୍ୟତୀତ ସେ ତାଙ୍କର ସାବତ ଭଉଣୀ ଶିରିନ ଓ ଦୀନା ଜିଜାଭୟଙ୍କୁ ମଧ୍ୟ ଶେଷ ଇଚ୍ଛାପତ୍ର କାର୍ଯ୍ୟକାରୀ କରାଇବା ଦାୟିତ୍ୱ ଦେଇ ଯାଇଛନ୍ତି।
Tags: #RatanTata #TATAGroup #Industrialist #ShantanuNaidu #India