ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ। ମଙ୍ଗଳବାର ରବୀନ୍ଦ୍ର ମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଏଠାରେ ଆଲୋଚନା କରାଯାଇଥିଲା। ଏହାସହ ବିପର୍ଯ୍ୟୟ ସମୟରେ ମାନବିକ ସହାୟତା ପ୍ରଦାନ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା।

ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ନେଇ ସମ୍ବୋଧିତ କରିଥିଲେ। ନିକଟରେ ଆସିଥିବା ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ସେ ସବୁ ବିଭାଗକୁ ପ୍ରଶଂସା କରିଥିଲେ। ଏହାସହ ସମସ୍ତଙ୍କୁ ବିପର୍ଯ୍ୟୟ ପ୍ରସ୍ତୁତିର ଶପଥ ପାଠ କରାଇଥିଲେ ମୁଖ୍ୟମନ୍ତ୍ରୀ।

“ଓଡ଼ିଶା ଭାରତର ଏପରି ଏକ ରାଜ୍ୟ ଯେଉଁଠାରେ ପ୍ରତିବର୍ଷ ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ। ଏହାର ମୁକାବିଲା ପାଇଁ ଓଡ଼ିଶା ପାଖରେ ସବୁ ସାଧନ ରହିଛି। ୧୯୯୯ର ମହାବାତ୍ୟାରୁ ଶିକ୍ଷା ନେଇ ଓଡ଼ିଶା ନିଜର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି। ଆମେ ଟେକ୍ନୋଲୋଜି ଓ ଟିମ୍ ୱାର୍କ ସହ ‘ଜିରୋ କାଜୁଆଲିଟି’ ମନ୍ତ୍ରକୁ ଆଧାର କରି ସବୁ ବିପର୍ଯ୍ୟୟକୁ ସାମ୍ନା କରିବାରେ ସକ୍ଷମ ରହିଛୁ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।   

ସେ ଆହୁରି ମଧ୍ୟ କହିଛନ୍ତି, “ଆଜିର ସମୟରେ ରାଜ୍ୟରେ ୮୪୪ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇଛି। ବାତ୍ୟା ଓ ବନ୍ୟା ଭଳି ପରିସ୍ଥିତିରେ ଲୋକଙ୍କୁ ଆଗୁଆ ସତର୍କ କରାଯାଇ ମୁଲ୍ୟବାନ ଜୀବନ ବଞ୍ଚାଯାଇପାରୁଛି। ଏବେ ୨୬ଟି ଗାଁକୁ ସୁନାମୀ ରେଡି ଭିଲେଜ ଭାବେ ବିକଶିତ କରାଯାଇଛି। ଆଗକୁ ଏହି ସଂଖ୍ୟା ୩୮୧କୁ ବୃଦ୍ଧି କରାଯିବ। ବିପର୍ଯ୍ୟୟ ପରିଚାଳନାକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଛି।”

ଏହି ଅବସରରେ ରାଜ୍ୟରେ ଏକ ସ୍ଵତନ୍ତ୍ର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ନିର୍ମାଣ ଏବଂ ଆଉ ୧୦ଟି ଓଡ୍ରାଫ ୟୁନିଟ୍ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବାତ୍ୟା ଦାନା ସମୟରେ ଲୋକଙ୍କ ସହାୟତା କରିଥିବା କେନ୍ଦ୍ରାପଡ଼ାର ଆଶାକର୍ମୀ ଶିବାନୀ ମଣ୍ଡଳ, କେନ୍ଦ୍ରାପଡ଼ାର ୧୦୮ ଅମ୍ବୁଲାନ୍ସ ଡ୍ରାଇଭର ମାନସ ମଲ୍ଲିକ ଓ ନୟାଗଡ଼ର ସରୋଜ ସାହୁଙ୍କୁ ବାର୍ଷିକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ସେମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ମିଳିଥିଲା। ଏହାସହ ବିପର୍ଯ୍ୟୟ ସମୟରେ ବିଶିଷ୍ଟ ସେବା ପାଇଁ ଏନଡିଆରଏଫ, ଓଡ୍ରାଫ, ସିଭିଲ ଡିଫେନ୍ସ ଭଳି ଅନୁଷ୍ଠାନ ସମେତ ବିଭିନ୍ନ ଜିଲ୍ଲାକୁ ସମ୍ବର୍ଦ୍ଧିତ କରାଯାଇଥିଲା।  

ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ରହିଥିବା ବିଭିନ୍ନ ବ୍ୟବସ୍ଥାର ଏଠାରେ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ମିଳିତ ଜାତିସଙ୍ଘର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ତଥା ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ନିଶମ ବହିନୀ, ରେଡକ୍ରସ୍ ଓ ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ପ୍ରଦର୍ଶନୀକୁ ବୁଲି ଦେଖିଥିଲେ।

ଏଠାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ (ଓଏସଡିଏମଏ) ୨୫ ବର୍ଷର ଯାତ୍ରା ଉପରେ ଲିଖିତ ପୁସ୍ତକ ‘କ୍ରାଇସିସ୍ ଟୁ କନଫିଡେନ୍ସ’ର ଉନ୍ମୋଚନ କରାଯାଇଥିଲା। ଏହାସହ ବିପର୍ଯ୍ୟୟରେ ପ୍ରାଣୀ ସମ୍ପଦ ହାନି ହେଲେ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏକ ୱେବ ପୋର୍ଟାଲର ଲୋକାର୍ପଣ କରାଯାଇଥିଲା। ଏହି ଅବସରରେ ରାଜ୍ୟରେ ବିପର୍ଯ୍ୟୟର ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ ସହ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ଵାକ୍ଷର କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜ୍ୟ ସ୍ଵତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂହ ଓ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଓଡ଼ିଶାରେ ପ୍ରଳୟଙ୍କାରୀ ମହାବାତ୍ୟାରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଥିଲା। ଏହାକୁ ମନେ ପକାଇବା ତଥା ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିନକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରୁଛନ୍ତି ଓଡ଼ିଶା ସରକାର। ଚଳିତ ବର୍ଷ ଏହି ଦିବସର ଥିମ ରହିଛି ‘ଆଗୁଆ ପଦକ୍ଷେପ ପାଇଁ ପ୍ରାକ୍ ସତର୍କ ସୂଚନା’।

Tags: #NaturalDisasterPreparednessDay #NationalNaturalDisasterReductionDay #NaturalDisaster #CMMohanCharanMajhi #Odisha

LEAVE A REPLY

Please enter your comment!
Please enter your name here