ମିନତି ମିଶ୍ର

କାନାଡା ସରକାର ନିଜ ଦେଶରେ ‘ଅଷ୍ଟ୍ରେଲିଆ ଟୁଡେ’ ଚ୍ୟାନେଲର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲର ପ୍ରସାରଣ ବନ୍ଦ କରିବା ସହ ଏହାକୁ ବ୍ଲକ କରି ଦେଇଛନ୍ତି। ଭାରତୀୟ ବିଦେଶ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଷ୍ଟ୍ରେଲିଆରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବାବେଳେ ଅଷ୍ଟ୍ରେଲିଆ ଟୁଡେ ତାହାର ସିଧା ପ୍ରସାରଣ କରୁଥିଲା। ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର ଭାରତ-କାନାଡା ମଧ୍ୟରେ ବିଗିଡ଼ି ଯାଉଥିବା କୂଟନୈତିକ ସମ୍ପର୍କ ଉପରେ ଆଲୋଚନା କରୁଥିଲେ। ସାମ୍ବାଦିକ ସମ୍ମିଳନୀ ପ୍ରସାରଣର ମାତ୍ର କିଛି ସମୟ ପରେ କାନାଡାରେ ଏହି ଚ୍ୟାନେଲକୁ ବନ୍ଦ କରି ଦିଆଯାଇଥିଲା। 

କାନାଡାର ଏପରି ପଦକ୍ଷେପ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ଭାରତ। ଅଷ୍ଟ୍ରେଲିଆର ଗଣମାଧ୍ୟମ ଉପରେ ଏପରି ପ୍ରତିବନ୍ଧକ ଲଗାଯିବା ଏକ ଚକିତ କରିବା ପରି ଘଟଣା। ଏହାଦ୍ୱାରା କାନାଡା ବାକ୍ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଉଛି ବୋଲି ଅଭିଯୋଗ କରିଛି ଭାରତ।

“ଅଷ୍ଟ୍ରେଲିଆ ଟୁଡେ ଚ୍ୟାନେଲ ଓ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ କାନାଡାରେ ବ୍ଲକ କରି ଦିଆଯାଇଛି। ଏହି ପେଜ ଏବେ କାନାଡାରେ ଦର୍ଶକମାନଙ୍କ ପାଇଁ ଉପଲବ୍ଧ ନାହିଁ। ଡକ୍ଟର ଏସ୍ ଜୟଶଙ୍କର ଏବଂ ପେନୀ ୱଙ୍ଗଙ୍କ ସାମ୍ବାଦିକ ସମ୍ମିଳନୀର କିଛି ସମୟ ପରେ ଏହାକୁ ବ୍ଲକ କରିଦିଆ ଯାଇଛି। ବ୍ୟକ୍ତିର ବାକ୍ ସ୍ୱାଧୀନତା ଉପରେ କାନାଡାର ଅଙ୍କୁଶ ଲଗାଇବାର ମାନସିକତା ଏଥିରୁ ସ୍ପଷ୍ଟ ଜଣାପଡୁଛି”, କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ।

ସେ ଆହୁରି ମଧ୍ୟ କହିଛନ୍ତି, “ସିଡନୀରେ ଡକ୍ଟର ଜୟଶଙ୍କର ତିନୋଟି କଥା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଥମରେ, କାନାଡା ଭାରତ ବିରୋଧରେ ବିନା ପ୍ରମାଣରେ ଅଭିଯୋଗ ଲଗାଇଲା। ଦ୍ୱିତୀୟ କଥା ହେଉଛି, କାନାଡାରେ ଭାରତୀୟ କୁଟନୀତିଜ୍ଞଙ୍କ ଉପରେ ନଜର ରଖାଯାଉଛି। ଏହାସହ କାନାଡାରେ ଭାରତ ବିରୋଧି ଗତିବିଧିକୁ ରାଜନୈତିକ ସୁରକ୍ଷା ଦିଆଯାଉଛି। ତେଣୁ କାନାଡା କାହିଁକି ଏହି ଚାନେଲେକୁ ବ୍ୟାନ କଲା ତାହା ଏଥରୁ ଅନୁମାନ କରାଯାଇ ପାରେ।”

ଅଷ୍ଟ୍ରଲିଆର କାନବେରାରେ ଜୟଶଙ୍କର ଏବଂ ଅଷ୍ଟ୍ରେଲିଆ ବିଦେଶମନ୍ତ୍ରୀ ପେନୀ ୱଙ୍ଗ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ପ୍ରେସମିଟକୁ ଅଷ୍ଟ୍ରେଲିଆ ଟୁଡେ ସିଧା ପ୍ରସାରଣ କରୁଥିଲା।

Tags: #AustraliaToday #BroadcastBan #Canada #SJaisankar #India

LEAVE A REPLY

Please enter your comment!
Please enter your name here