ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ବିଭିନ୍ନ ରାଜ୍ୟରେ ହେଉଥିବା ବୁଲଡୋଜର ଆକ୍ସନ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଦୋଷୀ କିମ୍ବା ଅପରାଧିକ ମାମଲାରେ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ଉପରେ ଅଙ୍କୁଶ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ। ଏନେଇ ଘର ଭାଙ୍ଗିବା ଉପରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁସାରେ କୌଣସି ଘର ଭାଙ୍ଗିବାର ୧୫ ଦିନ ସମ୍ପୃକ୍ତ ମାଲିକଙ୍କୁ ନୋଟିସ ଦିଆଯିବ। ଘର ଭଙ୍ଗାଯିବାର କାରଣ ଏବଂ ତାରିଖ ନିର୍ଦ୍ଦିଷ୍ଟ କରିବେ ସରକାର। କେଉଁ ଆବଶ୍ୟକତା ପାଇଁ ଏପରି ଚରମ ପଦକ୍ଷେପ ନିଆଯାଉଛି ତାହା ଉଲ୍ଲେଖ କରାଯିବ।

ସେହିପରି ଘର ଭଙ୍ଗାଯିବା ସମୟରେ ଭିଡିଓ ରେକର୍ଡିଂ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ଏହି ନିର୍ଦ୍ଦେଶାବଳୀର ଉଲ୍ଲଂଘନ ହେଲେ ଅଧିକାରୀମାନେ ଦାୟୀ ରହିବେ। ତେବେ ଏହି ନିୟମ ସାର୍ବଜନୀନ ସଡ଼କ, ରେଳ ଲାଇନ ପରି ସ୍ଥାନରେ ବେଆଇନ୍‌ ଭାବେ ନିର୍ମାଣ ହୋଇଥିବା କୋଠା ପାଇଁ ଲାଗୁ ହେବନାହିଁ।

“ଭାରତରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ଉପରେ ଦାୟିତ୍ୱ ରହିଛି। ତେବେ ଜଣେ ବ୍ୟକ୍ତି କୌଣସି ମାମଲାରେ ଅଭିଯୁକ୍ତ କିମ୍ବା ଦୋଷୀ ସାବ୍ୟସ୍ତ ହେଲେ ଏହାକୁ ଆଧାର କରି ତାଙ୍କ ଘରକୁ ଭଙ୍ଗାଯାଇ ପାରିବ ନାହିଁ। ଜଣଙ୍କ ଭୁଲ ପାଇଁ ପରିବାରର ସମସ୍ତଙ୍କୁ ଦଣ୍ଡ ଦିଆଯାଇ ପାରିବନାହିଁ। ଜଣେ ସରକାରୀ କାର୍ଯ୍ୟନିର୍ବାହୀ ବିଚାରପତି ହୋଇପାରିବେ ନାହିଁ। ସେ ଜଣେ ଅଭିଯୁକ୍ତକୁ ଦୋଷୀ ବୋଲି ଘୋଷଣା କରିପାରିବେ ନାହିଁ କି ତାଙ୍କ ଘର ଭାଙ୍ଗି ପାରିବେ ନାହିଁ”, କହିଛନ୍ତି ସୁପ୍ରିମକୋର୍ଟ।

ଅନେକ ରାଜ୍ୟରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଜାମିଆତ୍ ଉଲେମା-ଇ-ହିନ୍ଦ ସଂଗଠନ ମଧ୍ୟ ଆବେଦନକାରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିଲା। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିଆର ଗୱାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠଏନେଇ ଶୁଣାଣି କରିଥିଲେ। ଏହାପୂର୍ବରୁ ସେପ୍ଟେମ୍ବର ୧୭ରେ ମାମଲାର ଶୁଣାଣିବେଳେ ସବୁ ବୁଲଡୋଜର ଆକ୍ସନକୁ ସ୍ଥଗିତ କରିଥିଲେ ସୁପ୍ରିମକୋର୍ଟ।

Tags: #BulldozerAction #HouseDemolition #Accused #SupremeCourt

Comment