ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ବିରୋଧରେ ହୋଇଥିବା ମାମଲାରେ ସୋମବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଧାରା ୩୭୦ ଉଚ୍ଛେଦ ସାମ୍ବିଧାନିକ ଭାବେ ଠିକ ଥିଲା ବୋଲି ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି।

ଧାରା ୩୭୦ ଉଚ୍ଛେଦ ବିରୋଧରେ ହୋଇଥିବା ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ। ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ସହ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ସହମତ ହୋଇଥିଲେ।

“ଜମ୍ମୁକଶ୍ମୀରରେ ଲାଗୁ ହୋଇଥିବା ଧାରା ୩୭୦ ଏକ ଅସ୍ଥାୟୀ ପ୍ରବଧାନ ଥିଲା। ଯେତେବେଳେ ଜମ୍ମୁକଶ୍ମୀର ଭାରତରେ ମିଶିଥିଲା, ସେତେବେଳେ ରାଜ୍ୟର ନିଜସ୍ଵ ସାର୍ବଭୌମତ୍ଵ ଆଉ ରହିନଥିଲା। ରାଜ୍ୟରେ ତତକାଳୀନ ପରିସ୍ଥିତି କାରଣରୁ ଏହି ଧାରା ଏକ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ଥିଲା”, କହିଛନ୍ତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼।

ସେ ଆହୁରି ମଧ୍ୟ କହିଛନ୍ତି, “ଧାରା ୩୭୦ ହଟାଇବାରେ ସମ୍ବିଧାନର କୌଣସି ଅବମାନନା କରାଯାଇନାହିଁ। ଏହା ରାଷ୍ଟ୍ରପତିଙ୍କ ନିର୍ଦେଶରେ ହୋଇଛି। ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବନାହିଁ।”

ଅନ୍ୟପଟେ ଜମ୍ମୁକଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ଫେରାଇ ଦେବାପାଇଁ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଏହାସହ ରାଜ୍ୟରେ ୨୦୨୪ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ନିର୍ବାଚନ କରାଇବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ଏହାପରେ ଜମ୍ମୁ କଶ୍ମୀର ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଓ ଲଦାଖରେ ପରିଣତ କରାଯାଇଥିଲା। ଏହି ଧାରା ଉଚ୍ଛେଦ ବିରୋଧରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜମ୍ମୁ କଶ୍ମୀରର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ଓ ନାସନାଲ କନଫରେନ୍ସ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  

Tags: #JammuKashmir #Article370 #SupremeCourt #India

Comment