ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ ରୋଡ୍ କଂଗ୍ରେସର (ଆଇଆରସି) ନୂଆ ସଭାପତି ହୋଇଛନ୍ତି ପ୍ରଫେସର ମନୋରଞ୍ଜନ ପରିଡ଼ା। ନଭେମ୍ବର ୧୧ ତାରିଖରେ ରାୟପୁରରେ ଆୟୋଜିତ ଆଇଆରସିର ସ୍ଵତନ୍ତ୍ର ଅଧିବେଶନରେ ସେ ସଂଗଠନର ସଭାପତି ନିର୍ବାଚିତ ହୋଇଛନ୍ତି। ଆଇଆରସିର ୯୦ ବର୍ଷ ଇତିହାସରେ ଏହି ସମ୍ମାନଜନକ ପଦବୀରେ ଅଧିଷ୍ଠିତ ହେବାରେ ସେ ହେଉଛନ୍ତି ତୃତୀୟ ଓଡ଼ିଆ।

ପ୍ରଫେସର ମନୋରଞ୍ଜନ ପରିଡ଼ା ଏବେ ଭାରତୀୟ ସଡ଼କ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ରହିଛନ୍ତି। ସେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ର। ସେ ପୂର୍ବରୁ ଆଇଆଇଟି ରୁଡକିର ଉପ ନିର୍ଦ୍ଦେଶକ ଥିଲେ। ଭାରତୀୟ ସଡ଼କ ଓ ହାଇୱେଗୁଡ଼ିକର ଆଧୁନିକୀକରଣ କ୍ଷେତ୍ରରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଛନ୍ତି।

ପ୍ରଫେସର ମନୋରଞ୍ଜନ ପରିଡ଼ା ନିଜ କ୍ୟାରିୟରରେ ୩୫ଟି ପିଏଚଡି ଥେସିସ୍ ସହ ୪୫୦ ଅଧିକ ଜର୍ନାଲ ଲେଖିଛନ୍ତି। ଭାରତର ଅନେକ ମହତ୍ଵପୂର୍ଣ୍ଣ ସଡ଼କ ପ୍ରକଳ୍ପର ସେ ପରାମର୍ଶଦାତା ରହିଛନ୍ତି। ଭାରତରେ ଷ୍ଟିଲ ସ୍ଲାଗ ରୋଡ୍ ଓ ଏଆଇ ବେସଡ୍ ରାସ୍ତା ନିର୍ମାଣର କ୍ଷେତ୍ରରେ ସେ ଗବେଷଣା କରିଛନ୍ତି।    

ସଡ଼କ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ଇଣ୍ଡିଆନ ରୋଡ୍ କଂଗ୍ରେସ ପକ୍ଷରୁ ୨୦୦୪ ମସିହାରେ ପ୍ରଫେସର ମନୋରଞ୍ଜନ ପରିଡ଼ାଙ୍କୁ ପଣ୍ଡିତ ଜବାହାରଲାଲ ନେହେରୁ ଜନ୍ମ ଶତବାର୍ଷିକୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଇଣ୍ଡିଆନ ରୋଡ୍ କଂଗ୍ରେସର ନୂଆ ସଭାପତି ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ମିଳୁଛି।   

ଭାରତରେ ବଡ଼ ବଡ଼ ସଡ଼କ, ହାଇୱେ, ବ୍ରିଜ ଓ ଟନେଲ୍ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ବରିଷ୍ଠ ଇଞ୍ଜିନିୟରମାନଙ୍କୁ ନେଇ ଇଣ୍ଡିଆନ ରୋଡ୍ କଂଗ୍ରେସ ସଂଗଠନ ଗଠିତ। ୧୯୩୪ ମସିହାରେ ଏହାର ପ୍ରତିଷ୍ଠା ହୋଇଥିଲା। ଏବେ ଏଥିରେ ୧୬ ହଜାରରୁ ଅଧିକ ସଦସ୍ୟ ରହିଛନ୍ତି

Tags: #ProfManoranjanParida #IndianRoadCongress #RoadTechnology #InfrastructureDevelopment #India

LEAVE A REPLY

Please enter your comment!
Please enter your name here