ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ୍ ଗ୍ରହଣ ଜାରି ରହିଛି। ରାଜ୍ୟର ସମସ୍ତ ୨୮୮ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଏଠାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହି ନିର୍ବାଚନରେ ଦୁଇ ମେଣ୍ଟ ମହାୟୁତି ଓ ମହା ବିକାଶ ଆଘାଡ଼ି ପରସ୍ପରକୁ କଡ଼ା ଟକ୍କର ଦେଉଛନ୍ତି। ମହାୟୁତିରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ରହିଥିବାବେଳେ ମହାବିକାଶ ଆଘାଡ଼ିରେ କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ରହଛି।
ମହାରାଷ୍ଟ୍ରରେ ପ୍ରାୟ ୯ କୋଟି ୭୦ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧ ଲକ୍ଷ ୧୮୬ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୪୨,୬୦୪ଟି ସହରାଞ୍ଚଳରେ ଓ ୫୭,୫୮୨ଟି ଗ୍ରାମାଞ୍ଚଳରେ ରହିଛି। ରାଜ୍ୟରେ ପ୍ରାୟ ୫ ଲକ୍ଷ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୋଟ ୨୮୮ଟି ଆସନରେ ମୋଟ ୪,୧୩୬ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୩୬୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।
ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ମତଦାନ କେନ୍ଦ୍ରରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ମୁତୟନ କରାଯାଇଛି। ଏହାସହ ରାଜ୍ୟର ସବୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
Tags: #MaharashtraAssemblyElections2024 #Voting #Voters #ECI #Maharashtra #India