ମିନତି ମିଶ୍ର

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭୂରପୁର ଛୋଟିଆ ଗାଁଟିଏ। ଅମାପ ସମ୍ପଦର ଗନ୍ତାଘର ଏହି ଗାଁକୁ ଏସିଆ ମହାଦେଶର ସବୁଠାରୁ ଧନୀ ଗାଁ ବୋଲି କୁହାଯାଏ। ଗୁଜୁରାଟ କଚ୍ଛ ଜିଲ୍ଲାର ଭୁଜ ନିକଟରେ ଥିବା ଏହି ଗାଁର ନାଁ ହେଉଛି ମାଧାପାର।

ତେବେ ଲୋକଙ୍କ ମନରେ ପ୍ରଶ୍ନ ଉଠେ ମାଧାପାର ଗାଁ ଏତେ ସମୃଦ୍ଧ କେମିତି ହେଲା? କ’ଣ କରନ୍ତି ଏହି ଗାଁର ଲୋକେ? କ’ଣ ଏମାନଙ୍କର ରୋଜଗାର?

ଗାଁର ରୋଜଗାର ମୁଖ୍ୟ ସ୍ରୋତ ହେଉଛନ୍ତି ଏଠାକାର ପ୍ରବାସୀ ଭାରତୀୟ। ଗାଁରେ ମୁଖ୍ୟତଃ ପଟେଲ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଗାଁର ଜନସଂଖ୍ୟା ୧୭ ହଜାରରୁ ବୃଦ୍ଧି ପାଇ ଏବେ ୩୨ ହଜାରରେ ପହଞ୍ଚିଛି। ଗାଁରେ ରହିଛି ସମସ୍ତ ମୌଳିକ ସୁବିଧା। ଗାଁରେ ସରକାରୀ ଏବଂ ଘରୋ ସ୍କୁଲ ମଧ୍ୟ ରହିଛି।

ଗାଁରେ ପାଖାପାଖି ୨୦ ହଜାର ଘର ରହିଛି। ଏହି ଗାଁର ପ୍ରାୟ ୧୨୦୦ ପରିବାର ବିଦେଶରେ ରୁହନ୍ତି। ଏମାନଙ୍କ ମଧ୍ୟରୁ ଅଧିକ ଆଫ୍ରିକୀୟ ଦେଶରେ ରୁହନ୍ତି। ମଧ୍ୟ ଆଫ୍ରିକୀୟ ଦେଶରେ ନର୍ମାଣ ବ୍ୟବସାୟରେ ଗୁଜୁରାଟୀମାନଙ୍କର ବେଶ ନାଁ ରହିଛି। ତେଣୁ ଏହି ଅଞ୍ଚଳରେ ଅଧିକ ଗୁଜରାଟୀ ରୁହନ୍ତି। ଆଉ କିଛି ଲୋକ ୟୁକେ, ଅଷ୍ଟ୍ରେଲିଆ, ଆମେରିକା, ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ରୁହନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି, ପ୍ରବାସରେ ରହି ମଧ୍ୟ ଏମାନେ ନିଜ ଗାଁକୁ ଭୁଲି ନାହାନ୍ତି। ଗାଁକୁ ସମୃଦ୍ଧ କରିବା ପାଇଁ ଏହି ପ୍ରବାସୀ ଭାରତୀୟମାନେ ବଡ଼ ରକମର ଅର୍ଥ ପଠାଇଥାନ୍ତି।

ବିଦେଶରେ ରହି ମଧ୍ୟ ସେମାନେ ଗାଁ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ପସନ୍ଦ କରିଥାନ୍ତି। ଯଦ୍ୱାରା ତାଙ୍କର ଅର୍ଥ ତାଙ୍କର ଜନ୍ମସ୍ଥାନର ବିକାଶରେ ଲାଗିପାରିବ। ଗାଁ ଲୋକେ ବ୍ୟାଙ୍କରେ ୭ ହଜାର କୋଟିରୁ ଅଧିକ ଟଙ୍କା ଜମା ରଖିଛନ୍ତି। ଏଥିରୁ ଜଣାପଡ଼େ ଏହି ଗାଁ ଲୋକେ କେତେ ଧନୀ।

ଗାଁରେ ଏସବିଆଇ, ପିଏନବି, ଆକ୍ସିସ, ଏଚଡିଏଫସି, ୟୁନିୟନ ବ୍ୟାଙ୍କକୁ ମିଶାଇ ୧୭ଟି ବ୍ୟାଙ୍କ ରହିଛି। ଗୋଟିଏ ଗାଁରେ ଏତେଗୁଡ଼ିଏ ବ୍ୟାଙ୍କ ଖୋଲିବା ନିଶ୍ଚିତ ଭାବେ ସାଧାରଣ କଥା ନୁହେଁ। ଏଥିସହିତ ଅନେକ ବ୍ୟାଙ୍କ ଏଠାରେ ସେମାନଙ୍କର ଶାଖା ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଗାଁର ଜଣେ ଏନଆରଆଇ ପରିବାର ପ୍ରତିବର୍ଷ ସ୍ଥାନୀୟ ବ୍ୟାଙ୍କ ଏବଂ ଡାକଘରେ ଏକ କୋଟି ଟଙ୍କା ଜମା କରନ୍ତି।

ଗାଁକୁ ସମୃଦ୍ଧ କରିବାର ଆଉ ଏକ କାରଣ ହେଉଛି ସଡ଼କ। ମାଧାପାର ଗାଁକୁ ଯୋଗାଯୋଗ ପାଇଁ ରହିଛି ସୁନ୍ଦର ସଡ଼କ। ଗାଁର ପ୍ରତ୍ୟେକ ଲୋକଙ୍କ ଘରକୁ ପାଣି ଯୋଗାଇ ଦେବାପାଇଁ ରହିଛି ସୁନ୍ଦର ବ୍ୟବସ୍ଥା।

ସମସ୍ତ ସୁବିଧା ଖଞ୍ଜି ହୋଇ ରହିଥିବା ଏହି ଗାଁକୁ ଦେଖିଲେ ଜଣାପଡ଼େ ଗ୍ରାମବାସୀଙ୍କ ଜୀବନଶୈଳୀ କେତେ ସମୃଦ୍ଧ। ସବୁଠାରୁ ବଡ଼ କଥା ହେଲା ଗ୍ରାମବାସୀ ନିଜର ସଂସ୍କୃତି ଓ ଆଧୁନିକ ଜୀବନଶୖଳୀ ମଧ୍ୟରେ ତାଳମେଳ ରଖିପାରିଛନ୍ତି।

Tags: #RichestVillageofAsia #Madhapur #Village #India #Gujrat

LEAVE A REPLY

Please enter your comment!
Please enter your name here