ମିନତି ମିଶ୍ର
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ସରିଛି ବିଧାନସଭା ନିର୍ବାଚନ ପାଇଁ ମତଦାନ। ଆସିଛି ଏକଜିଟ୍ ପୋଲ୍। ବୁଥ ଫେରନ୍ତା ମତ ଅନୁସାରେ ଏଥର ବିଧାନସଭା ନିର୍ବାଚନରେ ଉଭୟ ରାଜ୍ୟରେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟ ଜୋରଦାର ଟକ୍କର ହୋଇଛି ବୋଲି ଅନୁମାନ କରାଯାଉଛି।
ମହାରାଷ୍ଟ୍ର
ମହାରାଷ୍ଟ୍ରକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ଏଠାରେ ପୁଣିଥରେ ବିଜେପି ନେତୃତ୍ୱାଧୀନ ମହାୟୁତି ସରକାର ଗଢ଼ିବାର ସମ୍ଭାବନା ରହିଛି। ଅବଶ୍ୟ ଅଳ୍ପ କେତେକ ସଂସ୍ଥା ସେମାନଙ୍କ ଏକଜିଟ୍ ପୋଲରେ ଝୁଲା ବିଧାନସଭା ହୋଇପାରେ ବୋଲି ଅନୁମାନ କରିଛନ୍ତି।
ମହାରାଷ୍ଟ୍ରରେ ଝୁଲା ବିଧାନସଭା ହେଲେ ସ୍ୱାଧୀନ ବିଧାୟକ ତଥା ଛୋଟ ଛୋଟ ରାଜନୈତିକ ଦଳ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ତେବେ ଅଧିକାଂଶ ସଂସ୍ଥା ମହାରାଷ୍ଟ୍ରରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିବ ବୋଲି ମତ ରଖିଛନ୍ତି।
ମହାୟୁତିରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ରହିଥିବାବେଳେ ମହାବିକାଶ ଆଘାଡ଼ିରେ କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ରହଛି।
ମହାରାଷ୍ଟ୍ର ବିଧାନସଭାରେ ୨୮୮ଟି ଆସନ ଥିବାବେଳେ ମ୍ୟାଜିକ ନମ୍ବର ହେଉଛି ୧୪୫। ମାଟ୍ରିଜ୍, ଚାଣକ୍ୟ ଏବଂ ଜେଭିସି ଏକ୍ଜିଟ ପୋଲରେ ମହାୟୁତି ପଲା ଭାରି ରହିବ ବୋଲି ଆକଳନ କରିଛନ୍ତି। ମାଟ୍ରିଜ୍ ଗଣନା ଅନୁସାରେ, ମହାୟୁତି ମେଣ୍ଟକୁ ୧୫୦ରୁ ୧୭୦ଟି ଆସନ ମିଳିଲାବେଳେ ବିପକ୍ଷ ଏମଭିଏକୁ ୧୧୦ରୁ ୧୩୦ଟି ଆସନ ମିଳିବାର ସମ୍ଭାବନା ରହିଛି।
ସେହିପରି ଚାଣକ୍ୟ ଏକଜିଟ୍ ପୋଲ୍ ଅନୁସାରେ, ମହାରାଷ୍ଟ୍ରରେ ମହାୟୁତିକୁ ୧୫୨ରୁ ୧୬୦ ଏବଂ ଏମଭିଏ ମେଣ୍ଟକୁ ୧୩୦ର ୧୩୮ ଆସନ ମିଳିବ। ଅନ୍ୟ ଦଳଙ୍କୁ ୬ରୁ ୮ଟି ଆସନ ମିଳିବାର ସମ୍ଭାବନା ରହିଛି। ଟାଇମ୍ସ ନାଓ-ଜେଭିସି ରିପୋର୍ଟ ଅନୁସାରେ, ମହାୟୁତିକୁ ୧୫୯, ଏମଭିଏକୁ ୧୧୬ ଏବଂ ଅନ୍ୟମାନଙ୍କୁ ୧୩ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି।
ପି ମାର୍କ ସର୍ଭେ ଅନୁସାରେ ମହାରାଷ୍ଟ୍ରରେ ମହାୟୁତିକୁ ୧୩୭ରୁ ୧୫୭, ଏମଭିଏକୁ ୧୨୬ରୁ ୧୪୬ ଏବଂ ଅନ୍ୟ ଦଳକୁ ୨ରୁ ୮ଟି ଆସନ ମିଳିପାରେ। ସେହିପରି ପିପୁଲ୍ସ ପୋଲ୍ସ ରିପୋର୍ଟ ଅନୁସାରେ ମହାୟୁତିକୁ ୧୮୨, ଏମଭିଏକୁ ୯୬ ଏବଂ ଅନ୍ୟାନ୍ୟ ଦଳକୁ ୯ଟି ଆସନ ମିଳିପାରେ ବୋଲ ଆକଳନ କରାଯାଇଛି।
ଶିବସେନାର ଦୁଇ ପୁରୁଣା ନେତା ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଏଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରଥମଥର ପାଇଁ ମୁହାଁମୁହିଁ ଲଢ଼େଇର ସମ୍ମୁଖୀନ ହୋଇଥିଲେ। ସବୁଠାରୁ ବଡ଼କଥା ହେଲା, ୮୦ ପ୍ରତିଶତ ଆସନ ଏପରି ଥିଲା ଯେଉଁଥିରେ ପ୍ରାର୍ଥୀ ଦମଦାର ଥିଲେ, ଲଢ଼େଇ ବି ଜୋରଦାର ହୋଇଥିଲା। ଏପରି ସ୍ଥିତିରେ ଶିବସେନା ପୁରୁଣା ସମର୍ଥକମାନେ କାହା ସପକ୍ଷରେ ଛିଡ଼ା ହୋଇଥିବେ ତାହା ଆସନ୍ତା ୨୩ ତାରିଖରେ ଭୋଟ ଗଣତିରେ ଜଣାପଡ଼ିବ।
ଝାଡ଼ଖଣ୍ଡ
ସେହିପରି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆସିଥିବା ଏକଜିଟ୍ ପୋଲ୍ ଅନୁସାରେ ଏଠାରେ ମଧ୍ୟ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। କେତେକ ସଂସ୍ଥାର ଆକଳନ ଅନୁସାରେ ଏଥର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜେଏମଏମ ଦଳ ହାତରୁ ଝାଡ଼ଖଣ୍ଡର କ୍ଷମତାରୁ ଖସି ଯାଇପାରେ ବୋଲି ଅନୁମାନ କରାଯାଉଛି।
ଝାଡଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ୨ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଏଠାରେ ଏନଡିଏ ଏବଂ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏନଡିଏ କ୍ଷମତା ହାସଲ କରିବା ପାଇଁ ଅନେକ ପ୍ରତିଶ୍ରୁତି ଲୋକଙ୍କୁ ଦେଇଛି। ଅନ୍ୟପକ୍ଷେ ହେମନ୍ତ ସୋରେନ ଦ୍ୱିତୀୟ ଥର କ୍ଷମତା ପାଇଁ ନିଜର ସବୁ ବଳ ଖଟାଇ ଦେଇଛନ୍ତି। ତେବେ ଏକଜିଟ୍ ପୋଲ୍ ଅନୁସାରେ, ଝାଡ଼ଖଣ୍ଡରେ ବିଜେପିର ପଲା ଭାରି ରହିବ ବୋଲି ଅନୁମାନ କରାଯାଉଛି। ଅବଶ୍ୟ ଗୋଟିଏ ଦୁଇଟି ସଂସ୍ଥା ଏଠାରେ ଇଣ୍ଡି ମେଣ୍ଟ ବହୁମତ ପାଇବ ବୋଲି ପୂର୍ବାନୁମାନ କରିଛନ୍ତି।
ମାଟ୍ରିଜ୍ ସଂସ୍ଥାର ରିପୋର୍ଟ ଅନୁସାରେ, ଝାଡ଼ଖଣ୍ଡର ୮୧ ବିଧାନସଭା ଆସନ ମଧ୍ୟରୁ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ୪୨ରୁ ୪୭ ଆସନ ମିଳିବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟକୁ ୨୫ରୁ ୩୦ ଆସନ ଓ ଅନ୍ୟ ଦଳକୁ ୧ରୁ ୪ଟି ଆସନ ମିଳିପାରେ।
ସେହିପରି ଚାଣକ୍ୟ ରିପୋର୍ଟ ଅନୁସାରେ, ଏନଡିଏକୁ ୪୫ରୁ ୫୦ ଆସନ, ଇଣ୍ଡି ମେଣ୍ଟକୁ ୩୫ରୁ ୩୮ ଆସନ ଏବଂ ଅନ୍ୟ ଦଳକୁ ମାତ୍ର ଗୋଟିଏ ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି। ଟାଇମ୍ସ ନାଓ-ଜେଭିସି ଏକଜିଟ୍ ପୋଲ୍ ପୂର୍ବାନୁମାନ ଅନୁସାରେ, ଏନଡିଏ ମେଣ୍ଟକୁ ୪୦ରୁ ୪୪, ଇଣ୍ଡିଆ ମେଣ୍ଟକୁ ୩୦ରୁ ୪୦ ଆସନ ମିଳିବ। ଅନ୍ୟଦଳ ହାତକୁ ଗୋଟିଏ ଆସନ ଯାଇପାରେ।
ଏହାସହ ପି ମାର୍କ ସର୍ଭେ ଅନୁସାରେ ଝାଡ଼ଖଣ୍ଡରେ ଏନଡିଏକୁ ୩୧ରୁ ୪୦, ଇଣ୍ଡି ମେଣ୍ଟକୁ ୩୭ରୁ ୪୭ ଏବଂ ଅନ୍ୟାନ୍ୟ ଦଳକୁ ୧ରୁ ୬ଟି ଆସନ ଯାଇପାରେ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷେ ପିପୁଲ୍ସ ପୋଲ୍ସ ରିପୋର୍ଟରେ ଏନଡିଏ ୪୪ରୁ ୫୩, ଇଣ୍ଡି ମେଣ୍ଟ ୨୫ରୁ ୩୬ ଏବଂ ଅନ୍ୟାନ୍ୟ ଦଳ ୫ରୁ ୯ଟି ଆସନ ମିଳିବାର ସମ୍ଭାବନା ରହିଛି।
ଅନ୍ୟପଟେ ଉତ୍ତରପ୍ରଦେଶରେ ୯ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବୁଧବାର ଭୋଟ୍ ଗ୍ରହଣ ହୋଇଥିଲା। ତେବେ ଏକଜିଟ୍ ପୋଲ୍ ଅନୁସାରେ ଏଥିରେ ବିଜେପି ୪ରୁ ୭ଟି ଆସନ ଜିତିବା ନେଇ ଆକଳନ କରାଯାଉଥିବାବେଳେ ସମାଜବାଦୀ ପାର୍ଟିକୁ ୩ରୁ ୫ଟି ଆସନ ମିଳିବାର ସମ୍ଭାବନା ରହିଛି। ସେହିପରି କେରଳର ବହୁ ଚର୍ଚ୍ଚିତ ୱାୟନାଡ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଜିତିବାର ଅଧିକ ସମ୍ଭାବନା ଥିବା ଅନୁମାନ କରାଯାଉଛି।
ତେବେ ଆସନ୍ତା ୨୩ ତାରିଖରେ ଭୋଟ ଗଣତି ପରେ ସବୁ ଅପେକ୍ଷାର ଅବସାନ ଘଟିବ।
Tags: #AssemblyElections #ExitPolls #Maharashtra #Jharkhand #Politics #NDA #INDIA