ପୁଷ୍ମମିତ୍ର ମହାନ୍ତି

ଆଦାନୀ ଗ୍ରୁପର ପିଛା ଛାଡ଼ୁନି ସମସ୍ୟା। ୨୬୫ ନିୟୁତ ଡଲାର ଲାଞ୍ଚ କାରବାର ଅଭିଯୋଗରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଓ ଅନ୍ୟ ୬ ଜଣ ବ୍ୟକ୍ତିଙ୍କ ବିରୋଧରେ ଆମେରିକାର ନ୍ୟୁୟର୍କ ସ୍ଥିତ ଫେଡେରାଲ ଅଦାଲତରେ ମାମଲା ହୋଇଛି। ଏହି ଅଭିଯୋଗ ଅନୁସାରେ ସୌର ଶକ୍ତି ଚୁକ୍ତିକୁ ସୁରକ୍ଷିତ କରିବା ପାଇଁ ଆଦାନୀ ଗ୍ରୁପ୍ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ୧୭୫୦ କୋଟିର ଲାଞ୍ଚ ଦେଇଥିଲେ ବୋଲି କୁହାଯାଇଛି।

ଗୌତମ ଆଦାନୀ ଓ ମଧ୍ୟରେ ଜଗନ ମୋହନ ରେଡ୍ଡୀଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକରେ ଏହି ଚୁକ୍ତି ଉପରେ ଆଲୋଚନା ହୋଇଥିବା ଆମେରିକାର ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ କମିଶନ (ଏସ୍ଇସି) ଅଭିଯୋଗ କରିଛି। ଏତଦ୍‌ବ୍ୟତୀତ ଆନ୍ଧ୍ରପ୍ରଦେଶର ବହୁ ଅଧିକାରୀଙ୍କୁ ଆଦାନୀ ଲାଞ୍ଚ ଦେଇଥିବା ଅଭିଯୋଗରେ କୁହାଯାଇଛି। ଏସ୍ଇସିର ଏହି ଅଭିଯୋଗ ଆମେରିକା କର୍ତ୍ତୃପକ୍ଷଙ୍କ ଏକ ବ୍ୟାପକ ଅଭିଯୋଗର ଅଂଶ ବିଶେଷ, ଯେଉଁଥିରେ ଆଦାନୀ ଗ୍ରୁପ୍ ବିରୋଧରେ ଲାଞ୍ଚ ଏବଂ ଠକେଇ ଅଭିଯୋଗ ଅନ୍ତର୍ଭୁକ୍ତ।

ଭାରତୀୟ ସୌର ଶକ୍ତି ନିଗମ (ଏସଇସିଆଇ) ସହ ଚୁକ୍ତି ସ୍ୱାକ୍ଷର କରିବାକୁ ଆନ୍ଧ୍ରପ୍ରଦେଶର ଅନିଚ୍ଛା ଦୂର କରିବା ପାଇଁ ଆଦାନୀ ଅଗଷ୍ଟ ୨୦୨୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କୁ ଭେଟିଥିଲେ। ଏହି ବୈଠକ ସମୟରେ ଆଦାନୀ ଗ୍ରୁପ ଆନ୍ଧ୍ରପ୍ରଦେଶର ଜଣେ ଅଜଣା ଅଧିକାରୀଙ୍କ ମାଧ୍ୟମରେ ଚୁକ୍ତି ଚୂଡ଼ାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୧୭୫୦ କୋଟି ଟଙ୍କା ଲାଞ୍ଚ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାର କିଛି ସମୟ ପରେ ଆନ୍ଧ୍ରପ୍ରଦେଶ ଏସଇସିଆଇ ଠାରୁ ୭ ଗିଗାୱାଟ ସୌର ଶକ୍ତି କିଣିବାକୁ ରାଜି ହୋଇଥିଲା, ଯାହା କି ସେହି ସମୟରେ କୌଣସି ରାଜ୍ୟର ସର୍ବବୃହତ ସୌର ଶକ୍ତି କ୍ରୟ ଥିଲା।

ଏସ୍ଇସି ଆହୁରି ଅଭିଯୋଗ କରିଛି ଯେ ଆଦାନୀ ଏବଂ ଆଜୁର ପାୱାର ସୌର ଶକ୍ତି ଯୋଗାଣ ପାଇଁ ଚୁକ୍ତି ହାସଲ କରିବା ପାଇଁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡ଼ିଶା ସମେତ ଏକାଧିକ ଅଞ୍ଚଳର ରାଜ୍ୟ ଅଧିକାରୀମାନଙ୍କୁ ଲାଞ୍ଚ ଦେବାକୁ ଷଡ଼ଯନ୍ତ୍ର କରିଥିଲେ। ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ଆଦାନୀ ଗ୍ରୁପ୍ ୨୦୨୧ରୁ ୨୦୨୩ ମଧ୍ୟରେ ରାଜ୍ୟ ବିଦ୍ୟୁତ ବୋର୍ଡକୁ ୨୬୫ ନିୟୁତ ଡଲାର ଲାଞ୍ଚ ଦେଇଛି।

ଅଭିଯୋଗକୁ ଖଣ୍ଡନ କଲା ୱାଇଏସଆରସିପି

ଜଗନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି (ୱାଇଏସଆରସିପି) ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛି। ଦଳ କହିଛି ଯେ ଏହି ଚୁକ୍ତି ସିଧାସଳଖ ଆଦାନୀ ଗ୍ରୁପ୍ ସହିତ ନୁହେଁ ବରଂ ଏସଇସିଆଇ ଏବଂ ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନି (ଡିସ୍କମ୍) ମଧ୍ୟରେ ସ୍ୱାକ୍ଷରିତ ହୋଇଛି।

ୱାଇଏସ୍ଆରସିପି ପକ୍ଷରୁ କୁହାଯାଇଛି, “ନଭେମ୍ବର ୨୦୨୧ରେ ଆନ୍ଧ୍ରପ୍ରଦେଶ ବିଦ୍ୟୁତ ନିୟାମକ ଆୟୋଗ ଏହି କ୍ରୟକୁ ଅନୁମୋଦନ କରିଥିଲେ ଏବଂ ଏହା ପରେ ୨୦୨୧ ଡିସେମ୍ବର ୧ ତାରିଖରେ ୨୫ ବର୍ଷ ପାଇଁ କିଲୋୱାଟ୍ ପିଛା ୨.୪୯ ଟଙ୍କା ହାରରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ପ୍ରକଳ୍ପ ଦ୍ୱାରା ବାର୍ଷିକ ୩,୭୦୦ କୋଟି ଟଙ୍କା ସଞ୍ଚୟ ହେବ ଏବଂ ଏସ୍ଇସିଙ୍କ ଅଭିଯୋଗକୁ ଭିତ୍ତିହୀନ”

ବିବାଦକୁ ନେଇ ଟିଡିପି ଚୁପ୍

ଅନ୍ୟପଟେ ଆନ୍ଧ୍ରପ୍ରଦେଶରେ ଏବେ କ୍ଷମତାରେ ଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏହି ଅଭିଯୋଗ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି। ଦଳର ମୁଖପାତ୍ର କୋମାରେଡ୍ଡୀ ପଟ୍ଟାଭିରାମ କହିଛନ୍ତି ଯେ ଏସଂପର୍କରେ କୌଣସି ପ୍ରତିକ୍ରିୟା ଜାରି କରିବା ପୂର୍ବରୁ ସେମାନେ ଏସଇସି ରିପୋର୍ଟକୁ ଅଧ୍ୟୟନ କରିବେ।

ଆଦାନୀ ଗ୍ରୁପ୍ ମଧ୍ୟ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିବା ସହ ଏହି ଅଭିଯୋଗରୁ ନିଜକୁ ରକ୍ଷା କରିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି। ଅନ୍ୟପଟେ ଏହି ଅଭିଯୋଗ ଭାରତର ଅକ୍ଷୟ ଶକ୍ତି କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ନେଇ ଗମ୍ଭୀର ଉଦବେଗ ସୃଷ୍ଟି କରିଥିବାରୁ ବିରୋଧୀ ଦଳମାନେ ଏହା ଉପରେ ଅଧିକ ତଦନ୍ତ ପାଇଁ ଦାବି କରିଛନ୍ତି।

Tags: #AdaniGroup #BriberyCase #YSJaganMohanReddy #YSRCP #USStateDept #India #USA

LEAVE A REPLY

Please enter your comment!
Please enter your name here