ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗଣତି ଜାରି ରହିଛି। ଏଠାରେ ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି। ମହାୟୁତିରେ ବିଜେପି ସବୁଠାରୁ ଅଧିକ ଆସନରେ ଆଗୁଆ ରହିଛି। ଅନ୍ୟପଟେ ମହା ବିକାଶ ଅଘାଡ଼ି ବହୁତ ପଛରେ ପଡ଼ିଯାଇଛି।
ଭାରତୀୟ ନିର୍ବଚାନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ୧୨ଟା ୩୦ସୁଦ୍ଧା ୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ୨୨୨ଟି ଆସନରେ ଆଗୁଆ ରହିଛି। ସେଥିରୁ ବିଜେପି ୧୨୪ଟି, ଶିବସେନା ୫୫ଟି ଓ ଏନସିପି ୩୭ଟି ଆସନରେ ଆଗୁଆ ରହିଛି। ଅନ୍ୟପଟେ ମହା ବିକାଶ ଅଘାଡ଼ି ମାତ୍ର ୫୩ଟି ଆସନରେ ଆଗୁଆ ରହିଛି। ସେଥିରୁ ଉଦ୍ଧବ ଠାକରେଙ୍କ ଶିବସେନା ୨୦ଟି, କଂଗ୍ରେସ ୧୯ଟି ଓ ଶରଦ ପାୱାରଙ୍କ ଏନସିପି ୧୩ ଆସନରେ ଆଗୁଆ ରହିଛି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୦ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ତେବେ ଏହି ନିର୍ବାଚନ ପାଇଁ ଆସିଥିବା ଅଧିକାଂଶ ଏକଜିଟ୍ ପୋଲରେ ମହାୟୁତିର ବିଜୟ ହେବା ନେଇ ପୂର୍ବାନୁମାନ କରାଯାଇଥିଲା।
ଏହି ନିର୍ବାଚନରେ ଦୁଇ ମେଣ୍ଟ ମହାୟୁତି ଓ ମହା ବିକାଶ ଆଘାଡ଼ି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ମହାୟୁତିରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ରହିଥିବାବେଳେ ମହାବିକାଶ ଆଘାଡ଼ିରେ କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ରହଛି।
Tags: #MaharashtraAssemblyElections2024 #Results #Voters #ECI #Maharashtra #India